ଅବ୍ୟବସ୍ଥାର ଘେରରେ କୋଦଳା ବସଷ୍ଟାଣ୍ଡ
କୋଦଳା,(ବାପୁନି କୁମାର ମାଲୁ) : ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ କୋଦଳା ବସଷ୍ଟାଣ୍ଡରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଯାତ୍ରୀଙ୍କ ପାଇଁ ଥିବା ମୌଳିକ ସୁବିଧାଗୁଡ଼ିକ ଅଚଳ ହୋଇପଡ଼ିଥିବା ବେଳେ ଏହାର ରକ୍ଷଣାବେକ୍ଷଣକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ । ବସଷ୍ଟାଣ୍ଡରେ ଥିବା ପାନୀୟ ଜଳ ମେସିନ୍ ଆକ୍ୱାଗାର୍ଡ ଦୀର୍ଘଦିନ ଧରି ଅଚଳ ଥିବା ଅଭିଯୋଗ ହୋଇଛି। ଯାତ୍ରୀଙ୍କ ପାଇଁ ପିଇବା ପାଣିର ସୁବିଧା ନଥିବା ବେଳେ, ବସିବା ପାଇଁ ଥିବା କିଛି ଚୌକି ଗୁଡ଼ିକ ଭାଙ୍ଗିଯାଇଛି। ଆଉ ଯେଉଁଠି ଯାତ୍ରୀଙ୍କୁ ଆଶ୍ୱସ୍ତ କରିବା ପାଇଁ ଫ୍ୟାନ୍ ରହିଛି, ସେଠାରେ ଅନେକ ଫ୍ୟାନ୍ ମଧ୍ୟ ବୁଲୁନଥିବା ଅଭିଯୋଗ ରହିଛି । ସୁଲଭ ଶୌଚାଳୟରେ ତାଲା ପକାଇ ବନ୍ଦ କରାଯାଇଥିବା ବେଳେ ସବୁଠାରୁ ଚିନ୍ତାଜନକ ଅବସ୍ଥା ସାଧାରଣ ପରିସ୍ରାଗାରର । ପରିସ୍ରାଗାର ଭିତରୁ ଆସୁଥିବା ଦୁର୍ଗନ୍ଧରେ ଯାତ୍ରୀ ଅତିଷ୍ଠ ହେଉଛନ୍ତି । ପରିମଳ ବ୍ୟବସ୍ଥା ଏତେ ଦୁର୍ବଳ ଯେ, ସତେ ଯେମିତି ଯାତ୍ରୀଙ୍କୁ ସୁବିଧା ନୁହେଁ, ରୋଗ ସଂକ୍ରମଣର ଆଶଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ! କେବଳ ଏତିକି ନୁହେଁ, ଯାତ୍ରୀଙ୍କ ରାତ୍ରି ରହଣି ପାଇଁ ଥିବା ରାତ୍ରି ଆଶ୍ରୟସ୍ଥଳୀର ବ୍ୟବହାର ଓ ରକ୍ଷଣାବେକ୍ଷଣ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏତେ ସବୁ ସମସ୍ୟା ର ପ୍ରଶ୍ନ ଉଠୁଛି, ଯାତ୍ରୀଙ୍କ ମୌଳିକ ସୁବିଧା ପାଇଁ ଦାୟୀ କିଏ? ଏନଏସି କର୍ତ୍ତୃପକ୍ଷଙ୍କ ନଜର କେଉଁଠି? ସରକାରୀ ଅର୍ଥରେ ନିର୍ମିତ ସୁବିଧା ଯଦି ଅଚଳ ହୋଇପଡ଼ିବ ଏବଂ ତାହାର ରକ୍ଷଣାବେକ୍ଷଣ ହେବ ନାହିଁ, ତେବେ ଯାତ୍ରୀଙ୍କ ସୁବିଧା ନାଁରେ ଏସବୁ ବ୍ୟବସ୍ଥା କାହା ପାଇଁ ? ସମସ୍ୟା କେବଳ ଏନ୍ଏସି ପ୍ରଶାସନର ନୁହେଁ, ଲୋକଙ୍କ ଭୋଟରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଦାୟିତ୍ୱକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ । ଲୋକଙ୍କ ଦୈନନ୍ଦିନ ସମସ୍ୟା ସମାଧାନ ପାଇଁ ଲୋକ ପ୍ରତିନିଧି ଥିବାବେଳେ, ବସଷ୍ଟାଣ୍ଡର ଏଭଳି ଅବ୍ୟବସ୍ଥା ଉପରେ କେବେ ପଡ଼ିବ ନଜର ? ଭୋଟ ସମୟରେ ଲୋକଙ୍କ ପାଖରେ ପହଞ୍ଚୁଥିବା ପ୍ରତିନିଧିମାନେ, ଲୋକଙ୍କ ମୌଳିକ ସୁବିଧାର ସମାଧାନ କରୁନାହାନ୍ତି କାହିଁକି ? ଅଚଳ ଆକ୍ୱାଗାର୍ଡ, ଭଙ୍ଗା ଚୌକି, ଅଚଳ ଫ୍ୟାନ୍ ଓ ଦୁର୍ଗନ୍ଧମୟ ପରିସ୍ରାଗାର, ତାଲା ପଡ଼ିଛି ଶୌଚାଳୟ, ଏସବୁ କ’ଣ ଦାୟିତ୍ୱବୋଧର ଚିତ୍ର ? ଏବେ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ଦାବି, କେବଳ ପ୍ରତିଶ୍ରୁତି ନୁହେଁ, ବସଷ୍ଟାଣ୍ଡରେ ଥିବା ସମସ୍ୟାର ସମାଧାନ ଦରକାର। ଏନ୍ଏସି କର୍ତ୍ତୃପକ୍ଷ ଓ ଲୋକ ପ୍ରତିନିଧି ତୁରନ୍ତ ହସ୍ତକ୍ଷେପ କରି ସମସ୍ତ ଅଚଳ ସୁବିଧାକୁ ସଚଳ କରିବାକୁ ଦାବି ହୋଇଛି ।


