କାକଟପୁର ପୋଲିସର କଟକଣା: ଗଣେଶ ପୂଜାରେ ବାଜିବନି ଡିଜେ, ଜଳିବ ନାହିଁ ଲେଜର ଲାଇଟି

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହେଉଛି। ପୂଜା ମଣ୍ଡପ ଓ ଭସାଣିରେ ଡିଜେର ବିକଟାଳ ଶବ୍ଦକୁ ରୋକିବା ପାଇଁ ପୁରୀ ଜିଲ୍ଲା କାକଟପୁର ପୋଲିସ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି। ଏହାକୁ ନେଇ ରବିବାର ଅପରାହ୍ନରେ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ୨୫ରୁ ଅଧିକ ଡିଜେ ମାଲିକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ପୋଲିସ ପକ୍ଷରୁ କଡା କଟକଣା ଜାରି କରାଯାଇଛି। ସୁପ୍ରିମକୋର୍ଟ ଓ ଧ୍ୱନି ପ୍ରଦୂଷଣ ନିୟନ୍ତ୍ରଣ ଆଇନ ୨୦୦୦ ଅନୁସାରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡିଜେ ସମ୍ପୂର୍ଣ୍ଣ ନିଷେଧ। ଆବାସିକ ଅଞ୍ଚଳରେ ଦିନରେ ୬୦ ଡେସିବଲ ଓ ରାତିରେ ୪୫ ଡେସିବଲ ଠାରୁ ଅଧିକ ଶବ୍ଦ କରି ହେବ ନାହିଁ। ହସ୍ପିଟାଲ, ସ୍କୁଲ, କୋର୍ଟର ୧୦୦ ମିଟର ସାଇଲେନ୍ସ ଜୋନରେ ଡିଜେ ବନ୍ଦ। ବିନା ଅନୁମତିରେ ଡିଜେ ବଜାଇଲେ ଭାରତୀୟ ନ୍ୟାୟ ସଂହିତା ଧାରା ୨୯୦/୨୯୧ ଓ ପରିବେଶ ସୁରକ୍ଷା ଆଇନରେ ମାମଲା, ମେସିନ୍ ସିଜ୍ ଓ ଲାଇସେନ୍ସ ରଦ୍ଦ ହେବ। ଅଶ୍ଳୀଳ ଗୀତ, ହିଂସାକୁ ଉସୁକାଉଥିବା ଗୀତ ନିଷେଧ। ଭସାଣି ଶୋଭାଯାତ୍ରାରେ ଟ୍ରକ ପିଛା ୨ଟିରୁ ଅଧିକ ବଡ ବକ୍ସ ନିଷେଧ। ମଦ ପିଇ ଡିଜେ ଗାଡି ଚଲାଇବା ଓ ରାସ୍ତା ଅବରୋଧ ମନା। ପ୍ରତି ପୂଜା କମିଟି ଥାନାରୁ ଓ ଉପଜିଲ୍ଲାପାଳ ଙ୍କ ଠାରୁ ଲିଖିତ ଅନୁମତି ନେବା ବାଧ୍ୟ। ନିୟମ ମାନି ଶାନ୍ତିରେ ପାର୍ବଣ ପାଳନ କରିବାକୁ ଥାନା ଅଧିକାରୀ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ