ଆତ୍ମଜ୍ଞାନ ନିମିତ୍ତ ଯୋଗ୍ୟତା


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଚଉରାଶି ଲକ୍ଷ୍ୟ ଯୋନି ମଧ୍ୟରେ ନର ଜନ୍ମକୁ ଶ୍ରେଷ୍ଠ ବୋଲି କୁହାଯାଏ। ତେଣୁ ଶାସ୍ତ୍ରରେ କୁହାଯାଇଛି ଯେ ଜନ୍ତୁନାମ୍ ନରଜନ୍ମଦୁର୍ଲଭମ୍ । ପରନ୍ତୁ ଏ ଜନ୍ମ ସେତେବେଳେ ଶ୍ରେଷ୍ଠ ହୋଇପାରିବ, ଯେତେବେଳେ ଜୀବ ସେ ପରମ ସତ୍ୟ ବା ଆତ୍ମ ଜ୍ଞାନକୁ ପ୍ରାପ୍ତି କରିପାରିବ। ଏହି ଶ୍ରେଷ୍ଠ ତତ୍ତ୍ଵକୁ ପାଇବାକୁ ହେଲେ ପ୍ରଥମେ ମନୁଷ୍ୟକୁ ଯୋଗ୍ୟତା ଆବଶ୍ୟକ । ଯେଉଁ ଯୋଗ୍ୟତାକୁ ପାଇ ମଣିଷ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ। ଏଥି ନିମନ୍ତେ ଅଦ୍ୱୈତ ବେଦାନ୍ତ ଦର୍ଶନର ପ୍ରଚାରକ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ସ୍ୱକୀୟ ଗ୍ରନ୍ଥମାନଙ୍କରେ ଏହି ଯୋଗ୍ୟତା ଉପରେ ଲେଖି ଯାଇଛନ୍ତି। ସେ କହିଛନ୍ତି ଯେ, ଆତ୍ମଜ୍ଞାନ ଯେକୌଣସି ବ୍ୟକ୍ତି ସହଜରେ ଲବ୍ଧ କରିପାରେ ନାହିଁ। ଏଥି ନିମିତ୍ତ ଅନ୍ତଃକରଣର ଶୁଦ୍ଧତା ଏବଂ ଏକ ନିର୍ଦ୍ଦିଷ୍ଟ ମାନସିକ ତଥା ଆଧ୍ୟାତ୍ମିକ ଯୋଗ୍ୟତା ଆବଶ୍ୟକ। ଯାହାକୁ ‘ସାଧନ ଚତୁଷ୍ଟୟ’ ବୋଲି ଅଦ୍ଵୈତ ବେଦାନ୍ତରେ କୁହାଯାଇଛି। ଏହା ହେଉଛି ବିବେକ (ନିତ୍ୟାନିତ୍ୟ ବସ୍ତୁ ବିବେକ), ବୈରାଗ୍ୟ (ଇହାମୁତ୍ରାର୍ଥ ଫଳ ଭୋଗ ବିରାଗ), ଷଟ୍-ସମ୍ପତ୍ତି (ଛଅଟି ଆଧ୍ୟାତ୍ମିକ ସମ୍ପଦ) ଓ ମୁମୁକ୍ଷୁତ୍ୱ (ମୁକ୍ତିର ତୀବ୍ର ଆକାଂକ୍ଷା)। ଆଚାର୍ଯ୍ୟ ଶଙ୍କରଙ୍କ ମତରେ, ବ୍ରହ୍ମଜ୍ଞାନର ଜିଜ୍ଞାସା ବା ଜ୍ଞାନ ମାର୍ଗରେ ପ୍ରବେଶ କରିବା ପୂର୍ବରୁ ସାଧକ ସାଧନାରେ ସିଦ୍ଧି ଲାଭ କରିବା ଅନିବାର୍ଯ୍ୟ। କାରଣ ଆତ୍ମ ଜ୍ଞାନ ହେଉଛି ଏପରି ଏକ ଜ୍ଞାନ ଯାହା ସମସ୍ତଙ୍କୁ ସୁଲଭରେ ପ୍ରାପ୍ତ ହୋଇନଥାଏ। ଏହାକୁ ପାଇବାକୁ ହେଲେ ପ୍ରଥମେ, ସାଧକ ନିତ୍ୟ-ଅନିତ୍ୟ ବସ୍ତୁ ବିବେକ ରୂପି ସୋପାନକୁ ପ୍ରଵେଶ କରିବା ଆବଶ୍ୟକ । ଏହି ନିତ୍ୟ-ଅନିତ୍ୟ ବସ୍ତୁ ବିବେକ କ’ଣ ଏହା ପ୍ରଥମେ ବୁଝିବାକୁ ହେବ, କାରଣ ଏହା ହିଁ ସତ୍ ଅସତ୍ ର ପାର୍ଥକ୍ୟକୁ ଜଣାଇଥାଏ। ଅଦ୍ୱୈତ ବେଦାନ୍ତ ଅନୁଯାୟୀ, ଏହି ସଂସାରରେ କେବଳ ପରମବ୍ରହ୍ମ ହିଁ ସତ୍ୟ ବା ନିତ୍ୟ। ତା’ବ୍ୟତୀତ ସମସ୍ତ ଦୃଶ୍ୟମାନ ଜଗତ ଅନିତ୍ୟ ବା କ୍ଷଣସ୍ଥାୟୀ। ଯେ ନିତ୍ୟ ବସ୍ତୁ ତାହାର କେବେ ବିନାଶ ହୁଏ ନାହିଁ ଏବଂ ସେ ତ୍ରିକାଳରେ ସତ୍ୟରୂପେ ବିଦ୍ୟମାନ। ସେ ହିଁ ବ୍ରହ୍ମ ବା ଆତ୍ମା। ଏହା ବ୍ୟତୀତ ଅନ୍ୟ ଯେତେ ସାଂସାରିକ ବସ୍ତୁ , ସେ ସମସ୍ତ ଅନିତ୍ୟ । ଯଥା:- ସମସ୍ତ ଭୌତିକ ପଦାର୍ଥ, ଶରୀର, ମନ, ଧନସମ୍ପତ୍ତି ଓ ସୁଖ-ଦୁଃଖର ଅନୁଭୂତି, ଯାହା ସମୟ ଅନୁସାରେ ପରିବର୍ତ୍ତନଶୀଳ ଏବଂ ନଷ୍ଟ ହୋଇଥାଏ। ଯେତେବେଳେ ଜଣେ ସାଧକ ନିଜର ବୁଦ୍ଧି ଦ୍ୱାରା ନିତ୍ୟ ଏବଂ ଅନିତ୍ୟ ମଧ୍ୟରେ ଥିବା ପ୍ରଭେଦକୁ ସ୍ପଷ୍ଟ ଭାବେ ବୁଝିପାରେ, ସେତେବେଳେ ତା’ର ବିବେକ ଜାଗ୍ରତ ହୋଇଥାଏ। ଏହି ଜାଗ୍ରତ ଅବସ୍ଥା ହିଁ ବିବେକବାନ୍ ସାଧକର ସାଧନାର ପ୍ରଥମ ସୋପାନ। ଦ୍ୱିତୀୟଟି ହେଉଛି ଇହାମୁତ୍ରାର୍ଥ ଫଳ ଭୋଗ ବିରାଗ ବା ବୈରାଗ୍ୟ। ଆମେ ସମସ୍ତେ ଜାଣିଛେ, ବିବେକରୁ ହିଁ ବୈରାଗ୍ୟ ଜନ୍ମ ନେଇଥାଏ। ଯେତେବେଳେ ସାଧକ ଜାଣିପାରେ ଯେ ଇହଲୋକ (ସଂସାର)ର ସମସ୍ତ ସୁଖ ଅନିତ୍ୟ ଓ ଦୁଃଖଦାୟକ, ସେତେବେଳେ ତାର ଭୌତିକ ସୁଖ ଯଥା:- ଧନ, ସମ୍ପତ୍ତି, ଯଶ, କ୍ଷମତା ଏବଂ ଶାରୀରିକ ସୁଖ ପ୍ରତି ଆସକ୍ତି ଭାବ ରହେନାହିଁ ଏଵଂ ପରଲୋକ (ସ୍ୱର୍ଗଲୋକ ବା ଅନ୍ୟ ଉଚ୍ଚତର)ର ଲୋକର ଭୋଗର ଇଚ୍ଛା ମଧ୍ୟ ରହେନାହିଁ। ଏହାହିଁ ପ୍ରକୃତ ବୈରାଗ୍ୟ। ସାଧାରଣତଃ ଲୋକେ ଭାବନ୍ତି ବୈରାଗ୍ୟର ଅର୍ଥ ସଂସାର ଛାଡ଼ି ଜଙ୍ଗଲକୁ ପଳାଇବା, ଏହା ଠିକ୍ ନୁହେଁ, ବରଂ ସଂସାରରେ ରହି କୌଣସି ଵିଷୟ ପ୍ରତି ମାନସିକ ଆସକ୍ତି ବା ମୋହ ନ ରଖିବା। ଏହା ହିଁ ପ୍ରକୃତ ଆନ୍ତରିକ ସ୍ଥିତି। ତୃତୀୟଟି ହେଉଛି ଷଟ୍-ସମ୍ପତ୍ତି ବା ଛଅଟି ଆଧ୍ୟାତ୍ମିକ ଗୁଣ। ଯାହା ସାଧନ ଚତୁଷ୍ଟୟର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ମାନସିକ ଅନୁଶାସନର ଛଅଟି ମୁଖ୍ୟ ସମ୍ପଦକୁ ବୁଝାଏ, ଯଥା:- ଶମ, ଦମ, ଉପରତି, ତିତିକ୍ଷା, ଶ୍ରଦ୍ଧା ଓ ସମାଧାନ। ଏଥି ମଧ୍ୟରୁ ଯେ, ବାହ୍ୟ ବିଷୟଗୁଡ଼ିକରୁ ମନକୁ ଆଣି ନିଜ ଭିତରେ ବା ଲକ୍ଷ୍ୟ ସ୍ଥଳରେ ସ୍ଥିର ରଖିବାକୁ ସକ୍ଷମ ସେ ‘ଶମ’ କୁହାଯାଏ। ଏହା ମାନସିକ ଚଞ୍ଚଳତାକୁ ଦୂର କରେ। ସେହିପରି ଯେ ବାହ୍ୟ ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟକୁ କୁପଥରୁ ନିବୃତ୍ତ କରି ସଂଯମ ରଖିବାରେ ସକ୍ଷମ ତା’କୁ ‘ଦମ’ କୁହାଯାଏ। ସେଭଳି ସାଂସାରିକ କର୍ମ ଓ ବାହ୍ୟ ଜଗତର ଆକର୍ଷଣରୁ ନିଜକୁ ସ୍ୱାଭାବିକ ଭାବେ ଦୂରେଇ ରଖିବା ଏବଂ କର୍ତ୍ତବ୍ୟ କର୍ମକୁ ନିଷ୍କାମ ଭାବେ କରିବା ନାମ ଉପରତି। ସଂସାରରେ ଆସୁଥିବା ସମସ୍ତ ପ୍ରକାର ଦ୍ୱନ୍ଦ୍ୱ ଯଥା :- ସୁଖ-ଦୁଃଖ, ଶୀତ-ଉଷ୍ଣ ଓ ମାନ-ଅପମାନକୁ ବିନା କୌଣସି ଅଭିଯୋଗରେ ସହ୍ୟ କରିବାର କ୍ଷମତାକୁ ତିତିକ୍ଷା କୁହାଯାଏ। ଗୁରୁ ଏବଂ ବେଦାନ୍ତ ଶାସ୍ତ୍ରର ବାକ୍ୟ ଉପରେ ସମ୍ପୂର୍ଣ୍ଣ ଓ ନିର୍ମଳ ବିଶ୍ୱାସ ରଖିବାର ନାମ ଶ୍ରଦ୍ଧା। କାରଣ ଶ୍ରଦ୍ଧା ବିନା ଆଧ୍ୟାତ୍ମିକ ଜ୍ଞାନର ଗଭୀରତାକୁ ବୁଝିବା ଅସମ୍ଭବ। ମନକୁ ସଦାସର୍ବଦା କେବଳ ଈଶ୍ୱର ବା ଆତ୍ମତତ୍ତ୍ୱରେ ଏକାଗ୍ର କରି ରଖିବାକୁ ସମାଧାନ କୁହାଯାଏ, ଯାହା ଦ୍ୱାରା ମନ ଅଯଥା ଚିନ୍ତାରୁ ମୁକ୍ତ ରହିପାରେ। ମୁମୁକ୍ଷୁତ୍ୱ (ମୁକ୍ତିର ତୀବ୍ର ଇଚ୍ଛା) ହେଉଛି ସାଧନ ଚତୁଷ୍ଟୟର ଚତୁର୍ଥ ତଥା ଚୂଡ଼ାନ୍ତ ସାଧନ। ଯାହା ସଂସାରର ଜନ୍ମ-ମୃତ୍ୟୁ ଏବଂ ସମସ୍ତ ପ୍ରକାର ଦୁଃଖ-କଷ୍ଟରୁ ମୁକ୍ତି ପାଇଁ ଚିରନ୍ତନ ଆନନ୍ଦ (ମୋକ୍ଷ) ଲାଭ କରିବା ପାଇଁ ଯେ ବ୍ୟାକୁଳତା ବା ତୀବ୍ର ଇଚ୍ଛା ଜାଗ୍ରତ କରାଏ। ଉଦାହରଣ ସ୍ୱରୂପ ଯେପରି ଜଣେ ବ୍ୟକ୍ତିର ମୁଣ୍ଡରେ ନିଆଁ ଲାଗିଗଲେ ସେ ପାଣି ପାଇଁ ବ୍ୟାକୁଳ ହୋଇଉଠେ, ଠିକ୍ ସେହିପରି ସଂସାରର ବନ୍ଧନରୁ ମୁକ୍ତ ହେବା ପାଇଁ ସାଧକର ମନରେ ତୀବ୍ର ବ୍ୟାକୁଳତା ରହିଥାଏ। ଏହି ଇଚ୍ଛା ଅନ୍ୟ ସମସ୍ତ ସାଂସାରିକ ଇଚ୍ଛାକୁ ଶେଷ କରିଦିଏ। ସାଧନ ଚତୁଷ୍ଟୟକୁ କେବଳ ଏକ ସାଧାରଣ ନିୟମ ଭାବେ ନିଆଯାଏ ନାହିଁ, ବରଂ ଏହା ଚିତ୍ତଶୁଦ୍ଧି (ମନ ପବିତ୍ର କରିବା) ର ମୂଳଦୁଆ। ଏହି ଚାରୋଟି ଗୁଣ ଯେଉଁ ସାଧକ ପାଖରେ ଥାଏ, ସେ ହିଁ ‘ଅଧିକାରୀ ସାଧକ’ ପଦବାଚ୍ୟ ହୁଏ। ଏହି ପ୍ରସ୍ତୁତି ପରେ ହିଁ ସାଧକ ଯେତେବେଳେ ଗୁରୁଙ୍କଠାରୁ “ତତ୍ ତ୍ୱମ୍ ଅସି” (ତୁମେ ହିଁ ସେହି ବ୍ରହ୍ମ) ଭଳି ମହାବାକ୍ୟ ଶ୍ରବଣ କରେ, ସେତେବେଳେ ତାର ‘ଅହଂ ବ୍ରହ୍ମାସ୍ମି’ (ମୁଁ ହିଁ ବ୍ରହ୍ମ) ର ଆତ୍ମଜ୍ଞାନ ସହଜରେ ଉଦୟ ହୁଏ। ଏହା ହିଁ ଜୀବନର ପରମ ଲକ୍ଷ୍ୟ ବା ମୋକ୍ଷ। ଯେତେବେଳେ ସାଧକ, ସାଧନ ଚତୁଷ୍ଟୟର ଅଧିକାରୀ ହୋଇଯାଏ, ସେତେବେଳେ ସେ ଆତ୍ମଜ୍ଞାନ ପ୍ରାପ୍ତିର ପ୍ରକ୍ରିୟା ଆରମ୍ଭ କରିଥାଏ। ଯାହାକୁ ଶ୍ରବଣ, ମନନ ଓ ନିଦିଧ୍ୟାସନ ବୋଲି କୁହାଯାଏ। ଯାହାକୁ ପାଇବା ପାଇଁ ସାଧକ, ସେ ଏକ ସଦ୍‌ଗୁରୁଙ୍କ ଶରଣାପନ୍ନ ହୋଇଥାଏ। ସେଠାରେ ଗୁରୁଙ୍କ ସାନ୍ନିଧ୍ୟରେ ରହି ଚାରିଗୋଟି ବେଦର ଚାରୋଟି ମହାଵାକ୍ୟ ଯଥା :- ଋଗ୍‌ବେଦର ଐତରେୟ ଉପନିଷଦରୁ ନିଆଯାଇଥିବା “ପ୍ରଜ୍ଞାନଂ ବ୍ରହ୍ମ”, ଯାହାର ଅର୍ଥ ଚେତନା ହିଁ ବ୍ରହ୍ମ ଅଟେ। ସେଭଳି ଯଜୁର୍ବେଦର ବୃହଦାରଣ୍ୟକ ଉପନିଷଦରୁ ଆସିଥିବା “ଅହଂ ବ୍ରହ୍ମାସ୍ମି”, ଅର୍ଥାତ୍ : ମୁଁ ହିଁ ବ୍ରହ୍ମ ବା ମୋ ଭିତରେ ଥିବା ଆତ୍ମା ହିଁ ପରମାତ୍ମା ଅଟନ୍ତି। ସେପରି ସାମବେଦର ଛାନ୍ଦୋଗ୍ୟ ଉପନିଷଦରୁ ନିଆଯାଇଥିବା “ତତ୍ତ୍ଵମସି”, ଯାହାର ଅର୍ଥ ସେହି ହିଁ ତୁମେ , ସେହି ପରମ ସତ୍ୟ ବା ବ୍ରହ୍ମ ତୁମେ ହିଁ ନିଜେ ଅଟ ଏବଂ ଅଥର୍ବବେଦର ମାଣ୍ଡୁକ୍ୟ ଉପନିଷଦରୁ ଆସିଥିବା “ଅୟମ୍ ଆତ୍ମା ବ୍ରହ୍ମ”, ଅର୍ଥାତ୍ ଏହି ଆତ୍ମା ହିଁ ବ୍ରହ୍ମ ଅଟନ୍ତି। ଏହିପରି ଗୋଟି ଗୋଟି କରି ମହାବାକ୍ୟକୁ ଶୁଣିବା ଏବଂ ତାହାର ପ୍ରକୃତ ଅର୍ଥକୁ ବୁଝିବା ନାମ ଶ୍ରବଣ କୁହାଯାଏ। ଯେଉଁ ମହାବାକ୍ୟକୁ ବା ଜ୍ଞାନକୁ ଶ୍ରବଣ କରାଗଲା ପରେ, ତାହାକୁ ନିଜ ବୁଦ୍ଧି ଦ୍ୱାରା ଚିନ୍ତନ ଓ ମନ୍ଥନ କରିବାକୁ ମନନ ଏବଂ ନିଜେ ସନ୍ଦେହ ମୁକ୍ତ ହେବା ପରେ, ସେହି ଆତ୍ମତତ୍ତ୍ୱ ଉପରେ ନିରନ୍ତର ଗଭୀର ଧ୍ୟାନ କରିବା ନାମ ନିଦିଧ୍ୟାସନ। ଏହି ଅବସ୍ଥାରେ ‘ମୁଁ ଶରୀର ନୁହେଁ, ମୁଁ ଶୁଦ୍ଧ ଚୈତନ୍ୟ ଆତ୍ମା’। ଏପରି ଅନୁଭୂତି ଶେଷରେ ସାଧକର ଅନ୍ତରରେ ଦୃଢ଼ ହୋଇଯାଏ । ସାଧନ ଚତୁଷ୍ଟୟ କେବଳ ସାଧାରଣ ନୀତିଶିକ୍ଷା ନୁହେଁ, ଏହା ହେଉଛି ମନର ସମ୍ପୂର୍ଣ୍ଣ ରୂପାନ୍ତରଣ। ସେଭଳି ଆତ୍ମଜ୍ଞାନ କୌଣସି ନୂତନ ପଦାର୍ଥ ପ୍ରାପ୍ତି କରିବାର ବିଷୟ ନୁହେଁ, ବରଂ ନିଜ ଭିତରେ ପୂର୍ବରୁ ଥିବା ସ୍ୱରୂପକୁ ଚିହ୍ନିବା। ଅଜ୍ଞାନତା ଯୋଗୁଁ ଆମେ ନିଜକୁ ଦୁଃଖୀ, ଗରିବ ବା କ୍ଷଣସ୍ଥାୟୀ ଜୀବ ମନେକରୁ । କିନ୍ତୁ ଯୋଗ୍ୟତା ଅର୍ଜନ କରିବା ପରେ ଅଜ୍ଞାନର ପରଦା ହଟିଯାଏ । ଏହି ଯୋଗ୍ୟତା ହିଁ ମଣିଷକୁ ପଶୁତ୍ୱରୁ ଦେବତ୍ୱ ଏବଂ ଜୀବଭାବରୁ ବ୍ରହ୍ମଭାବ ଆଡକୁ ଅଗ୍ରସର କରିଥାଏ। ତେଣୁ, ଅଦ୍ୱୈତ ବେଦାନ୍ତର ପରମ ସତ୍ୟକୁ ଅନୁଭବ କରିବାକୁ ହେଲେ ପ୍ରଥମେ ନିଜ ଭିତରେ ଥିବା ଏହି ଆଧ୍ୟାତ୍ମିକ ଯୋଗ୍ୟତାକୁ ସୃଷ୍ଟି କରିବା ପ୍ରତ୍ୟେକ ଜିଜ୍ଞାସୁର ଆଦ୍ୟ କର୍ତ୍ତବ୍ୟ ହେବା ବିଦେହ । ବରିଷ୍ଠ ଦର୍ଶନ ଅଧ୍ୟାପକ ସଂସ୍କୃତ ମହାବିଦ୍ୟାଳୟ କବିସୂର୍ଯ୍ୟ ନଗର, ଗଞ୍ଜାମ। ୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ