ଭଗବାନପୁରରେ ପ୍ରସ୍ତୁତି:ଜନ ଶୁଣାଣି ପୂର୍ବରୁ ସ୍ଥାନ ବଦଳ
ଧାମନଗର(ଓ୍ବାଇଏନଏସ): ଜନ ଶୁଣାଣି ପାଇଁ ପ୍ରସ୍ତୁତି ସରିଥିଲା। ସୂଚନା ମଧ୍ୟ ପହଞ୍ଚିଥିଲା ଲୋକଙ୍କ ନିକଟରେ। ମାତ୍ର ଶୁଣାଣିକୁ ଆଉ ତିନି ଦିନ ବାକି ଥିବାବେଳେ ବଦଳିଗଲା ସ୍ଥାନ। ଭଗବାନପୁର ପଞ୍ଚାୟତ ପରିବର୍ତ୍ତେ ଏବେ ଅସୁରାଳି ପଞ୍ଚାୟତରେ ଆସନ୍ତା ୨୧ ତାରିଖରେ ହେବ ଯୁଗ୍ମ ଜନ ଶୁଣାଣି। ଶେଷ ମୁହୂର୍ତ୍ତରେ ଏଭଳି ସ୍ଥାନ ପରିବର୍ତ୍ତନକୁ ନେଇ ଭଗବାନପୁରରେ ଜନ ଅସନ୍ତୋଷ ଦେଖାଦେଇଛି।ସୂଚନା ଅନୁସାରେ, ସେପ୍ଟେମ୍ବର ୧୧ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତ୍ର ନଂ. ୧୦୩୯ ଜାରି ହୋଇଥିଲା। ଏଥିରେ ସେପ୍ଟେମ୍ବର ୨୧ରେ ଭଗବାନପୁର ପଞ୍ଚାୟତରେ ଯୁଗ୍ମ ଜନ ଶୁଣାଣି ହେବ ବୋଲି ସୂଚନା ଦିଆଯାଇଥିଲା। ଏହାପରେ ପଞ୍ଚାୟତର ୧୫ଟି ୱାର୍ଡର ଲୋକଙ୍କୁ ନିଜ ଅଭିଯୋଗ ନେଇ ଶୁଣାଣିରେ ଯୋଗଦେବାକୁ ସୂଚିତ କରାଯାଇଥିଲା। ଶୁଣାଣିକୁ ଦୃଷ୍ଟିରେ ରଖି ଭଗବାନପୁର ପଞ୍ଚାୟତ ପରିସରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଫେଇ, ବ୍ଲିଚିଂ, ରଙ୍ଗ କରିବା ସହ ଶୌଚାଳୟ ଓ ଅନ୍ୟାନ୍ୟ ବ୍ୟବସ୍ଥାର ମରାମତି କରାଯାଇଥିଲା। ଏପରି ସମୟରେ ଗୁରୁବାର ଧାମନଗର ବିଡିଓଙ୍କ ପକ୍ଷରୁ ପତ୍ର ନଂ ୪୨୧୪ ଜାରି କରାଯାଇ ଶୁଣାଣି ସ୍ଥାନକୁ ଅସୁରାଳିକୁ ପରିବର୍ତ୍ତନ କରାଯାଇଛି।ଏହି ସ୍ଥାନ ପରିବର୍ତ୍ତନକୁ ନେଇ ଭଗବାନପୁର ପଞ୍ଚାୟତର ସମିତି ସଭ୍ୟ ସୁଦୀପ୍ତ ଖଟୁଆ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବାନୁସାରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ଥାନ ନିର୍ଦ୍ଧାରଣ ହେବା ପରେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହାକୁ ବଦଳାଇବାର ଆବଶ୍ୟକତା କ’ଣ ପଡ଼ିଲା, ତାହା ପ୍ରଶାସନ ସ୍ପଷ୍ଟ କରିବା ଦରକାର। ସ୍ଥାନ ପରିବର୍ତ୍ତନ ପଛରେ କୌଣସି ନିର୍ଦ୍ଦେଶ କିମ୍ବା ଚାପ ରହିଛି କି ନାହିଁ, ସେ ନେଇ ମଧ୍ୟ ସ୍ପଷ୍ଟତା ଆବଶ୍ୟକ ବୋଲି ସେ କହିଛନ୍ତି।ଶ୍ରୀ ଖଟୁଆଙ୍କ ଅଭିଯୋଗ, ଭଗବାନପୁର ପଞ୍ଚାୟତ ପ୍ରତି ଅବହେଳା ନେଇ ଲୋକଙ୍କ ମଧ୍ୟରେ ପୂର୍ବରୁ ଅସନ୍ତୋଷ ରହିଛି। ଏଭଳି ସ୍ଥିତିରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ନିର୍ଦ୍ଧାରିତ ଏକ ସରକାରୀ କାର୍ଯ୍ୟକ୍ରମର ସ୍ଥାନ ଶେଷ ସମୟରେ ବଦଳିବା ଘଟଣା ସ୍ୱାଭାବିକ ଭାବେ ପ୍ରଶ୍ନ ସୃଷ୍ଟି କରିଛି। ଏହାର କାରଣ ଭଗବାନପୁରବାସୀଙ୍କ ସମ୍ମୁଖରେ ପ୍ରଶାସନ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।ତେବେ ଭଗବାନପୁରରୁ ଅସୁରାଳିକୁ ଜନ ଶୁଣାଣି ସ୍ଥାନାନ୍ତର ପଛରେ ପ୍ରକୃତ କାରଣ କ’ଣ,ସେ ସମ୍ପର୍କରେ ଧାମନଗର ବ୍ଲକ ପ୍ରଶାସନ ସହ ଯୋଗାଯୋଗ କଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।


