ଗଭୀର ଅବପାତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ଛତ୍ରପୁର, (ଓ୍ବାଇଏନଏସ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତକୁ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲାର ୧୧୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ ୧ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ। ଉପୁଲାପୁଟି, ହରିପୁର, ଗୋପାଳପୁର ଓ ବକ୍ସିପଲ୍ଲୀ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ଆବଶ୍ୟକ ଅନୁସଙ୍ଗିକ ବ୍ୟବସ୍ଥା ରହିଛି କି ନାହିଁ ତାହାର ସମୀକ୍ଷା କରିଥିଲେ। ଆଶ୍ରୟସ୍ଥଳୀରେ ଆସ୍କା ଲାଇଟ୍, ଷ୍ଟ୍ରେଚର, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିଥିଲେ। ଏହାପରେ ବର୍ଷା ମଧ୍ୟରେ ଜିଲ୍ଲାପାଳ ଗୋପାଳପୁର ସମୁଦ୍ରକୂଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ଗଭୀର ଅବପାତକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଥିଲେ। ସମୁଦ୍ରକୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ପରିଦର୍ଶନ ସମୟରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଗୋପାଳପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ନାହାକ, ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ. ଜାନକୀରାମଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


