ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ: ୩୧ ଅତିଥି ଅଧ୍ୟାପକଙ୍କୁ କେବେ ମିଳିବ ବକେୟା ବେତନ?
ଆସିକା (ୱାଇଏନ୍ଏସ୍) :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସିକା ନିରଞ୍ଜନ ସରକାରୀ ମହିଳା ବିଦ୍ୟାଳୟରେ କାର୍ଯ୍ୟରତ ଥିବା ୩୧ ଅତିଥି ଅଧ୍ୟାପକଙ୍କୁ କେବେ ମିଳିବ ବକେୟା ଦରମା ତାହାକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ପିଲାଙ୍କୁ ପାଠ ପଢାଇବା ପାଇଁ ନିୟୋଜିତ ଥିବା ୭ ଜଣ ଅତିିଥି ଅଧ୍ୟାପକ ଚଳିତ ୨୦୨୬-୨୭ ଶିକ୍ଷାବର୍ଷର ଗତ ଜୁଲାଇ ଓ ଅଗଷ୍ଟ ମାସର ଦରମା ପାଇବାରୁ ଅଦ୍ୟାବଧି ବଞ୍ଚିତ ହୋଇଆସୁଥିଲା ବେଳେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ଶିକ୍ଷାଦାନ କରୁଥିବା ୨୪ ଜଣ ଅତିଥି ଅଧ୍ୟାପକ ଗତ ୨୦୨୫-୨୬ ଶିକ୍ଷାବର୍ଷର ମାର୍ଚ୍ଚ ମାସର ଏବଂ ଚଳିତ ୨୦୨୬-୨୭ ଶିକ୍ଷାବର୍ଷର ଜୁଲାଇ ଓ ଅଗଷ୍ଟ ମାସର ଦରମା ଅଦ୍ୟାବଧି ପାଇପାରିନଥିବା ଜଣାପଡିଛି । ଅତିଥି ଅଧ୍ୟାପକ ମାନଙ୍କୁ ପ୍ରତ୍ୟେକ ମାସକ ଦରମା ତାର ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ପ୍ରଦାନ କରିବାକୁ ଶିକ୍ଷାବିଭାଗର ଏ ଅବିଚାର କାହିଁକି ବୋଲି ସଚେତନ ନାଗରିକ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପାଠ ପଢାଇବା ପାଇଁ ନିୟୋଜିତ ଥିବା ୩୧ ଜଣ ଅତିଥି ଅଧ୍ୟାପକଙ୍କ ଦରମା ପ୍ରଦାନରେ ବିିଳମ୍ବ ସଂକ୍ରାନ୍ତରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଶିକ୍ଷାବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ମଗାଯାଇଥିବା ତଥ୍ୟ ପ୍ରଦାନ କରାଯାଇସାରିଛି ଓ ଅତିଥି ଅଧ୍ୟାପକମାନେ ଅତିଶୀଘ୍ର ସେମାନଙ୍କ ବକେୟା ବେତନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । କଲେଜ ବିଦ୍ୟାର୍ଥୀଙ୍କୁ ପାଠ ପଢାଉଥିବା ଅତିଥି ଅଧ୍ୟାପକମାନଙ୍କୁ ଦରମା ପ୍ରଦାନରେ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ବିଗତ କିଛି ବର୍ଷ ହେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ ଗୁଡିକରେ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଯାଇଥିଲା ବେଳେ ପ୍ରାୟତଃ ଅତିଥି ଅଧ୍ୟାପକମାନଙ୍କ ଉପରେ ଭରସା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯାଉଥିବା ଦେଖିବାକୁ ମିଳୁଛି । ଅତିଥି ଅଧ୍ୟାପକମାନଙ୍କୁ ଦରମା ପ୍ରଦାନରେ ବିଳମ୍ବ କରାଯାଉଥିବା ଯୋଗୁଁ ବହୁ ଅତିଥି ଅଧ୍ୟାପକ ନିଜ ପରିବାର କେମିତି ଚଳାଇବେ ତାହାକୁ ନେଇ ଚିନ୍ତିତ ହୋଇପଡୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରତ ଅତିଥି ଅଧ୍ୟାପକମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ ଓ କୈଳାଶ ଚନ୍ଦ୍ର ପ୍ରଧାନ ଏବଂ ଶିବପ୍ରସାଦ ଶତପଥୀ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ ଓ ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ମହାରଣା ପ୍ରମୁଖ ଅନୁରୋଧ କରିଛନ୍ତି ।


