ମାଉଜର ମୁନରେ ଲୁଟ୍‌ : ଝାମ୍ପି ନେଇଗଲେ ୧.୦୭ ଲକ୍ଷ ଟଙ୍କା ସହ ମୋବାଇଲ୍ ଫୋନ୍

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ଜନଗହଳିଠାରୁ ଦୂର ରାସ୍ତା, ହଠାତ୍‌ ମାଉଜର ମୁନ ଓ ଆତଙ୍କର ରାଜ। ଋଣ ଟଙ୍କା ଆଦାୟ କରି ଫେରୁଥିବା ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ରାସ୍ତା ମଝିରେ ଅଟକାଇ ୧ ଲକ୍ଷ ୭ ହଜାର ଟଙ୍କା ଲୁଟ୍‌ କରିଛନ୍ତି ୪ ଜଣ ଦୁର୍ବୃତ୍ତ। ଟଙ୍କା ସହ ମୋବାଇଲ୍ ମଧ୍ୟ ଛଡ଼ାଇ ନେଇଛନ୍ତି। ଦୁଇଟି ବାଇକ୍‌ରେ ଆସିଥିବା ଦୁର୍ବୃତ୍ତମାନେ ଘଟଣା ପରେ କୋରାପୁଟ ଦିଗକୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି ନନ୍ଦପୁର ଥାନା ଅଧୀନ ପରଜାପାଲିବା-ବାଲିଆ ରାସ୍ତାରେ ଘଟିଛି। ନନ୍ଦପୁରସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର କର୍ମଚାରୀ ଡାନିଏଲ୍ ଖରା ଲମତାପୁଟ ବ୍ଲକ କୁମାରଗନ୍ଧନା ପଞ୍ଚାୟତ ଅଞ୍ଚଳରୁ ଋଣ ଟଙ୍କା ଆଦାୟ କରି ନନ୍ଦପୁର ଫେରୁଥିଲେ। ବାଟରେ ତାଙ୍କୁ ଦୁଇଟି ବାଇକ୍‌ରେ ଆସିଥିବା ୪ ଜଣ ଯୁବକ ଅଟକାଇଥିଲେ। ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ମାଉଜର ଦେଖାଇ ଡାନିଏଲ୍‌ଙ୍କୁ ଭୟଭୀତ କରିବା ସହ ମାରଧର କରିଥିଲେ। ତାଙ୍କ ନିକଟରେ ଥିବା ଆଦାୟ ଟଙ୍କା ୧ ଲକ୍ଷ ୭ ହଜାର ଓ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଘଟଣାସ୍ଥଳରୁ ଦ୍ରୁତଗତିରେ ଚମ୍ପଟ ମାରିଥିଲେ। ଶୁକୁ ବ୍ରିଜ୍ ଦେଇ କୋରାପୁଟ ଦିଗକୁ ସେମାନେ ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଘଟଣା ପରେ ଡାନିଏଲ୍ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଖବର ଦେଇ ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଏନେଇ ପୁଲିସ କେସ୍‌ ନଂ ୧୪୬/୨୦୨୬ରେ ମାମଲା ରୁଜୁ କରିଛି। ଥାନାଧିକାରୀ ତ୍ରିନାଥ ତୋଟାପାଡିଆଙ୍କ ନେତୃତ୍ୱରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଲୁଟେରାଙ୍କ ପଳାୟନପଥ ଓ ଗତିବିଧି ଠାବ କରିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟର ବୈଷୟିକ ତଦନ୍ତ ଦଳର ସହାୟତା ନିଆଯାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଠାବ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ