ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବରଖାସ୍ତ ଦାବିରେ ସିପିଆଇ(ଏମଏଲ)ର ପ୍ରତିବାଦ ଶୋଭାଯାତ୍ରା
ଗୁଣପୁର,(ୱାଇ ଏନ ଏସ),ସି.ପି.ଆଇ (ଏମଏଲ) ଲିବରେସନ ତରଫରୁ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ଗିରଫ କରିବା ଦାବିରେ ସୋମବାର ଦିନ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତିବାଦକୁ ସମର୍ଥନ କରି ସି.ପି.ଆଇ (ଏମଏଲ) ଲିବରେସନ ଓ ବିପ୍ଳବୀ ଯୁବ ସଂଗଠନ ତରଫରୁ ଗୁଣପୁର ନୁଆ ବସ ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ସଦର ପୁରୁଣା ବସଷ୍ଟାଣ୍ଡ ରେ ଜ୍ଞାନେଶ କୁମାରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଗତ ୨୩ ସେପ୍ଟେମ୍ବର ଇଣ୍ଡିଆନ ଏକ୍ସପ୍ରେସ୍ ଖବର କାଗଜରେ ପ୍ରକାଶିତ ଖବରରେ ଦେଶର ୩ଜଣ ନିର୍ବାଚନ କମିଶନରଙ୍କ ମଧ୍ୟରୁ ୨ଜଣ ବିଭିନ୍ନ ପ୍ରସଙ୍ଗରେ ଆପତ୍ତି ଉଠାଇଥିବା ପ୍ରସଙ୍ଗ ଗୁଡ଼ିକ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ବହିଷ୍କାର କରିବା ସହିତ ଭୋଟ ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତୁରନ୍ତ ବନ୍ଦ କରିବା, ଭୁଲରେ ବାଦ୍ ପଡ଼ିଥିବା ଲୋକଙ୍କ ଭୋଟ ଦାନ ଅଧିକାର ପୁନଃ ସ୍ଥାପିତ କରିବା, ଭାରତୀୟ ନିର୍ବାଚନ ଆୟୋଗର ସ୍ଵାଧୀନ ଏବଂ ଗଣତାନ୍ତ୍ରିକ କାର୍ଯ୍ୟ ପ୍ରଣାଳୀକୁ ପୁନଃସ୍ଥାପିତ କରିବା, ନିର୍ବାଚନ କମିଶନରଙ୍କ ନିଯୁକ୍ତିର ବର୍ତମାନ ବ୍ୟବସ୍ଥାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତ ଚୟନ କମିଟି ଯଥା: ପ୍ରଧାନମନ୍ତ୍ରୀ, ବିରୋଧୀ ନେତା ଓ ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ନିର୍ଦ୍ଧାରଣରେ ନିଯୁକ୍ତି କରିବା ଇତ୍ୟାଦି ଦାବି କରିବା ସହ ଭାରତର ନିର୍ବାଚନ କମିଶନରଙ୍କ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ପ୍ରତିବାଦ ସଭା ରେ ଯୁବ ସଂଗଠନ ର ରାଜ୍ୟ ସଭାପତି ସଂଜୀବ ଶବର, ବୃନ୍ଦାବନ ବିଡିକା ରାଜ୍ୟ କମିଟି ସଭ୍ୟ , ତ୍ରିପତି ଗମାଙ୍ଗ (ଜିଲ୍ଲା ସମ୍ପାଦକ) ପ୍ରମୁଖ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଅନାସିମ ଶବର, ଲୋକନାଥ ନାଉରି, ବୃନ୍ଦା ଗୁନା, ମୁନି ଶବର,ମନ୍ଦଦରୀ ଶବର, ଛାଞ୍ଚମା କଣ୍ଡାଗରି, ପ୍ରକାଶ ମାଝି , ଜଗନ୍ନାଥ ଶବର, ଅର୍ଜୁନ ଶବର, କର୍ଣ୍ଣଏଲ ଗମାଙ୍ଗ, ମାଥ୍ୟୁ ରଇତ, ଆନନ୍ଦ ପ୍ରାସ୍କା, ବାସୁ ମାମ୍ଭାଲାକା, ଭିମ ମାଝୀ, ଯକ୍ଷ ଲିମା, ସଂଜୟ ଶବର, ସାଇଡ୍ରିକ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।


