ବିଧାୟକଙ୍କ ପ୍ରଚେଷ୍ଟାରେ ବାଲେଶ୍ୱରରେ ଶୁଭାରମ୍ଭ ହେଲା ପ୍ରଥମ ହୃଦରୋଗ ବିଶେଷଜ୍ଞ ବହିର୍ବିଭାଗ
ବାଲେଶ୍ବର (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତଙ୍କ ନିରନ୍ତର ପ୍ରଚେଷ୍ଟା କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଥର ପାଇଁ ହୃଦରୋଗ ବିଶେଷଜ୍ଞ ବହିର୍ବିଭାଗ ଆରମ୍ଭ ହୋଇଛି। ଆଜି ବିଧାୟକ ମାନସ ଦତ୍ତଙ୍କ କରକମଳରେ ଏହି ନୂତନ ବହିର୍ବିଭାଗର ଶୁଭ ଉଦ୍ଘାଟନ ହେବା ସହ ବାଲେଶ୍ୱରରେ ବିଶେଷଜ୍ଞ ହୃଦରୋଗ ଚିକିତ୍ସା ସେବାର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ହୃଦରୋଗ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସ୍ୱାସ୍ଥ୍ୟଜନିତ ସମସ୍ୟା ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ ସ୍ୱତନ୍ତ୍ର ହୃଦରୋଗ ବିଶେଷଜ୍ଞ ବହିର୍ବିଭାଗର ସୁବିଧା ନଥିଲା। ଫଳରେ ଜିଲ୍ଲାର ଅନେକ ରୋଗୀଙ୍କୁ ବିଶେଷଜ୍ଞ ପରାମର୍ଶ ଓ ଉନ୍ନତ ପରୀକ୍ଷା ପାଇଁ ଭୁବନେଶ୍ୱର, କଟକ କିମ୍ବା ରାଜ୍ୟ ବାହାରର ବଡ଼ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଥିଲା।ଏହି ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ସମସ୍ୟାକୁ ଉପଲବ୍ଧି କରି ବିଧାୟକ ଶ୍ରୀ ଦତ୍ତ ଓଡ଼ିଶା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାଲେଶ୍ୱରରେ ହୃଦରୋଗୀଙ୍କ ପାଇଁ ଆବଶ୍ୟକ ବିଶେଷଜ୍ଞ ସେବା ଓ ଆଧୁନିକ ନିଦାନ ବ୍ୟବସ୍ଥା ଉପଲବ୍ଧ କରାଇବା ଦିଗରେ ସେ ନିରନ୍ତର ଭାବେ ପଦକ୍ଷେପ ନେଇଆସୁଥିଲେ। ଏବେ ହୃଦରୋଗ ବିଶେଷଜ୍ଞ ବହିର୍ବିଭାଗ ଆରମ୍ଭ ହେବା ସହ ସେହି ଦାବି ବାସ୍ତବ ରୂପ ନେଇଛି। ନୂତନ ହୃଦରୋଗ ବହିର୍ବିଭାଗରେ ହୃଦରୋଗ ବିଶେଷଜ୍ଞଙ୍କ ସେବା ସହ ଆଧୁନିକ ECHO ମେସିନର ସୁବିଧା ମଧ୍ୟ ଉପଲବ୍ଧ ହୋଇଛି। ଏହାଦ୍ୱାରା ହୃଦରୋଗ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ପରୀକ୍ଷା, ନିଦାନ, ବିଶେଷଜ୍ଞ ପରାମର୍ଶ ଓ ଆବଶ୍ୟକ ଚିକିତ୍ସା ସେବା ଜିଲ୍ଲାସ୍ତରରେ ଆହୁରି ସୁବିଧାଜନକ ହେବ। ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ଦୂରଦୂରାନ୍ତର ରୋଗୀମାନେ ଏଥିରୁ ବିଶେଷ ଭାବେ ଉପକୃତ ହେବେ। କେବଳ ବାଲେଶ୍ୱର ଜିଲ୍ଲା ନୁହେଁ, ଉତ୍ତର ଓଡ଼ିଶାର ହୃଦରୋଗୀଙ୍କ ପାଇଁ ମଧ୍ୟ ଏହି ସେବା ବେଶ ଉପଯୋଗୀ ହେବ। ସ୍ଥାନୀୟ ସ୍ତରରେ ବିଶେଷଜ୍ଞ ସେବା ଉପଲବ୍ଧ ହେବା ଫଳରେ ରୋଗୀଙ୍କ ସମୟ ଓ ଖର୍ଚ୍ଚ ହ୍ରାସ ପାଇବା ସହ ଠିକ୍ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସାର ସୁଯୋଗ ବୃଦ୍ଧି ପାଇବ। ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ଯେ, ବାଲେଶ୍ୱରବାସୀଙ୍କୁ ନିଜ ଜିଲ୍ଲାରେ ଆଧୁନିକ, ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ହୃଦରୋଗ ବିଶେଷଜ୍ଞ ବହିର୍ବିଭାଗର ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ପଦକ୍ଷେପ। ଆଗାମୀ ଦିନରେ ବାଲେଶ୍ୱରର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ ଓ ଉନ୍ନତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି। ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିଥିବାରୁ ବିଧାୟକ ଶ୍ରୀ ଦତ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେହିପରି ଜିଲ୍ଲାରେ ପ୍ରଥମ ଥର ଏଭଳି ବିଶେଷଜ୍ଞ ହୃଦରୋଗ ସେବା ଆରମ୍ଭ ହୋଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇବା ସହ ବିଧାୟକଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ଦିଲ୍ଲୀପ ଜେନା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।


