ଆଜି ବିଶ୍ୱ ଆଲ୍ଜିମର୍ସ ଦିବସ
ଆସିକା (ୱାଇଏନ୍ଏସ୍): ଆଜି ଅର୍ଥାତ୍ ସେପ୍ଟେମ୍ବର ମାସ ୨୧ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଆଲ୍ଜିମର୍ସ ଦିବସ । ଏହି ଭୟାବହ ରୋଗର କାରଣ, ଲକ୍ଷ୍ୟଣ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୨୧ ତାରିଖରେ ବିଶ୍ୱ ଆଲ୍ଦିମର୍ସ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ଆଲ୍ଜିମର୍ସ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଆଲ୍ଜିମର୍ସ ରୋଗୀ ଉପଯୁକ୍ତ ସମୟରେ ଚିକିତ୍ସା ଆରମ୍ଭ କରିବା ସାଙ୍ଗକୁ ରୋଗୀର ମନୋବଳ ଦୃଢ ହେଲେ ସୁସ୍ଥ ହେବା ଯଥେଷ୍ଟ ସମ୍ଭାବନା ରହିଛି । ସାଂପ୍ରତିକ ପରିସ୍ଥିତିରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ଆଲ୍ଜିମର୍ସ ରୋଗର ସଫଳ ଚିକିତ୍ସା ହୋଇପାରୁଛି ଏବଂ ରୋଗୀ ସଂପୁର୍ଣ୍ଣ ସୁସ୍ଥ ଜୀବନଯାପନ କରିପାରୁଛନ୍ତି । ବିଗତ କିଛି ବର୍ଷ ହେଲା ଆଲ୍ଜିମର୍ସ ରୋଗୀଙ୍କ ସଂଖ୍ୟା ଅତ୍ୟଧିକ ମାତ୍ରାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଲ୍ଜିମର୍ସ ରୋଗ ହେଲେ ରୋଗୀର ଶରୀର ଓ ମନ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇପଡିବା ଭଳି ଅବସ୍ଥା ଉପୁଜିଥାଏ । ରୋଗୀ ପରବର୍ତ୍ତୀ ସମୟରେ ସ୍ମରଣଶକ୍ତି ବିଶେଷକରି ସ୍ମୃୃତିଶକ୍ତି ହରାଇ ବସିଥାଏ ଏବଂ ତାର ଜୀବନ ଦୁର୍ବିସହ ହୋଇଉଠିଥାଏ । ଆଲ୍ଜିମର୍ସ ରୋଗ ମସ୍ତଷ୍କର ଏକ ଜଟିଳ ବ୍ୟାଧି ହୋଇଥିଲା ବେଳେ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ମୃତିଶକ୍ତି ହ୍ରାସ ପାଇବାରେ ଲାଗିଥାଏ । ତେଣୁ ଆଲ୍ଜିମର୍ସ ରୋଗ ପ୍ରତି ସତର୍କ ରହିବା ନିତାନ୍ତ ଆବଶ୍ୟକ । ଆଲ୍ଜିମର୍ସ ରୋଗ ମନଷ୍ୟ ଶରୀରରେ ପ୍ରାୟତଃ ୬୦ ବର୍ଷ ପରେ ଦେଖାଦେଇଥାଏ । ଏହି ରୋଗର ଲକ୍ଷଣ ମସ୍ତିଷ୍କରେ ପ୍ରଥମେ ମୂଳଦୁଆ ପଡିଥାଏ । ଏହି ରୋଗ ହେଲେ ରୋଗୀ ଅନେକ କଥା ସହଜରେ ମନେ ପକାଇପାରିନଥାଏ ଓ ସ୍ମୃତିଶକ୍ତି ହରାଇ ବସିଥାଏ । ଏପରିକି ଆତ୍ମୀୟଙ୍କ ମୃତ୍ୟୁ ଘଟିଲେ ବି ଆଲ୍ଜିମର୍ସ ରୋଗୀଙ୍କ ଠାରେ କୌଣସି ପ୍ରତିକ୍ରିୟା ପ୍ରାୟତଃ ପରିଲକ୍ଷିତ ହୋଇନଥାଏ । ପୁରୁଷମାନଙ୍କ ଅପେକ୍ଷା ମହିଳା ଏବଂ ଶିକ୍ଷିତ ବ୍ୟକ୍ତିଙ୍କ ଅପେକ୍ଷା ଅଶିକ୍ଷିତଙ୍କ କ୍ଷେତ୍ରରେ ଏହି ଆଲ୍ଜିମର୍ସ ରୋଗ ପ୍ରାୟତଃ ଦେଖାଦେଇଥାଏ । ଶରୀରରେ ଆଲ୍ଜିମର୍ସ ରୋଗର ଲକ୍ଷଣ ଜଣାପଡିଲେ କାଳବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେଲେ ଉପଶମ ହେବା ଯଥେଷ୍ଟ ସମ୍ଭାବନା ରହିଛି । ଏହି ରୋଗ ଦ୍ୱାରା ପାରିବାରିକ ସ୍ତରରେ ସମସ୍ୟା ମଧ୍ୟ ବଢିଥାଏ । ଆଲ୍ଜିମର୍ସ ରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତି ଥିବା ଭୂଲ ଧାରଣା ଦୂର କରି ସେମାନଙ୍କ ପ୍ରତି ସହାନୁଭୁତିପୂର୍ଣ୍ଣ ପରିବେଷ ସୃଷ୍ଟି କରିବା ସାଙ୍ଗକୁ ରୋଗୀ ଓ ତାଙ୍କ ଯତ୍ନ ନେଉଥିବା ପରିବାର ସଦସ୍ୟଙ୍କୁ ମାନସିକ ଓ ସାମାଜିକ ସ୍ତରରେ ସହଯୋଗ କରିବା ନିତାନ୍ତ ଆବଶ୍ୟକ । ବିଶ୍ୱ ଆଲ୍ଜିମର୍ସ ଦିବସ ଅବସରରେ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ସନ୍ତୁଳିତ ଆହାର ଭକ୍ଷଣ ଓ ନିୟମିତ ବ୍ୟାୟାମ କରିବାକୁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।


