ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାରେ ରହିଛି ୪୦ ଆମ୍ବୁଲାନ୍ସ, ଜରୁରୀ ସମୟରେ ମିଳୁନି ସେବା
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପାଇଁ ୪୦ଟି ଆମ୍ବୁଲାନ୍ସ ସରକାର ଯୋଗାଇ ଦେଇଛନ୍ତି । ହେଲେ ଜରୁରୀ ସମୟରେ ରୋଗୀଙ୍କୁ ସେବା ମିଳୁନାହିଁ । ଏହାଦ୍ୱାରା ଅଧିକ ଚିକିସôା ନିମନ୍ତେ ରୋଗୀମାନେ କଟକ, ଭୁବନେଶ୍ୱର ପ୍ରଭୃତି ସ୍ଥାନକୁ ଯିବାରେ ସମସ୍ୟାରେ ପଡୁଛନ୍ତି । ଏହି ପରିସ୍ଥିତିର ଫାଇଦା ଉଠାଉଛନ୍ତି ଘରୋଇ ଆମ୍ବୁଲାନ୍ସ ମାଲିକମାନେ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ୁଖରେ ପ୍ରତିଦିନ ୨୦ରୁ ଅଧିକ କାର ଛିଡା ହେଉଛି । ଏହି କାରଗୁଡିକ ଆମ୍ବୁଲାନ୍ସ ସେବା ଯୋଗାଉଛି ବୋଲି କାରଗୁଡିକରେ ବୋର୍ଡ ମରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରତିଦିନ ବହୁ ରୋଗୀ କଟକ, ଭୁବନେଶ୍ୱରକୁ ଉନ୍ନତ ଧରଣର ଚିକିତ୍ସା ପାଇଁ ରେଫର ହୋଇଥାନ୍ତି । କିନ୍ତୁ ରେଫର ସମୟରେ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ମିଳୁନାହିଁ । ରୋଗୀଙ୍କୁ କୁହାଯାଉଛି ତୁମେ ନିଜେ ଏକ ଟୋଲ ଫ୍ରି ନମ୍ବରକୁ ଯୋଗାଯୋଗ କର । ଗ୍ରାମାଞ୍ଚଳରୁ ଆସୁଥିବା ଗରିବ ଓ ଅର୍ଦ୍ଧଶିଖିତ ଲୋକମାନେ ଏହା କରିବା ପାଇଁ ସକ୍ଷମ ହେଉନାହାଁନ୍ତି । କାରଣ ସେମାନେ ଟୋଲ ଫ୍ରି ନମ୍ବରକୁ କଲ କରି ଆମ୍ବୁଲାନ୍ସ ବୁକ କରିବା ସମ୍ଭବ ହେଉନାହିଁ । ଏହି ସମୟରେ ଡାକ୍ତରଖାନାରେ ହାବୁଡି ଯାଉଛନ୍ତି ଘରୋଇ ଆମ୍ବୁଲାନ୍ସର ଦଲାଲମାନେ । ସେମାନେ ତୁରନ୍ତ ସେବା ଯୋଗାଇବେ ବୋଲି କହୁଛନ୍ତି । ଫଳରେ ଗୁରୁତର ରୋଗୀଙ୍କୁ ତୁରନ୍ତ କଟକ କି ଭୁବନେଶ୍ୱର ରେଫର କରିବା ପାଇଁ ଲୋକେ ବାଧ୍ୟ ହୋଇ ଘରୋଇ ଆମ୍ବୁଲାନ୍ସର ସହାୟତା ନେଉଛନ୍ତି । ହେଲେ ଏଥି ପାଇଁ ଘରୋଇ ଆମ୍ବୁଲାନ୍ସ ୫ ହଜାର ଟଙ୍କା ଚାର୍ଜ କରୁଛନ୍ତି । ଫଳରେ ଗରିବ ରୋଗୀମାନେ ନାହିଁ ନ ଥିବା ସମସ୍ୟାରେ ପଡୁଛନ୍ତି । ସେହିପରି ଯଦି କୌଣସି ବ୍ୟକ୍ତି ଏହି ଟୋଲ ଫ୍ରି ନମ୍ବରରେ କଲ କରି ଆମ୍ବୁଲାନ୍ସ ବୁକ କରୁଛନ୍ତି ତେବେ ସେପଟୁ ଉତ୍ତର ମିଳୁଛି ଆମ୍ବୁଲାନ୍ସ ନାହିଁ ଅପେକ୍ଷା କରିବକୁ ପଡିବ । କିନ୍ତୁ ବାସ୍ତବରେ ଡାକ୍ତରଖାନାରେ ୫ରୁ ୬ ଆମ୍ବୁଲାନ୍ସ ଥୁଆ ହୋଇଥିବ । ହେଲେ ଗୁରୁତର ରୋଗୀଙ୍କୁ ନେବା ପାଇଁ ସୁଯୋଗ ଦିଆଯାଉନାହିଁ । ଗୋଟିଏ ପଟେ ରୋଗୀ ଗୁରୁତର ଥିବାରୁ ଲୋକେ ଆମ୍ବୁଲାନ୍ସ ଆସିବ କେଉଁଠୁ ସେ ଚକ୍କରରେ ନ ପଡି ଘରୋଇ ଆମ୍ବୁଲାନ୍ସ ଦ୍ୱାରା ରୋଗୀଙ୍କୁ କଟକ କି ଭୁବନେଶ୍ୱର ନେଇ ଚିକିତ୍ସା କରୁଛନ୍ତି । ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି । ଜଣେ ସମାଜସେବୀ ରମଣୀରଞ୍ଜନ ରାଉତରାୟ କହିଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡଗୁଳ ଗ୍ରାମର ଚିତ୍ତରଞ୍ଜନ ବାରିକଙ୍କ ହାତ ଭାଙ୍ଗି ଯାଇଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ । ତେଣୁ ତାଙ୍କ ପରିବାର ଲୋକେ ଚିତ୍ତରଞ୍ଜନଙ୍କୁ କଟକ ନେବା ପାଇଁ ଆମ୍ବୁଲାନ୍ସ ଖୋଜିଥିଲେ । ଏଥିରେ ଡାକ୍ତରଖାନା କର୍ମଚାରୀ କେହି ସହଯୋଗ କରି ନଥିଲେ । ରୋଗୀଙ୍କ ପରିବାରକୁ କୁହାଗଲା ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କଲେ ଆମ୍ବୁଲାନ୍ସ ବୁକିଂ ହେବ । ଫଳରେ ପରିବାର ଲୋକେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିଥିଲେ । ଏହି ସମୟରେ ଡାକ୍ତରଖାନାରେ ୫ଟି ଆମ୍ବୁଲାନ୍ସ ଥିଲା । କିନ୍ତୁ ଚିତ୍ତରଞ୍ଜନଙ୍କ ପରିବାର ସଦସ୍ୟଙ୍କୁ କୁହାଗଲା ମହାକାଳପଡ଼ାରୁ ଆମ୍ବୁଲାନ୍ସ ଆସିଲେ ରୋଗୀ କଟକ ସ୍ଥାନାନ୍ତର ହେବ । ଏହାଦ୍ୱରା ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇଥିଲେ । ଗୋଟିଏ ପଟେ ଆମ୍ବୁଲାନ୍ସ ଥୁଆ ହୋଇଛି । ଅନ୍ୟ ପଟେ ରୋଗୀଙ୍କୁ ନାକେଦମ କରାଯାଉଛି । ଏହି ଘଟଣା ପାଇଁ ସରକାର ବଦନାମ ହେଉଛନ୍ତି ବୋଲି ଶ୍ରୀ ରାଉତରାୟ କହିଛନ୍ତି । ସେହିପରି ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡ଼ା କହିଛନ୍ତି ସରକାର ଡାକ୍ତରଖାନାକୁ ଯେଉଁ ସବୁ ସୁବିଧା ଯୋଗାଇ ଦେଉଛନ୍ତି ସେଗୁଡିକ ରୋଗୀଙ୍କ ସେବାରେ ଲାଗିବା ଉଚିତ । ହେଲେ ଡାକ୍ତରଖାନାରେ କେତେକ ଅସାଧୁ କର୍ମଚାରୀ ଅଛନ୍ତି ଯେଉଁମାନଙ୍କ ପାଇଁ ରୋଗୀମାନେ ହଇରାଣ ହରକତ ହେଉଛନ୍ତି । ଏହାଦ୍ୱାରା ଅଯଥାରେ ସରକାର ବଦନାମ ହେଉଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଏକଶହ କୋଟି ଟଙ୍କା ବ୍ୟୟ କରାଯାଇ ବିରାଟ ଡାକ୍ତରଖାନା ନିର୍ମାଣ କରାଗଲା । ହେଲେ ଏଠାରେ ଯଦି ସାମାନ୍ୟ ଆମ୍ବୁଲାନ୍ସ ସେବାରେ ଏତେ ହଇରାଣ ହରକତ କରାଯାଉଛି ତାହା ହେଲେ କେଉଁ ସ୍ୱାର୍ଥରେ ଡାକ୍ତରଖାନା ନିର୍ମାଣ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ସଂକ୍ରାନ୍ତରେ ହସପିଟାର ସୁପରିଟେଣ୍ଡେଣ୍ଟ ଡା. କିଶୋର ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ସରକାର ଏହିପରି ବ୍ୟବସ୍ଥା କରିଛନ୍ତି ।


