ସୁଗେର୍‍ ଇଣ୍ଡାଷ୍ଟ୍ରିଜ୍‍ ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଦାବୀ

ଆସିକା (ୱାଇଏନ୍‍ଏସ୍‍) :ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଠପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁ ଗ୍ରାମରେ ଥିବା ପୂର୍ଣ୍ଣ ଅନୁଦାନପ୍ରାପ୍ତ ଆସିକା ସୁଗେର୍‍ ଇଣ୍ଡାଷ୍ଟ୍ରିଜ୍‍ ଉଚ୍ଚବିଦ୍ୟାଳୟକୁ ଅତୀତରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇ ଗତ ୨୦୨୪ ମସିହା ଜାନୁୟାରୀ ମାସ ୧୧ ତାରିଖରେ ଲୋକାର୍ପଣ କରାଯାଇଥିଲା। ଗୁଣାତ୍ମକ ଶିକ୍ଷାର ବାତାବରଣ ସୃଷ୍ଟି ପାଇଁ ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ ହାଇସ୍କୁଲରେ ରୂପାନ୍ତରଣ କରାଯାଇଥିଲା । ଯେଉଁଠି ଇ. ପାଠାଗାର ସମେତ ସ୍ମାର୍ଟ କ୍ଳାସ୍‌ରୁମ୍‌, କ୍ରୀଡା, କମ୍ପ୍ୟୁଟର୍ ରୁମ୍‌, ଅତ୍ୟାଧୁନିକ ବିଜ୍ଞାନାଗାର, ରିଡିଙ୍ଗ ରୁମ୍‌, ପାନୀୟ ଜଳ, ସ୍ମାର୍ଟ ଶୌଚାଳୟ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ହୋଇଛି । ଅତୀତରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ବିଦ୍ୟାଳୟର ଆଧୁନିକୀକରଣ ହୋଇସାରିଛି । ୧୯୮୪ମସିହାରେ ସ୍ଥାପିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ ଚିନିଶିଳ୍ପ ନୁଆଗାଁ ଗ୍ରାମରେ ଥିବା ପୂର୍ଣ୍ଣ ଅନୁଦାନପ୍ରାପ୍ତ ଆସିକା ସୁଗେର୍‍ ଇଣ୍ଡାଷ୍ଟ୍ରିଜ୍‍ ଉଚ୍ଚବିଦ୍ୟାଳୟରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷରେ ନବମରୁ ଦଶମ ଶ୍ରେଣୀରେ ପ୍ରାୟ ୪୮ଜଣ ବିଦ୍ୟାର୍ଥୀ ପାଠପଢୁଥିବା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଟାନରେ କଳା, ସଂସ୍କୃତ, ଖେଳ, କିରାଣୀ, କମ୍ପ୍ୟୁଟର ଶିକ୍ଷକ, ବିଜ୍ଞାନ ସହାୟକ, ପିଅନ, ରାତ୍ରଜଗୁଆଳ ପଦବୀ ଖାଲି ପଡିଥିଲା ବେଳେ ସେ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଆବଶ୍ୟକୀୟ ଶିକ୍ଷକ ନଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ଯୁଗପୋଯୋଗୀ ଓ ଅଧୁନିକ ଶିକ୍ଷା କିପରି ପାଇବେ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟ ସରକାର ଶିକ୍ଷାବିଭାଗ ପାଇଁ ଆଣୁଥିବା ବହୁ ପ୍ରକାର ପ୍ରୟାସକୁ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି। ସୁଗେର୍‍ ଇଣ୍ଡାଷ୍ଟ୍ରିଜ୍‍ ଉଚ୍ଚବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟଙ୍କ ପ୍ରେରଣା ଏବଂ ମାର୍ଗଦର୍ଶନ ସାଙ୍ଗକୁ ଅନ୍ୟ ଶିକ୍ଷକମାନଙ୍କ ଉନ୍ନତମାନର ଶିକ୍ଷାଦାନ ଶୈଳୀ ଯୋଗୁଁ ବହୁ ମେଧାବୀ ଛାତ୍ରଛାତ୍ରୀ ସଫଳତାର ସହ ପାସ୍‍ ହେଉଥିବା ନଜିର୍‍ ରହିଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସାଙ୍ଗକୁ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ତେବେ ଶିକ୍ଷାବିଭାଗର ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ବ୍ଳକ ଅନ୍ତର୍ଗତ ଚିନିଶିଳ୍ପ ନୁଆଗାଁ ଗ୍ରାମରେ ଥିବା ସୁଗେର୍‍ ଇଣ୍ଡାଷ୍ଟ୍ରିଜ୍‍ ଉଚ୍ଚବିଦ୍ୟାଳୟରେ ସରକାରୀ ଯୋଜନା ବାଟବଣା ହୋଇଯାଇଥିବା ଚର୍ଚ୍ଚା ହେଉଛି । ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତି ଭୂମୀ ବୃଦ୍ଧି କରିବା ସହ ଉତ୍ତମ ଜ୍ଞାନ କୌଶଳରେ ପିଲାଙ୍କୁ ପାଠ ପଢାଇବାର ମହତ୍ ଉଦ୍ଦେଶ୍ୟ ରଖି ଅତୀତରେ ରାଜ୍ୟ ସରକାର ପ୍ରଚଳନ କରିଥିଲେ ରୂପାନ୍ତରିତ ୫-ଟି ବିଦ୍ୟାଳୟ। ଆସିକା ବ୍ଳକ ଓ ପୌର ପରିଷଦ ଅନ୍ତର୍ଗତ ୩୩ଟି ଉଭୟ ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟକୁ ଅତୀତରେ ଏହି ଯୋଜନାରେ ସାମିଲ କରାଯାଇଥିଲା। ସରକାର ୫-ଟି ଅଧିନରେ କେତେକ ଉଚ୍ଚ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ସ୍ମାର୍ଟ କରିବା ସହ ରୂପରେଖ ବଦଳାଇଥିଲେ। ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଆସିକା ସୁଗେର୍‍ ଇଣ୍ଡାଷ୍ଟ୍ରିଜ୍‍ ଉଚ୍ଚବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ସାଙ୍ଗକୁ ଅନ୍ୟାନ୍ୟ ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ