ମନମାନୀ କରୁଛି ବିଦ୍ୟୁତ ବିଭାଗ: ୫୦ଘଣ୍ଟା ହେବ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ବାତ୍ୟାର ପ୍ରଭାବ କେନ୍ଦ୍ରାପଡାରେ ବିଶେଷ ଭାବରେ ନାହିଁ। ଏନେଇ ପାଣିପାଗ ବିଭାଗ ସୂଚନା ଦେଇସାରିଛି। ଲୋକମାନେ ଆତଙ୍କିତ ନହେବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିସାରିଛି। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ କେବଳ ଝିପି ଝିପି ବର୍ଷା ହେଉଛି। କିନ୍ତୁ ଏହି ଆଳରେ ବିଦ୍ୟୁତ ବିଭାଗ ମନମାନୀ କରୁଛି। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ପଡୋଶୀ ଜିଲ୍ଲା ଯାଜପୁରର ବରୀ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ବିଦ୍ୟୁତକାଟ ସମସ୍ୟା ଲାଗି ରହିଛି। କେନ୍ଦ୍ରାପଡା ବ୍ଲକ ଇନ୍ଦୁପୁର ଫିଡରରୁ ଯାଜପୁର ଜିଲ୍ଲାର ବରୀ ବ୍ଲକକୁ ବିଦ୍ୟୁତ ଯୋଗାଣ ହେଉଛି। ତେଣୁ ଯାଜପୁର ଜିଲ୍ଲାର ଏହି ବ୍ଲକର ଲୋକମାନେ କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ଫିଡର ଉପରେ ନିର୍ଭରଶୀଳ। ହେଲେ ୫୦ଘଣ୍ଟା ହେବ ବିଦ୍ୟୁତ ବିଭାଗ ଲୋକଙ୍କ ସହ ମନମାନୀ କରୁଛି। ଫଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ପିଲାମାନେ ପାଠପଢି ପାରୁ ନାହାନ୍ତି। ଶୁକ୍ରବାର ବରୀ ବ୍ଲକର ପ୍ରାଥମିକ ପିଲାମାନଙ୍କର ପରୀକ୍ଷା ନିର୍ଦ୍ଧାରଣ ହୋଇଥିଲା। ସେଥିପାଇଁ ପିଲାମାନେ ପୂର୍ବରୁ ପ୍ରସ୍ତୁତ ହେଉଥିଲେ। ହେଲେ ବିଦ୍ୟୁତ ବିଭାଗ ପିଲାଙ୍କ ସହ ଖେଳ ଖେଳିଥିଲା ବୋଲି କହିଛନ୍ତି ଅମଠପୁର ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପୃଷ୍ଟି ଓ ବୁଦ୍ଧିଜୀବୀ ରବିନ୍ଦ୍ର କୁମାର ଶତପଥୀ। ସେମାନେ କହିଛନ୍ତି ବିଦ୍ୟୁତ ସରବରାହ ୫୦ଘଣ୍ଟା ହେବ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଦ୍ୟୁତ ବିଭାଗକୁ ଫୋନ କଲେ କେହି ଶୁଣୁ ନାହାନ୍ତି। କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ଏହି ସମସ୍ୟାର ସମାଧାନ କରିବାକୁ ସେମାନେ ନିବେଦନ କରିଛନ୍ତି। ବରୀ ବ୍ଲକର ଅମଠପୁର, ମହାକାଳପଡା, ଗମୁ, ସେରପୁର ପ୍ରଭୃତି ଗ୍ରାମପଞ୍ଚାୟତର ବିଦ୍ୟୁତ ଉପଭୋକ୍ତାମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିସବୁ ପଞ୍ଚାୟତ ଗୁଡିକର ବିଦ୍ୟୁତ ଖୁଣ୍ଟ ଗୁଡିକ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ସେଗୁଡିକ ବଦଳା ଯାଉନି। ଏହାଦ୍ୱାରା ଖୁଣ୍ଟି ଗୁଡିକ ଉପୁଡି କେତେବେଳେ କାହା ଉପରେ ପଡିବ ତାହା କହିହେଉନି ବୋଲି ସରଞ୍ଚ ଶ୍ରୀ ପୃଷ୍ଟି କହିଛନ୍ତି।
ଭରତପୁର ଗ୍ରାମରେ ଲୋକେ ହନ୍ତସନ୍ତ କେନ୍ଦ୍ରାପଡ଼ା ବ୍ଲକ ଅଧିନ ଭରତପୁର ଗ୍ରାମରେ ବିଗତ ୫୦ଘଣ୍ଟା ଧରି ବିଦ୍ୟୁତ ସେବା ବିଛିନ୍ନ ହୋଇ ରହିଛି। ଫଳରେ ସ୍କୁଲରେ ପଢୁଥିବା ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ପାଠପଢିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗ୍ରାମରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇଯାଇଥିବା ବେଳେ ରାସ୍ତାଘାଟ ସବୁ ରାତିରେ ଅନ୍ଧାର ହୋଇପଡିଛି। ଫଳରେ ଯିବା ଆସିବାରେ ବିପଦ ଦେଖାଦେଇଛି। ୫୦ଘଣ୍ଟା ଧରି ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ଦ୍ୱାରା ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇପଡିଛି। ଏସମ୍ପର୍କରେ କେନ୍ଦ୍ରାପଡା ଟିପିସିଓଡିଏଲ ସେକସନ-୨ର କନିଷ୍ଠ ଯନ୍ତ୍ରୀ, କେନ୍ଦ୍ରାପଡା ଏସଡିଓ ଓ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଉପଭୋକ୍ତାମାନଙ୍କ ଫୋନ କଲ ଗ୍ରହଣ କରୁନାହାଁନ୍ତି। ଏଅଞ୍ଚଳରେ ପ୍ରତିଦିନ ୧୦ରୁ ୧୨ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଉଥିବା ବେଳେ ଏହାର କୈାଣସି ନିର୍ଦ୍ଦିଷ୍ଟ କାରଣ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବରେ ଜଣାଇଦିଆଯାଉ ନାହିଁ। ଉପଭୋକ୍ତାମାନଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରି ଟିପିସିଓଡିଏଲ ମନମାନୀ ଚଳାଇଥିବା ଦେଖାଯାଇଛି। ଦୀର୍ଘ ସମୟଧରି ବିଦ୍ୟୁତ ସେବା ବ୍ୟାହତ ହେବା ଯୋଗୁଁ ଏ ଅଞ୍ଚଳର ଲୋକମାନେ ହନ୍ତସନ୍ତ ହେଉଛନ୍ତି। କିନ୍ତୁ ଟିପିସିଓଡିଏଲ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଟିପିସିଓଡିଏଲକୁ ଅଭିଯୋଗ ପାଇଁ ଥିବା ୧୯୧୨ନମ୍ବରଟି ରିଙ୍ଗ ହେଉଥିଲେ ମଧ୍ୟ କଲ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଟିପିସିଓଡିଏଲର ଏଭଳି ଅବ୍ୟବସ୍ଥାକୁ ନେଇ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଭରତପୁର ଅଞ୍ଚଳର ପ୍ରବୋଧ କୁମାର ଦାସ, ଗୋପାଳ ଚରଣ ଦାସ, ବିଭୁତିଭୂଷଣ ମହାନ୍ତି, ସୁଶାନ୍ତ ଦାସ, ବିରଜା ପ୍ରସାଦ ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ଅଲେଖ ପ୍ରସାଦ ଦାସ, ମନୋଜ ମହାନ୍ତି, ସରୋଜକାନ୍ତ ପତି ପ୍ରମୁଖ ଦାବି କରିଛନ୍ତି।


