ଦୁର୍ଗାପୂଜା ପାଇଁ ଏକକ ବାତାୟନ ବ୍ୟବସ୍ଥା

କଟକ, (ଓ୍ବାଇଏନଏସ): ଆସନ୍ତା ଦୁର୍ଗାପୂଜା-୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକକ ବାତାୟନ ବ୍ୟବସ୍ଥା (Single Window System) କାର୍ଯ୍ୟକ୍ଷମ କରାଯିବ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଏନ୍‌ଓସି ଓ ଅନୁମତି ପ୍ରଦାନ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ କଟକ ମହାନଗର କମିଶନର ସୁଶ୍ରୀ କିରଣଦୀପ କୌର ସହୋତା ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ କମଲଜିତ ଦାସଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ମହାନଗର ଶାନ୍ତି କମିଟିର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ କଟକ ସଦର ଉପଜିଲ୍ଲାପାଳଙ୍କୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସମଗ୍ର ବ୍ୟବସ୍ଥାର ତଦାରଖ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମସ୍ତ ସମ୍ପୃକ୍ତ ବିଭାଗ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତ କରି ପୂଜା କମିଟିଗୁଡ଼ିକର ଆବେଦନକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଦାରଖ କରି ନିଷ୍ପତ୍ତି କରିବେ। ପୂଜା ପେଣ୍ଡାଲ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ R&B ବିଭାଗ ଭିତ୍ତିଭୂମି ନିରାପତ୍ତା ପ୍ରମାଣପତ୍ର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଏବଂ TPCODL ବିଦ୍ୟୁତ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରିବେ। ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ ଦେଇ ଗତବର୍ଷ ପ୍ରଶିକ୍ଷିତ ସ୍ୱେଚ୍ଛାସେବୀମାନେ ଚଳିତବର୍ଷ ମଧ୍ୟ ନିୟୋଜିତ ରହିବେ। ସମସ୍ତ ପୂଜା ମଣ୍ଡପରେ ପର୍ଯ୍ୟାପ୍ତ ସଂଖ୍ୟକ ଅଗ୍ନିନିର୍ବାପକ ଯନ୍ତ୍ର ରଖିବା ଓ ଜରୁରୀ ସମୟରେ ଏହା ସହଜରେ ଉପଲବ୍ଧ ହେବା ସୁନିଶ୍ଚିତ କରିବାକୁ DFOଙ୍କୁ ଦାୟିତ୍ୱ ଦିଆଯାଇଛି। ପୂଜା ସମୟରେ VIP ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କ ପୂଜା ମଣ୍ଡପ ପରିଦର୍ଶନକୁ ଦୃଷ୍ଟିରେ ରଖି ପୂଜା କମିଟିଗୁଡ଼ିକୁ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି। ଏଥିସହ ସାଧାରଣ ଲୋକଙ୍କ ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ। ଦେବୀଗଡ଼ା ନିକଟସ୍ଥ ରାସ୍ତାର ସୁବିଧା ସୁନିଶ୍ଚିତ କରିବା ସହ ଅସ୍ଥାୟୀ ଭସାଣି ପୋଖରୀରେ ତାରପୋଲିନ୍‌ ପରିବର୍ତ୍ତେ ରବର୍ ମ୍ୟାଟ୍ କିମ୍ବା ଅନ୍ୟ ଦୃଢ଼ ଓ ଦୀର୍ଘସ୍ଥାୟୀ ସୁରକ୍ଷା ସାମଗ୍ରୀ ବ୍ୟବହାର ପାଇଁ ଅନୁରୋଧ କରାଯାଇଛି। ଦୁର୍ଗାପୂଜା ସମୟରେ ସମସ୍ତ ପୂଜା କମିଟିକୁ ନିର୍ଦ୍ଧାରିତ ନିୟମ, ନିର୍ଦ୍ଦେଶାବଳୀ ଓ ସୁରକ୍ଷା ମାନଦଣ୍ଡ କଡ଼ାକଡ଼ି ପାଳନ କରିବା ସହ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ