ଜାତୀୟ ସ୍ତରରେ ଉତ୍ତମ ଶିକ୍ଷକ ସମ୍ମାନ ପାଇଲେ ଶ୍ରୀରାମା ଶାସ୍ତ୍ରୀ

ନବରଙ୍ଗପୁର,(ୱାଇଏନଏସ):ଜାତୀୟ ସ୍ତରରେ ଉତ୍ତମ ଶିକ୍ଷକ ଭାବେ ସମ୍ମାନିତ ହୋଇ ନବରଙ୍ଗପୁର ଜିଲ୍ଲା ସମେତ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ନବରଙ୍ଗପୁର ସହରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ଶ୍ରୀରାମା ଶାସ୍ତ୍ରୀ। ନୂଆଦିଲ୍ଲୀଠାରେ ଷ୍ଟାର୍ ଗ୍ଲୋବାଲ ଏଜୁକେଶନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଦେଶର ବିଭିନ୍ନ ରାଜ୍ୟରୁ ନିମନ୍ତ୍ରିତ ଶିକ୍ଷକମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ସ୍ତରୀୟ ‘ଉତ୍ତମ ଶିକ୍ଷକ ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପାଇବାରେ ଓଡ଼ିଶାରୁ ଶ୍ରୀରାମା ଶାସ୍ତ୍ରୀ ଏକମାତ୍ର ଶିକ୍ଷକ ଭାବେ ମନୋନୀତ ହୋଇଥିବା ଜଣାପଡ଼ିଛି। ଏଥି ନିମନ୍ତେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଚାନ୍ସେଲର ପଦ୍ମଶ୍ରୀ ଦିଲୀପ ସିଂ ଯୋଗଦେଇ ସମ୍ମାନିତ ଶିକ୍ଷକମାନଙ୍କୁ ପୁରସ୍କୃତ କରିଥିଲେ। ନବରଙ୍ଗପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରୁ ଆସି ରାଜଧାନୀ ନୂଆଦିଲ୍ଲୀରେ ଏଭଳି ସମ୍ମାନଜନକ ଜାତୀୟ ପୁରସ୍କାର ହାସଲ କରିବା ନିଶ୍ଚିତ ଭାବେ ଜିଲ୍ଲାବାସୀଙ୍କ ପାଇଁ ଏକ ଗର୍ବର ବିଷୟ। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ନିଷ୍ଠା, ଅବଦାନ ଓ ସମର୍ପଣର ଏହା ଏକ ସ୍ୱୀକୃତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ଶ୍ରୀରାମା ଶାସ୍ତ୍ରୀ ବର୍ତ୍ତମାନ ନବରଙ୍ଗପୁର ସହରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଏହି ଜାତୀୟ ସଫଳତା ପରେ ବିଦ୍ୟାଳୟ ପରିବାର ସମେତ ଜିଲ୍ଲାରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ସୁଭାଷିନୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ, ପରିବାରବର୍ଗ ତଥା ବନ୍ଧୁବର୍ଗ , ଶ୍ରୀରାମା ଶାସ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ