ଚିନିଶିଳ୍ପ ନୁଆଗାଁରେ ବରିଷ୍ଠ କଳାକାର ମହାମଞ୍ଚର ବାର୍ଷିକ ସମ୍ମିଳନୀ
ଆସିକା (ୱାଇଏନ୍ଏସ୍) ଆସିକା ଅଞ୍ଚଳର ବିଭିନ୍ନ ବର୍ଗର କଳାକାରମାନଙ୍କୁ ନେଇ ଗଠିତ ମା ଖମ୍ବେଶ୍ୱରୀ ବରିଷ୍ଠ କଳାକାର ମହାମଂଚର ଚତୁର୍ଥ ବାର୍ଷିକ ସମ୍ମିଳନୀ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଚିନିଶିଳ୍ପ ନୁଆଗାଁ ସ୍ଥିତ ମା ଦଣ୍ଡକାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମା ଖମ୍ବେଶ୍ୱରୀ ବରିଷ୍ଠ କଳାକାର ମହାମଂଚର ସଭାପତି ତଥା ବରିଷ୍ଠ ଗାହଣ ସିମାଞ୍ଚଳ ନାହାକ ଓ ସାଧାରଣ ସଂପାଦକ ବୁଦ୍ଧିରାମ ନାହାକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଚତୁର୍ଥ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାୟକ ସରୋଜ କୁମାର ପାଢୀ, ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ପୂର୍ବତନ ସଂପାଦକ ତଥା ସମବାୟବିତ୍ ନିରଞ୍ଜନ ମହାନ୍ତି, ସମାଜସେବୀ ବିଜୟ କୁମାର ସ୍ୱାଇଁ, ଆଧ୍ୟାତ୍ମିକପ୍ରେମୀ ବଂଶୀଧର ନାହାକ ପ୍ରମୁଖ ଯୋଗଦେଇ ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଆସିକା ଅଞ୍ଚଳର କଳାନୈପୁଣ୍ୟକୁ ରୁଦ୍ଧିମନ୍ତ କରିବା ଦିଗରେ ବିଭିନ୍ନ ବର୍ଗର କଳାକାରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବେଳେ ସେମାନଙ୍କ ମନୋବଳ ବୃଦ୍ଧି ଓ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମା ଦଣ୍ଡକାଳୀ ବରିଷ୍ଠ କଳାକାର ମହାମଂଚର ସଭାପତି ସିମାଞ୍ଚଳ ନାହାକ ଓ ସାଧାରଣ ସଂପାଦକ ବୁଦ୍ଧିରାମ ନାହାକ ଉଦ୍ବୋଧନ ଦେଇ କଳାକାର ମହାମଂଚର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିବା ସହ କଳାକାରମାନଙ୍କ ବିଭିନ୍ନ ନ୍ୟାୟୋଚିତ ଦାବୀ ପୂରଣ ଓ ସମସ୍ୟାର ସମାଧାନ ଲାଗି ସମ୍ମିଳିତ ଉଦ୍ୟମ କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ବର୍ଷିୟାନ୍ କଳାକାର ପି.ସୁମ୍ ନାରାୟଣ ଦୋରା, ଗୋପୀନାଥ ନାହାକ, ନାରାୟଣ ଗୌଡ, ଇନ୍ଦ୍ରମଣି ଗୌଡ, ବେଣୁଧର ପାତ୍ର, କାଳୁଚରଣ ଗୌଡ, ଆନନ୍ଦ ପାଢୀ, ବଂଶୀଧର ଲେଙ୍କାଙ୍କ ସମେତ ବହୁ ପ୍ରତିଭାଧରଙ୍କୁ ସମ୍ମାନିତ କରାଯାଇଥିଲା । ଅବକ୍ଷୟମୁଖୀ କଳାର ପୁନରୁଦ୍ଧାର, ଆସିକାରେ କଳାକାର ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ, ସମସ୍ତ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ସରକାରଙ୍କ ଭତ୍ତା ଯୋଜନାରେ ସାମିଲ୍ କରିବା, କଳାକାର ଭତ୍ତା ସହାୟତା ବୃଦ୍ଧି କରିବା, କଳାକାରମାନଙ୍କୁ ବୀମାଭୁକ୍ତ କରିବା, ବରିଷ୍ଠ ମହିଳା ନାମ ସଂକୀର୍ତ୍ତନ ମଣ୍ଡଳୀକୁ କଳାକାର ଭତ୍ତା ପ୍ରଦାନ କରିବା, ଦୀର୍ଘ ୩ ବର୍ଷ ଧରି ସ୍ଥଗିତ ଥିବା ବରିଷ୍ଠ କଳାକାରମାନଙ୍କୁ ଚିହ୍ନଟ କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ୍ କରିବା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଭତ୍ତା ଯୋଜନାକୁ ୫ ହଜାର ଟଙ୍କାକୁ ବୃଦ୍ଧି କରିବା ଓ ସଠିକ୍ ସମୟରେ ଭତ୍ତା ପ୍ରଦାନ କରିବା, ସଙ୍ଗୀତ କଳା ଉପଯୋଗୀ ବାଦ୍ୟଯନ୍ତ୍ର ଯୋଗାଇଦେବା, ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବରିଷ୍ଠ କଳାକାରମାନଙ୍କୁ ସୁଯୋଗ ପ୍ରଦାନ କରିବା, ବରିଷ୍ଠ କଳାକାରମାନଙ୍କ ନିମନ୍ତେ ସମ୍ମିଳନୀ କକ୍ଷ ନିର୍ମାଣ କରିବା, ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର କରି ପ୍ରାପ୍ୟ ପାଇବାରୁ ବଂଚିତ ଥିବା କଳାକାରମାନଙ୍କୁ ସେମାନଙ୍କ ବକେୟା ରାଶି ପ୍ରଦାନ କରିବା ସମେତ ବିଭିନ୍ନ ବିଷୟ ଉପରେ ଏହି ବାର୍ଷିକ ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମା ଖମ୍ବେଶ୍ୱରୀ ବରିଷ୍ଠ କଳାକାର ମହାମଂଚର ଉପସଭାପତି ସିମାଞ୍ଚଳ ନାହାକ, ବିକାଶ ଉପସଭାପତି ବନବାସୀ ନାହାକ, କୋଷାଧ୍ୟକ୍ଷ ପର୍ଶୁରାମ ଗୌଡ, କାର୍ଯ୍ୟକାରୀ କମିଟି ସଦସ୍ୟ ମଙ୍ଗୁଳୁ ସ୍ୱାଇଁ, ରଂଜିତ୍ କୁମାର ନାହାକ, ଫକୀର ମୋହନ ଜେନା, ନାରାୟଣ ଗୌଡ, ବିପ୍ରଚରଣ ସ୍ୱାଇଁ, ବନମାଳୀ କାମ୍ପ, ବିଶ୍ୱନାଥ ପଣ୍ଡା, ପ୍ରଭାକର ଚୌଧୁରୀ, ଭଗବାନ ଗୌଡ, ମହେଶ୍ୱର ନାହାକଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


