୧୩ ରନ୍‌ରେ ରାଉରକେଲାକୁ ହରାଇଲା ପୁରୀ ଟାଇଟନ୍ସ: କେନ୍ଦୁଝର ମାଇନର୍ସଠାରୁ ୨୬ ରନ୍‌ରେ ପରାସ୍ତ ସମ୍ବଲପୁର

କଟକ, (ଓ୍ବାଇଏନଏସ): କଟକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌–ସିଏମ୍ ଟ୍ରଫିରେ ସୋମବାର ପୁରୀ ଟାଇଟନ୍ସ ଓ କେନ୍ଦୁଝର ମାଇନର୍ସ ବିଜୟୀ ହୋଇଛନ୍ତି। ବର୍ଷା ଯୋଗୁଁ ମ୍ୟାଚ୍‌ ୧୦ ଓଭର ଲେଖାଏଁ କରାଯାଇଥିଲା। ପୁରୀ ଟାଇଟନ୍ସ ୧୩ ରନ୍‌ରେ ରାଉରକେଲା ସୁପରଷ୍ଟାର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପୁରୀ ୬ ୱିକେଟ୍‌ରେ ୮୬ ରନ୍‌ କରିଥିଲା।ପ୍ରାରମ୍ଭରେ ଧିମା ବ୍ୟାଟିଂ ପରେ ସର୍ବେଶ୍ୱର ମହାନ୍ତି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୮ ବଲ୍‌ରୁ ୫୧ ରନ୍‌ କରି ଦଳକୁ ଲଢ଼ୁଆ ସ୍କୋରରେ ପହଞ୍ଚାଇଥିଲେ।ଜବାବରେ ରାଉରକେଲା ନିୟମିତ ୱିକେଟ୍‌ ହରାଇ ୧୩ ରନ୍‌ ପଛରେ ରହିଯାଇଥିଲା। ପୁରୀର ସୁମିତ ଶର୍ମା ୫ଟି ୱିକେଟ୍‌ ନେବା ସହ ହ୍ୟାଟ୍ରିକ୍‌ ହାସଲ କରିଥିଲେ।ସର୍ବେଶ୍ୱର ମହାନ୍ତିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଏବଂ ସୁମିତ ଶର୍ମାଙ୍କୁ ମୋମେଣ୍ଟ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଥିଲା। ଅନ୍ୟ ଏକ ମ୍ୟାଚ୍‌ରେ କେନ୍ଦୁଝର ମାଇନର୍ସ ୨୬ ରନ୍‌ରେ ସମ୍ବଲପୁର ୱାରିୟର୍ସକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି କେନ୍ଦୁଝର ୧୦ ଓଭରରେ ୫ ୱିକେଟ୍‌ ହରାଇ ୧୦୯ ରନ୍‌ କରିଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତି ୧୫ ବଲ୍‌ରୁ ୩୩ ରନ୍‌, ରାଜେଶ ଧୁପର ୧୧ ବଲ୍‌ରୁ ୨୧ ରନ୍‌, ପ୍ରୟାସ ସିଂହ ୧୪ ବଲ୍‌ରୁ ୨୩ ରନ୍‌ ଓ ସ୍ୱାଗତ ଶର୍ମା ୯ ବଲ୍‌ରୁ ୧୫ ରନ୍‌ କରିଥିଲେ। ସମ୍ବଲପୁର ପକ୍ଷରୁ ପ୍ରଦୀପ ପ୍ରଧାନ ୨ ଓଭରରେ ୧୮ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିଲେ। ୧୧୦ ରନ୍‌ର ବିଜୟଲକ୍ଷ୍ୟ ପିଛା କରି ସମ୍ବଲପୁର ୧୦ ଓଭରରେ ୯ ୱିକେଟ୍‌ ହରାଇ ୮୩ ରନ୍‌ କରିପାରିଥିଲା। ସୌମ୍ୟ ଲେଙ୍କା ୧୮ ବଲ୍‌ରୁ ୩୩ ରନ୍‌ କରି ଲଢ଼େଇ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ। ଶୁଭ୍ରାଂଶୁ ସେନାପତିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଏବଂ ଶୁଭମ ବିଷ୍ଟଙ୍କୁ ମୋମେଣ୍ଟ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ