ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ପରିବହନ ବିଭାଗ ପକ୍ଷରୁ ଗାଡି ମୋଟର ଯାଞ୍ଚ

ବନ୍ତ, (ଚାନ୍ଦିନୀ ମହାନ୍ତି): ସୋମବାର ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ବରକୋଣା ଛକ ନିକଟରେ ଜିଲା ପରିବହନ ବିଭାଗ ପକ୍ଷରୁ ଗାଡି ମୋଟର ଯାଞ୍ଚ କରାଯାଇ ନିୟମ ଉଲଂଘନକାରୀଙ୍କ ଠାରୁ ୬୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି। କନିଷ୍ଠ ମୋଟର ଯାନ ନିରୀକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନଙ୍କ ନେତୃତ୍ୱରେ ପରିବହନ ବିଭାଗ ପକ୍ଷରୁ ଏହି ଯାଞ୍ଚ କରାଯାଇଥିଲା। ରାସ୍ତା ସୁରକ୍ଷା ଓ ଟ୍ରାଫିକ୍ ନିୟମ କଡ଼ାକଡ଼ି ପାଳନ ପାଇଁ କନିଷ୍ଠ ମୋଟର ଯାନ ନିରୀକ୍ଷକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଗାଡ଼ିମୋଟର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଜଣେ ନାବାଳକ ଗାଡ଼ି ଚଳାଉଥିବାରୁ ତାଙ୍କ ଗାଡ଼ି ଉପରେ ୨୯ ହଜାର ଟଙ୍କା ଏବଂ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଅଭିଯୋଗରେ ଅନ୍ୟ ଏକ ଗାଡ଼ି ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା l ଏଥିସହିତ ବିପଦ ଜନକ ଓ ବେଆଇନ ଭାବେ ଶ୍ରମିକ ମାନଙ୍କୁ ବୋହି ନେଉଥିବା ୨ଟି ଗାଡ଼ି ଉପରେ ଚାଲାଣ କଟା ଯାଇଥିଲା । ସେହିପରି ମୋଟର ସାଇକେଲରେ ନିୟମ ଉଲ୍ଲଂଘନ କରିଥିବା ଚାଳକମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଆଗାମୀ ଦିନରେ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ରାଜପଥରେ ଯାତାୟାତ ସମୟରେ ସମସ୍ତ ଗାଡ଼ି ଚାଳକ ନିଜର ଏବଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଟ୍ରାଫିକ୍ ନିୟମ ପାଳନ କରିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ