ସିଂହାରପାଳରେ ସୁନାମୀ ପ୍ରସ୍ତୁତି ପରଖିଲେ କେନ୍ଦ୍ରୀୟ ଟିମ୍
କୋଣାର୍କ (ଓ୍ବାଇଏନଏସ): କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତର ସିଂହାରପାଳ ଗ୍ରାମରେ ସୁନାମୀ ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ଟିମ୍ ପରଖିଛନ୍ତି। ଏନେଇ କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ସଚେତନତା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବିଡିଓ ନାରାୟଣ ଦୀକ୍ଷିତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚେନ୍ନାଇସ୍ଥିତ ଭାରତ ସରକାରଙ୍କ ଇନକୋଇସ୍ ପକ୍ଷରୁ ବୈଜ୍ଞାନିକ ଡ. ବି. ଅଜୟ କୁମାର ଓ ବୈଜ୍ଞାନିକ ଡ. ପତଞ୍ଜଳି କୁମାର କେନ୍ଦ୍ରୀୟ ପ୍ରତିନିଧି ଭାବେ ଯୋଗଦେଇଥିଲେ। ଏଥିସହ ପୁରୀ ଜିଲ୍ଲା ଏମର୍ଜେନ୍ସି ଉପଜିଲ୍ଲାପାଳ ଅନୁଶ୍ରବ ଗନ୍ତାୟତ, ଓସଡମା ଜିଏମ୍ ଅମ୍ବିକା ପ୍ରସାଦ ମିଶ୍ର, ଡିପିଓ ମାନସ କୁମାର ସ୍ୱାଇଁ, ଅଶୋକ କୁମାର ରଥ, ଜିପିଡିଓ ରଞ୍ଜନ ବେହେରା ଓ ସରପଞ୍ଚ ଲକ୍ଷ୍ମୀପ୍ରିୟା ସେଣ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଟିମ୍ ଗ୍ରାମରେ ପହଞ୍ଚିବା ପରେ ସିଂହାରପାଳର ଗ୍ରାମବାସୀ ଓ ମହିଳାମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ମହିଳା ସଂକୀର୍ତ୍ତନ, ବାଜା, ଶଙ୍ଖଧ୍ୱନି ଓ ହୁଳହୁଳିରେ ଅତିଥିମାନଙ୍କୁ ବହୁମୁଖୀ ଆଶ୍ରୟସ୍ଥଳୀ ନିକଟକୁ ପାଛୋଟି ନିଆଯାଇଥିଲା। ସେଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ସୁନାମୀ ଭଳି ବିପର୍ଯ୍ୟୟ ସମୟରେ ତୁରନ୍ତ ସତର୍କତା, ଉଦ୍ଧାର ଓ ସୁରକ୍ଷିତ ସ୍ଥାନାନ୍ତରଣ ସମ୍ପର୍କରେ ବିଭିନ୍ନ ପ୍ରସ୍ତୁତି ପରଖାଯାଇଥିଲା। ଆପଦ ମିତ୍ର ଓ ସ୍ୱେଚ୍ଛାସେବୀଙ୍କ ସହ ଗ୍ରାମର ମହିଳା, ଯୁବତୀ ଓ ସାଧାରଣ ଲୋକମାନେ ସୁନାମୀ ଆସିଲେ କିପରି ଲୋକଙ୍କୁ ସଚେତନ କରିବେ ଏବଂ ବୃଦ୍ଧବୃଦ୍ଧା, ଶିଶୁ, ଗର୍ଭବତୀ ମହିଳା ଓ ଅନ୍ୟମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ, ତାହାର ବିଭିନ୍ନ ଡେମୋ ପ୍ରଦର୍ଶନ କରିଥିଲେ। ଏଥିସହ ପାଲା ମାଧ୍ୟମରେ ସୁନାମୀ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ସ୍ୱେଚ୍ଛାସେବୀମାନେ ବିପର୍ଯ୍ୟୟ ସମୟରେ ସୁରକ୍ଷା, ଉଦ୍ଧାର ଓ ପ୍ରାଥମିକ ପ୍ରସ୍ତୁତି ସମ୍ପର୍କିତ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଗ୍ରାମବାସୀଙ୍କ ଏହି ସଚେତନତା ଓ ପ୍ରସ୍ତୁତିକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଥିଲେ। ସୁନାମୀ ସମ୍ପର୍କରେ ସଚେତନ ହେବା ସହ ନିଜ ଜୀବନ ସୁରକ୍ଷା କରିବା ଏବଂ ବିପଦ ସମୟରେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ସିଂହାରପାଳ ଗ୍ରାମର ପ୍ରସ୍ତୁତି ଉଲ୍ଲେଖନୀୟ ବୋଲି ଅତିଥିମାନେ ମତ ଦେଇଥିଲେ। ସିଂହାରପାଳ ଗ୍ରାମକୁ ୟୁନେସ୍କୋ ପକ୍ଷରୁ ସୁନାମୀ ପ୍ରସ୍ତୁତି ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରାଯିବା ନେଇ ଅତିଥିମାନେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଶା ଏନଜିଓର ସ୍ୱେଚ୍ଛାସେବୀ ଅନୁଷୟା ପରିଡ଼ା, ପିଇଓ କହ୍ନେଇ ଚରଣ ପ୍ରଧାନ, ଏଡିଇଓ ଚନ୍ଦ୍ରକାନ୍ତ ପରିଡ଼ା, ସେଲ୍ଟର ସମ୍ପାଦକ ଶଶିଭୂଷଣ ପ୍ରଧାନ, ସମାଜସେବୀ ଲକ୍ଷ୍ମୀନାରାୟଣ ଜେନା ଓ ଶିକ୍ଷକ ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୫ ଶହରୁ ଊର୍ଦ୍ଧ୍ବ ସ୍ଥାନୀୟ ଗ୍ରାମବାସୀ ଯୋଗଦେଇଥିଲେ।


