ଅଗରବତୀ ତିଆରି ପ୍ରଶିକ୍ଷଣ ଆରମ୍ଭ
ଛତ୍ରପୁର, (ଓ୍ବାଇଏନଏସ): ଗ୍ରାମୀଣ ଯୁବକ-ଯୁବତୀଙ୍କୁ ଦକ୍ଷତା ବିକାଶ ସହ ସ୍ୱୟଂ ନିଯୁକ୍ତିର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ୟୁନିଅନ୍, ଛତ୍ରପୁର ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ ପକ୍ଷରୁ ୧୨ ଦିନିଆ ‘ଅଗରବତୀ ତିଆରିର ମୌଳିକ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ୩୫ ଜଣ ପ୍ରଶିକ୍ଷାର୍ଥୀ ଯୋଗଦେଇଛନ୍ତି। ପ୍ରତିଷ୍ଠାନର ନିର୍ଦ୍ଦେଶକ ଅନିଲ ମାଝୀ, ଏଲ ଡି ଏମ ହିମାଞ୍ଚଳ ସାହୁଙ୍କ ସମେତ ପ୍ରତିଷ୍ଠାନ ର ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା। ପ୍ରଶିକ୍ଷଣ ସମୟରେ ଅଗରବତୀ ତିଆରିର ବିଭିନ୍ନ ପ୍ରକ୍ରିୟା, କଞ୍ଚାମାଲର ଚୟନ ଓ ବ୍ୟବହାର, ଯନ୍ତ୍ରପାତିର ପରିଚାଳନା, ପ୍ୟାକେଜିଂ, ବଜାରଜାତକରଣ ଏବଂ ବିକ୍ରୟ ଆଦି ବିଷୟରେ ପ୍ରଶିକ୍ଷାର୍ଥୀଙ୍କୁ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଉଛି। ଏଥିସହ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଉଦ୍ୟୋଗୀ ମନୋଭାବ ଓ ବ୍ୟବସାୟ ପରିଚାଳନା ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ପ୍ରଶିକ୍ଷଣ ଶେଷରେ ଅଂଶଗ୍ରହଣକାରୀମାନେ ନିଜସ୍ୱ ଅଗରବତୀ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ଆୟର ଏକ ସ୍ଥାୟୀ ମାଧ୍ୟମ ସୃଷ୍ଟି କରିପାରିବେ ବୋଲି ଆଶା ପ୍ରକାଶ ପାଇଛି। ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ବୃତ୍ତିଭିତ୍ତିକ ପ୍ରଶିକ୍ଷଣ ଦେଇ ସ୍ୱୟଂ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ସହ ଆତ୍ମନିର୍ଭରଶୀଳ କରିବା ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ


