ଏସ୍ଆଇଆର୍-୨୦୨୬ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା
ବାଲେଶ୍ୱର,(ସରୋଜ ପଣ୍ଡା): ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ସମାପ୍ତ ପରେ ବାଲେଶ୍ୱର ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ଆଜି ସନ୍ଧ୍ୟା ୫.୦୦ ଘଟିକା ସମୟରେ ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକା ଅନୁସାରେ ବାଲେଶ୍ୱର ଜିଲ୍ଲାରେ ୧୮,୧୧,୫୧୭ ଜଣ ଭୋଟର ଅଛନ୍ତି। ସେଥିରୁ ପୁରୁଷ ୯,୨୯,୪୬୬, ମହିଳା ୮,୮୧,୯୯୦ ଓ ତୃତୀୟ ଲିଙ୍ଗର ୬୧ ଜଣ ଅଛନ୍ତି। ଡ୍ରାଫ୍ଟ ତାଲିକା ତୁଳନାରେ ଚୂଡ଼ାନ୍ତ ତାଲିକାରେ ୭,୮୮୯ ଜଣ ଭୋଟର ବୃଦ୍ଧି ପାଇଛନ୍ତି।
ଜିଲ୍ଲାର ୨୪୧୫ଟି ମତଦାନ କେନ୍ଦ୍ରରେ ୨୪୧୫ ଜଣ ବୁଥ୍ସ୍ତରୀୟ ଅଧିକାରୀ (BLO), ୨୪୨ ଜଣ BLO ସୁପରଭାଇଜର ଓ BLOମାନଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ସୁଚାରୁ ଭାବେ ସମ୍ପନ୍ନ ହୋଇଛି। ଏହି ସଂଶୋଧନ ପ୍ରକ୍ରିୟାରେ ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ୮ ଜଣ ERO, ୩୪ ଜଣ AERO ଓ ସମ୍ପୃକ୍ତ କର୍ମଚାରୀମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ପ୍ରି-ଡ୍ରାଫ୍ଟ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୧୮,୯୭,୨୭୭ ଜଣ ଭୋଟରଙ୍କ ମଧ୍ୟରୁ ୧୮,୨୮,୬୭୪ ଜଣଙ୍କୁ ମ୍ୟାପିଂ କରାଯାଇଥିବାବେଳେ ୬୮,୬୦୩ ଜଣଙ୍କର ମ୍ୟାପିଂ ହୋଇନଥିଲା। ଦାବି ଓ ଆପତ୍ତି ଅବଧିରେ ମୋଟ ୨,୭୨,୬୬୧ଟି ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏସ୍ଆଇଆର୍ ସମୟରେ ଫର୍ମ-୬ ମାଧ୍ୟମରେ ୧୩,୪୮୯ଟି ନାମ ଅନ୍ତର୍ଭୁକ୍ତି ଓ ଫର୍ମ-୭ ମାଧ୍ୟମରେ ୨୬,୫୫୫ଟି ନାମ ବିଲୋପ ପାଇଁ ପ୍ରକ୍ରିୟା କରାଯାଇଥିଲା। ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ପରେ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ/ଅନୁସନ୍ଧାନଯୋଗ୍ୟ ନଥିବା ଏବଂ ଡୁପ୍ଲିକେଟ୍ ଏଣ୍ଟ୍ରି ଯାଞ୍ଚ କରାଯାଇଛି। ଯୁବ ଓ ପ୍ରଥମ ଥର ଭୋଟରଙ୍କ ପଞ୍ଜୀକରଣ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଡ୍ରାଫ୍ଟ ତାଲିକାରେ ୧୦,୬୨୬ ଜଣ ଯୁବ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହା ୧୫,୬୫୭କୁ ବୃଦ୍ଧି ପାଇଛି। ସମସ୍ତ ଭୋଟରଙ୍କୁ ନିଜ ନାମ ଓ ବିବରଣୀ ଚୂଡ଼ାନ୍ତ ତାଲିକାରେ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି। ଭୋଟରମାନେ voters.eci.gov.in ୱେବସାଇଟ୍ କିମ୍ବା ନିଜ ମତଦାନ କେନ୍ଦ୍ର ମାଧ୍ୟମରେ ତଥ୍ୟ ଯାଞ୍ଚ କରିପାରିବେ। ସହାୟତା ପାଇଁ ୧୯୫୦ ଟୋଲ୍-ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ। EROଙ୍କ ଆଦେଶରେ ଅସନ୍ତୁଷ୍ଟ ବ୍ୟକ୍ତି ଆଇନ ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଅପିଲ୍ କରିପାରିବେ। ପ୍ରଥମ ଅପିଲ୍ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଏବଂ ଦ୍ୱିତୀୟ ଅପିଲ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରାଯାଇପାରିବ।


