ଗଞ୍ଜେଇ ଚୋରା ଚାଳନା ବେଳେ ଜବତ କଲା ପୁଲିସ

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ଗଞ୍ଜେଇ ଚାଲାଣର ଏକ ଚତୁର ଉପାୟକୁ ପାଡୁଆ ପୋଲିସ ଧରିବାରେ ସଫଳ ହୋଇଛି। ଗାଡ଼ିରେ ତିଆରି ହୋଇଥିବା ଗୁପ୍ତ ଚାମ୍ବରରେ ଲୁଚାଇ ନିଆଯାଉଥିବା ୧୭୬ କିଲୋ ଗଞ୍ଜେଇ ସହ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଘଟଣାରେ ଗାଡ଼ି ଚଳାଉଥିବା ଜଣେ ନାବାଳକଙ୍କୁ ପୋଲିସ ଧରି ଅଦାଲତରେ ହାଜର କରିଛି। ପୋଲିସ ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ମିଳିବା ପରେ ପାଡୁଆ ଥାନା ପୋଲିସ ଜୟପୁର-ବିଶାଖାପାଟଣା ସଂଯୋଗୀ ରାଜ୍ୟ ରାଜପଥର ହାଣ୍ଡିପୁଟ ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ନଜର ରଖିଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଓଆର୍‌-୧୦-ଜି-୦୫୮୯ ନମ୍ବର ବୋଲେରୋ କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିର ବନେଟ୍ ଉପରେ ପୋଲିସର ସନ୍ଦେହ ହୋଇଥିଲା। ବାନେଟ୍ ଖୋଲିବା ପରେ ସେଥିରୁ ଗଞ୍ଜେଇ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯିବା ପରେ ଏହା ୧୭୬ କିଲୋଗ୍ରାମ ବୋଲି ଜଣାପଡ଼ିଥିଲା। ଏନେଇ ପାଡୁଆ ଥାନାରେ କେସ୍ ନଂ-୧୦୦/୨୦୨୬ ରୁଜୁ କରାଯାଇ ଗଞ୍ଜେଇ ଓ ବୋଲେରୋକୁ ଜବତ କରାଯାଇଛି। ଘଟଣାର ଚାଲାଣ ନେଟୱର୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ଧରାପଡ଼ିଥିବା ନାବାଳକଙ୍କୁ ଅଦାଲତରେ ହାଜର କରାଯିବା ପରେ ସୁଧାର ଗୃହକୁ ପଠାଯାଇଥିବା ଥାନାଧିକାରୀ ଟୁନା ପିଡ଼ିକା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ