ବୀର ବାଘାଯତୀନଙ୍କ ସହିଦ ଦିବସ ପାଳିତ

ବାଲେଶ୍ୱର(ସରୋଜ ପଣ୍ଡା): ଭାରତର ସ୍ୱାଧୀନତା ସଂଗ୍ରାମର ମହାନ ବିପ୍ଳବୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ, ମୁକ୍ତି ଯୋଦ୍ଧା, ଅଦମ୍ୟ ସାହସ, ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ସଶସ୍ତ୍ର ସଂଗ୍ରାମର ରଣ ହୁଙ୍କାର ଦେଇଥିବା ମହାନ ଯୋଦ୍ଧା, ଦେଶପ୍ରେମ ଓ ଆତ୍ମତ୍ୟାଗର ପ୍ରତୀକ ବୀର ବାଘାଯତୀନଙ୍କ ସହିଦ ଦିବସ ଆଜି ବାଲେଶ୍ୱର ଜିଲ୍ଲାରେ ଶ୍ରଦ୍ଧା ଓ ଗମ୍ଭୀରତାର ସହ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ବାଘାଯତୀନ ଉନ୍ନୟନ କମିଟି ଓ ବାଘାଯତୀନ ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ପୂର୍ବାହ୍ନରେ ବାଲେଶ୍ୱର ସହରର ବାରବାଟୀ ବାଳିକା ହାଇସ୍କୁଲ୍‌ ସ୍ଥିତ ପୂର୍ବତନ ହସ୍ପିଟାଲ ପରିସର ଏବଂ ରେମୁଣା ବ୍ଲକ୍‌ର ଚଷାଖଣ୍ଡ ଅଞ୍ଚଳରେ ବଘା ଯତୀନଙ୍କ ୧୧୧ ତମ ସ୍ମୃତି ସହିଦ ଦିବସ ପାଳନ ହୋଇଯାଇଛି. ଏହି ଅବସରରେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ସମ୍ମାନନୀୟ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲ୍ଲିକ, ବାଘା ଯତୀନଙ୍କ ଜନ୍ମଭୂମି ତଥା ରକ୍ତ ତୀର୍ଥ ଯାତ୍ରୀରୁ ୩୪ଜଣ ପ୍ରମୁଖ ବ୍ୟକ୍ତି ଯୋଗଦେଇ ବୀର ବାଘାଯତୀନଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ। ବାଘାଯତୀନ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁଜିତ କୁମାର ଦେବ, ସାଧାରଣ ସମ୍ପାଦକ ଶ୍ରୀ ହରେନ୍ ରଣାଙ୍କ ସମେତ କମିଟିର ସଦସ୍ୟ ମାନେ ସ୍ଥାନୀୟ ବାରବାଟୀ ସ୍କୁଲ ପରିସରରେ ଏବଂ ବାଘାଯତୀନ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋପୀନାଥ ସେନାପତି ଏବଂ ସାଧାରଣ ସମ୍ପାଦକ ଶ୍ରୀ ସର୍ବେଶ୍ୱର ମହାନ୍ତିଙ୍କ ସମେତ ପରିଷଦର ସଦସ୍ୟ ମାନେ ରେମୁଣା ବ୍ଲକ ସ୍ଥିତ ଚଷାଖଣ୍ଡ ଠାରେ ଏହି ଐତିହାସିକ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।  ଏହି ଦିବସ ପାଳନ ଅବସରରେ ବାଘାଯତୀନଙ୍କ ଐତିହାସିକ ସଂଗ୍ରାମ ଓ ବଳିଦାନକୁ ସ୍ମରଣ କରାଯାଇଥିଲା। ଐତିହାସିକ ତଥ୍ୟ ଅନୁଯାୟୀ, ବାଘାଯତୀନଙ୍କ ସହ ମୋଟ ପାଞ୍ଚଜଣ ବିପ୍ଳବୀ ଏହି ସଂଘର୍ଷରେ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣ ଆକ୍ରମଣର ଶିକାର ହୋଇଥିବା ବେଳେ ଦୁଇଜଣ ଗିରଫ ହୋଇଥିଲେ। ଚଷାଖଣ୍ଡଠାରେ ଘଟିଥିବା ସଶସ୍ତ୍ର ସଂଘର୍ଷ ସ୍ୱାଧୀନତା ଆନ୍ଦୋଳନର ଏକ ସାହସିକ ଅଧ୍ୟାୟ ଭାବେ ଆଜି ମଧ୍ୟ ସ୍ମରଣୀୟ। ଏହି ସଂଘର୍ଷ ସମୟରେ ଜଣେ ବିପ୍ଳବୀ ଘଟଣାସ୍ଥଳରେ ସହିଦ ହୋଇଥିଲେ। ବୀର ବାଘାଯତୀନ ଗୁରୁତର ଆହତ ହୋଇ ଯେଉଁ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ, ସେହି ସ୍ଥାନଟି ବର୍ତ୍ତମାନ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଭାବେ ପରିଚିତ। ଏହି ସ୍ଥାନ ଓ ଚଷାଖଣ୍ଡ ଅଞ୍ଚଳ ବାଘାଯତୀନଙ୍କ ଅମର ସ୍ମୃତି ସହ ଗଭୀର ଭାବେ ଜଡ଼ିତ। ତେଣୁ ଏହି ଦୁଇଟି ସ୍ଥାନରେ ସହିଦ ଦିବସ ପାଳନର ବିଶେଷ ଐତିହାସିକ ଓ ଭାବନାତ୍ମକ ଗୁରୁତ୍ୱ ରହିଛି। ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶମାତୃକାର ସ୍ୱାଧୀନତା ପାଇଁ ବାଘାଯତୀନ ଓ ତାଙ୍କ ସହଯୋଗୀମାନେ ଯେଉଁ ଅଦମ୍ୟ ସାହସ ଓ ଆତ୍ମତ୍ୟାଗର ପରିଚୟ ଦେଇଥିଲେ, ତାହା ଭାରତୀୟ ଇତିହାସରେ ଚିରସ୍ମରଣୀୟ। ତାଙ୍କର ଜୀବନ ଆମକୁ ଦେଶପ୍ରେମ, ନିଷ୍ଠା, ସାହସ ଓ ତ୍ୟାଗର ଶିକ୍ଷା ପ୍ରଦାନ କରେ। ବାଘାଯତୀନଙ୍କ ଆଦର୍ଶ ଓ ବଳିଦାନକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଏବଂ ତାଙ୍କ ଐତିହାସିକ ସ୍ମୃତିସ୍ଥଳୀଗୁଡ଼ିକର ସଂରକ୍ଷଣ ଓ ବିକାଶ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ବୀର ବାଘାଯତୀନଙ୍କ ଅମର ଗାଥା ଓ ଦେଶପ୍ରେମର ଆଦର୍ଶ ଯୁବପିଢ଼ିକୁ ଦେଶ ଓ ସମାଜର ସେବା ପାଇଁ ସଦା ସର୍ବଦା ପ୍ରେରଣା ଯୋଗାଇବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ