ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ: ଦୁଲୁକିବ ମେଲୋଡି ଓ ଭଜନ ସନ୍ଧ୍ୟା ମଞ୍ଚ
ଆସିକା (ୱାଇଏନ୍ଏସ୍): ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ । ଗଣେଶ ପୂଜାରୁ ପାର୍ବଣ ଆରମ୍ଭ ହେହାକୁ ଥିବା ବେଳେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମେଲୋଡି ଓ ଭଜନ ସନ୍ଧ୍ୟା ମଞ୍ଚର ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଗୀତ ଅଭ୍ୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି । ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାକୁ ଆଉମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଶାରଦୀୟ ଦୁର୍ଗାପୂଜାକୁ ଆଉମାତ୍ର କିଛି ଦିନ ବାକି ରହିଛି । ନୂଆ ଓ ପୁରୁଣା ଗୀତର ପ୍ରସ୍ତୁତି ପାଇଁ ମେଲୋଡି ଓ ଭଜନ ସନ୍ଧ୍ୟାର ଗାୟକ ଗାୟିକାମାନେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଜୋରଦାର୍ ରିହରସାଲ୍ ଚଳାଇଥିବା ଦେଖିବାକୁ ମିଳିଛି । ଦିନରାତି ଏକ କରି କଳାକାରମାନେ ରିହରସାଲ୍ରେ ଲାଗିପଡିଛନ୍ତି । ଆଉମାତ୍ର କିଛି ଦିନ ପରେ ମେଲୋଡି ଓ ଭଜନ ସନ୍ଧ୍ୟା ମଣ୍ଡପ ଗୁଡିକ ନୁଆ ଓ ପୁରୁଣା ଗୀତ ସହ ବାଦ୍ୟଯନ୍ତ୍ରର ଧୁମ୍ଧଡାକରେ ଦୁଲୁକି ଉଠିବ । ଆସନ୍ତା ଗଣେଶ ପୂଜା ଓ ଶାରଦୀୟ ଦୁର୍ଗାପୂଜାର ଷଷ୍ଠୀ ତିଥି ଆରମ୍ଭରୁ ଦଶମୀ ତିଥି ପର୍ଯ୍ୟନ୍ତ ମେଲୋଡି ଓ ଭଜନ ସନ୍ଧ୍ୟା ଗ୍ରୁପକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ବରାଦ କରାଯାଇଥାଏ । ପାର୍ବଣ ଋତୁରେ ମେଲୋଡି ଓ ଭଜନ ସନ୍ଧ୍ୟା ଗ୍ରୁପମାନେ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ପାର୍ବଣ ଋତୁରେ ମେଲୋଡି ଓ ଭଜନ ସନ୍ଧ୍ୟାର ସ୍ୱତନ୍ତ୍ର ଚାହିଦା ରହିଥାଏ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଦୁର୍ଗାପୂଜା କମିଟି ମେଲୋଡି ଓ ଭଜନ ସନ୍ଧ୍ୟା କରିବାକୁ ଅଧିକ ପସନ୍ଦ କରିଥାନ୍ତି । ଗଣେଶ ପୂଜା ଏବଂ ଦୁର୍ଗା ପୂଜା ସାଙ୍ଗକୁ କାଳୀପୂଜା ପର୍ଯ୍ୟନ୍ତ ଚାହିଦାକୁ ଦୃଷ୍ଟିରେ ରଖି ମେଲୋଡି ଓ ଭଜନ ସନ୍ଧ୍ୟାର ଗାୟକ ଗାୟିକାମାନେ ଗୀତ ଅଭ୍ୟାସ ଜାରି ରଖିଥାନ୍ତି । ମେଲୋଡି ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପାଇଁ ଗୋଟିଏ ସନ୍ଧ୍ୟାରେ ହଜାର ହଜାର ଟଙ୍କା ବିଭିନ୍ନ ପୂଜା କମିଟି ଖର୍ଚ୍ଚ କରିଥାନ୍ତି । ଗଣେଶ ପୂଜା ଏବଂ ଦୁର୍ଗା ପୂଜା ଠାରୁ କାଳୀ ପୂଜା ପର୍ଯ୍ୟନ୍ତ ପୂଜାମଣ୍ଡପ ପାଖରେ ପକାଯାଇଥିବା ଅସ୍ଥାୟୀ ମଣ୍ଡପଗୁଡିକ ଦୁଲୁକିଥାଏ । ଉଚ୍ଚକୋଟିର କଣ୍ଠଶିଳ୍ପୀ ଓ ସାଉଣ୍ଡର ତାଳେତାଳେ ଦର୍ଶକ ଝୁମିଥାନ୍ତି । ପୂଜା ପାର୍ବଣରେ ଲୋକେ ପୂଜାମଣ୍ଡପ ବୁଲିବା ସହ ମେଲୋଡି ଓ ଭଜନ ସନ୍ଧ୍ୟାର ମଜା ନେଇଥାନ୍ତି । ତେଣୁ ଚଳିତ ବର୍ଷ ପାର୍ବଣରେ ମେଲୋଡି ଓ ଭଜନ ସନ୍ଧ୍ୟାରେ ଭିଡ ଜମିବ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ଶ୍ରୀ ଗଣେଶା ଶ୍ରୀ ଗଣେଶା ଦେବା, ଶଙ୍କର ଶଙ୍କର, ଅନୁଗୁଳର ଟୁକୁଲି, ରିବନ୍ ଫିତା, ହିରୋ ହୀରାଲାଲ, ପରମ ସୁନ୍ଦରୀ, ଲାଲ୍ ଟହ ଟହ ଦେଇ ଗୋଲାପ, ଯମୁନା ଯିବାକୁ ମୋତେ ହୋଇଛି ମନା, ଦେ ଦେ ମାଲ୍ଟା ଦେ, ଗୋରା ଗୋରା ଗାଲେ ତୋର ନାଲି ଛିଟା, ଦିଲ୍ ବିଲି ମିଆଁଉ ମିଆଁଉ, ଏଥର ଫଗୁଣେ ବଜାଇବି ବାଜା ଏଭଳି ଅନେକ ଗୀତ ଏଥର ହିଟ୍ ଲିଷ୍ଟରେ ରହିଛି । ଏଥିସହ ସୋସିଆଲ୍ ମିଡିଆରେ ଅଧିକ ଆଦୃତ ହେଉଥିବା ଗୀତଗୁଡିକ ମଞ୍ଚରେ ପରିବେଷଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମେଲୋଡି ଓ ଭଜନ ସନ୍ଧ୍ୟା ମଞ୍ଚରେ ଗୀତ ସାଙ୍ଗକୁ ଦମଦାର୍ ଡ୍ୟାନ୍ସ ପର୍ଫର୍ମାନ୍ସ ଦେଖିବାକୁ ମିଳିବ ବୋଲି ଜଣାପଡିଛି । ପୂଜା କମିଟି ଓ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସେଲିବ୍ରିଟ୍ କଣ୍ଠଶିଳ୍ପୀମାନଙ୍କୁ ଆଣିବା ପାଇଁ କିଛି ମେଲୋଡି ଦଳ ବ୍ୟବସ୍ଥା କରୁଥିବା ବେଳେ ଏଥର ବିଭିନ୍ନ ରିଦମ୍ ଓ ସାଉଣ୍ଡ କେତେକ ଗ୍ରୁପ ଆଣିଥିବା ଜଣାପଡିଛି । ଆସିକା ଅଞ୍ଚଳର ଅଗ୍ରଣୀ ମେଲୋଡି ଦଳର ମାଲିକ ସରସ୍ୱତୀ ମ୍ୟୁଜିକାଲ୍ ବ୍ୟାଣ୍ଡର ଏମ୍.କ୍ରିଷ୍ଣା ଓ ରବି ବ୍ୟାଣ୍ଡ ଏଣ୍ଡ୍ ଡିଜେର ରବି ରେଡୀ ପ୍ରକାଶ କରିକହିଛନ୍ତି ଆମର କଳାକାରମାନେ ଗତ ଅଗଷ୍ଟ ମାସରୁ ଅଭ୍ୟାସ ଆରମ୍ଭ କରିସାରିଥିଲା ବେଳେ ଆସନ୍ତା ଗଣେଶ ପୂଜା ଏବଂ ଦୁର୍ଗାପୂଜା ପାଇଁ ବର୍ତ୍ତମାନ ଜୋର୍ସୋରରେ ପ୍ରସ୍ତୁତି ଚାଲିଛି । ସମ୍ବଲପୁରୀ ଠାରୁ ଆରମ୍ଭ କରି ଆଧୁନିକ ହିନ୍ଦୀ ଗୀତ ପର୍ଯ୍ୟନ୍ତ ସବୁ ପ୍ରସ୍ତୁତ କରାଯାଇଛି । ଆମର ଗ୍ରୁପ୍ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇଥାଏ ଓ ଦର୍ଶକ ଯାହା ଡିମାଣ୍ଡ କରିବେ ସେହି ଗୀତ ମଣ୍ଡପରେ ବୋଲିବା ଲାଗି କଳାକାରମାନଙ୍କୁ ସମସ୍ତ ଶିକ୍ଷା ଦିଆଯାଇଛି । ଆସନ୍ତା ଗଣେଶ ପୂଜା ଓ ଦୁର୍ଗାପୂଜାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନ ଠାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପାର୍ବଣର ମହକ ଦିନକୁ ଦିନ ଆରମ୍ଭ ହେବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ପାର୍ବଣ ଋତୁ ଆସିଲେ ସମସ୍ତଙ୍କ ମନରେ ପୂଜା ମାହୋଲ୍ ପାଇଁ ଯେତିକି ଉତ୍କଣ୍ଠା ଭରିଥାଏ ମେଲୋଡି ଓ ଭଜନସଂଧ୍ୟାକୁ ନେଇ ସେତିକି ବିଭୋର ହୋଇପଡିଥାନ୍ତି ଯୁବପିଢୀ । ଯାହାର ଝଲକ ଆସିକାର ବିଭିନ୍ନ ମେଲୋଡି ଓ ଭଜନସଂଧ୍ୟା ପାର୍ଟିମାନଙ୍କରେ ରିହର୍ସଲରେ ଦେଖିବାକୁ ମିଳୁଛି । ଗତ ଦିନ ମଧ୍ୟରେ ନୁଆଁ କରି ରିଲିଜ୍ ହୋଇଥିବା ବିଭିନ୍ନ ନୂଆଁ ଗୀତ ସହ ପୁରୁଣା ଗୀତର ରିମିକ୍ସ ଗୁଡିକ ମଧ୍ୟ ଦର୍ଶକଙ୍କ ମନୋରଂଜନ କରିବ । ଓଡିଆ ଓ ହିନ୍ଦୀ ଗୀତକୁ ନେଇ ମେଲୋଡି ପାର୍ଟିର କଣ୍ଠଶିଳ୍ପୀମାନେ ଆଭ୍ୟାସ ଜାରି ରଖିଛନ୍ତି । ଦର୍ଶକଙ୍କ ଚାହିଦାକୁ ନଜର ରଖି ମେଲୋଡି ଓ ଭଜନସଂଧ୍ୟା ପାର୍ଟିଗୁଡିକ ଚଳଚଂଚଳ ହୋଇଉଠିଥିଲା ବେଳେ କଣ୍ଠଶିଳ୍ପୀ ତଥା କଳାକାରମାନେ ମଧ୍ୟ ଗୀତ ଗାଇବା ପାଇଁ ନିଜକୁ ସଂପୁର୍ଣ୍ଣ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ପାର୍ବଣରେ ଆସିକା ଅଞ୍ଚଳର କେଉଁ କେଉଁ ସ୍ଥାନରେ ମେଲୋଡି ଓ ଭଜନସଂଧ୍ୟା ପରିବେଶଣ କରାଯିବ ତାହାର ତାଲିକା ପ୍ରସ୍ତୁତ ସରିଥିଲା ବେଳେ ଅପେକ୍ଷା କେବଳ ମଂଚକୁ । ଆଗାମୀ ଗଣେଶ ପୂଜା ଓ ଦୁର୍ଗାପୂଜାରେ ମେଲୋଡି ଓ ଭଜନସଂଧ୍ୟା ପାଇଁ ବିଭିନ୍ନ ପୂଜାକମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ଗଣେଶ ପୂଜା ଏବଂ ଦଶହରାକୁ ଆଖି ଆଗରେ ରଖି ଏବେଠୁ ଆସିକାର ବିଭିନ୍ନ ମେଲୋଡି ଓ ଭଜନସନ୍ଧ୍ୟାର କଳାକାର ତଥା ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଜୋର୍ସୋରରେ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳୁଛି ।


