ବିଘ୍ନ ବିନାଶନ ଯୋଗ ନିଦ୍ରାରେ ଅଲୌକିକ ଗଣେଶ ପୀଠ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଶୋଇଛନ୍ତି ସତ, ହେଲେ ସେ ଜାଗ୍ରତ। ହାତୀ ପରି ଶୋଇଛନ୍ତି, ହେଲେ ଭକ୍ତ ଡାକିଲେ ଧାଇଁ ଆସନ୍ତି। ଏମିତି ଏକ ବିରଳ ଓ ଅଲୌକିକ ଗଣେଶ ପୀଠ ରହିଛି ଦେବୀ ନଦୀ କୂଳରେ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଈଗୁଆଁ ପଞ୍ଚାୟତ। ମୋକ୍ଷଦାୟିନୀ ଦେବୀ ନଦୀ କୂଳର ନଈଗୁଆଁ ଗାଁ ମଝିରେ ଯୁଗ ଯୁଗ ଧରି ବିରାଜମାନ ଅଲୌକିକ ଗଜାନନ। ଏଠି ପ୍ରଭୁ ବିଘ୍ନ ବିନାଶନ ଯୋଗ ନିଦ୍ରାରେ। ତାଙ୍କ ରକ୍ତ ବର୍ଣ୍ଣ ସିନ୍ଦୁର ଲେପିତ ଦୀର୍ଘ ଶୁଣ୍ଢ ଉତ୍ତର ଦିଗକୁ। ମଥାରେ ଧବଳ ତିଳକ, ଲାଲ ବସ୍ତ୍ର, ମନ୍ଦାର ମାଳ। ଏହି ବିରଳ ରୂପକୁ କୁହାଯାଏ ଉତ୍ତରମୁଖା ହାତୀ ଶୁଣ୍ଢ। ଶାସ୍ତ୍ର ମତେ ଉତ୍ତର ହେଉଛି କୁବେରଙ୍କ ଦିଗ, ଧନର ଦିଗ। ତେଣୁ ଏଠି ଦର୍ଶନେ ଧନ-ବିଦ୍ୟା-ବୁଦ୍ଧି ପ୍ରାପ୍ତି ହୁଏ ବୋଲି ଯୁଗ ଯୁଗର ବିଶ୍ୱାସ। ବୟୋଜ୍ୟେଷ୍ଠମାନେ କୁହନ୍ତି, ଏ ମନ୍ଦିର ଆଜିର ନୁହେଁ। ବାପା, ଅଜା, ତାଙ୍କ ଅଜା ଅମଳରୁ ଅଛି। କେହି ପ୍ରତିଷ୍ଠା କରିନାହାଁନ୍ତି, ପ୍ରଭୁ ନିଜେ ସ୍ୱୟମ୍ଭୁ ଆବିର୍ଭୂତ। ଶୋଇଛନ୍ତି ସତ, ହେଲେ ଜାଗ୍ରତ ଓ ଭକ୍ତର ମନସ୍କାମନା ପୂରଣ କରନ୍ତି। ଏହାହିଁ ସବୁଠୁ ବଡ ଅଲୌକିକତା।ଏହି ପୀଠର ମୁଖ୍ୟ ଆକର୍ଷଣ ଅମୃତ ଲଡୁ। ବର୍ଷକୁ ଥରେ କେବଳ ଗଣେଶ ଚତୁର୍ଥୀ ମଧ୍ୟାହ୍ନରେ ଏହା ପ୍ରସ୍ତୁତ ହୁଏ, ଅନ୍ୟ ଦିନ ମିଳେନା। ଭକ୍ତଙ୍କ ପାଇଁ ଏହା ଅମୃତ ସମାନ। ଅରୁଆ ଚାଉଳ ଗୁଣ୍ଡ, ନଡିଆ, ଚିନି, ଗୁଜୁରାତି, ଗୁଆ ଘିଅରେ ତିଆରି ହୁଏ। ନଡିଆ ହାତରେ ଚକଟି ଘିଅରେ ଛାଣି ପାଗ କରାଯାଏ। ସେବକ ସୁମନ୍ତ ପଣ୍ଡା, ସ୍ୱପ୍ନେଶ୍ୱର ପଣ୍ଡା, କୈଳାଶ ଚନ୍ଦ୍ର ପଣ୍ଡା ଉପବାସ ରହି ହରିବୋଲ ଦେଇ ୧୫ଶହରୁ ଅଧିକ ଲଡୁ ଗଢନ୍ତି।ମଧ୍ୟାହ୍ନ ୧୨ଟାରୁ ୧ଟା ଭିତରେ ଅମୃତ ଲଡୁ ଭୋଗ ଲାଗେ। ସେତେବେଳେ ଚଳନ୍ତି ପ୍ରତିମାକୁ ମନ୍ଦିର ବେଢାରେ ତିନି ଥର ପରିକ୍ରମା କରାଯାଏ। ଢୋଲ, ମୃଦଙ୍ଗ, ସଂକୀର୍ତ୍ତନରେ ପରିବେଶ ଭକ୍ତିମୟ ହୁଏ। ପରେ ଅନ୍ନ ଭୋଗ ଲାଗେ। ଏହି ଦିନର ଅନ୍ୟ ପବିତ୍ର ପରମ୍ପରା ଖଡି ଛୁଆଁ। ୪ ବର୍ଷ ୪ ମାସ ୪ ଦିନର ପିଲାଙ୍କ ଖଡି ଛୁଆଁ ହୁଏ। ବିଦ୍ୟାଦାତାଙ୍କ ପାଖରେ ପ୍ରଥମ ଅକ୍ଷର ଆରମ୍ଭ ହେଲେ ପିଲା ବୁଦ୍ଧିମାନ, ବିଦ୍ୱାନ ହୁଏ ବୋଲି ବିଶ୍ୱାସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ