ଭୀଷ୍ମଗିରି ରେ ବାରମ୍ବାର ବିଦ୍ୟୁତ କାଟ: ଉପଭୋକ୍ତା ଅସନ୍ତୁଷ୍ଟ

ଦିଗପହଣ୍ଡି(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଲଗାତର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ଼ ଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ ବେଣୁମାଧବ ବକ୍ସି,ଭଗବାନ ରାଉତ,ପୂର୍ବତନ ୱାର୍ଡ଼ ସଭ୍ୟ ସୂର୍ଯ୍ୟ ସାହୁ, ନୀଳାଞ୍ଚଳ ଗୌଡ଼, ଏ.ବାବୁ,ମାନସ ରଞ୍ଜନ ପଟ୍ଟନାୟକ,ଦେବାଶିଷ ପାତ୍ର,ଦୀପକ ବାଡ଼ତ୍ୟା,ଏମ.ଶଙ୍କର, କାହ୍ନା ଗୌଡ଼,ପ୍ରଶାନ୍ତ ମହାନ୍ତି,କୃଷ୍ଣ ଚନ୍ଦ୍ର ରଥ,ନାରାୟଣ ମିଶ୍ର,ସତ୍ୟବାନ ଗୌଡ଼ ଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ପୋଡ଼ାମାରି ଗ୍ରାମ ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟଳୟରେ ପହଞ୍ଚି କନିଷ୍ଠ ଯନ୍ତ୍ରୀ ଇଂ.ସୁକୁମାର ରାୟ ଙ୍କ ସହ ସବିଶେଷ ଆଲୋଚନା କରିବା ପରେ ସମସ୍ୟା ସମାଧାନ ନିମନ୍ତେ ଦସ୍ତଖତ ସମ୍ବଳିତ ସ୍ମରକପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଯେ,ଭୀଷ୍ମଗିରି ଗ୍ରାମରେ ବିଦ୍ୟୁତ ବିଭାଗ ପକ୍ଷରୁ ଉଚ୍ଚ କ୍ଷମତା ସମ୍ପନ୍ନ ସବଷ୍ଟେସନ  ପ୍ରତିଷ୍ଠା କରାଯାଇଛି।କିନ୍ତୁ ଭୀଷ୍ମଗିରି କୁ ସ୍ଵତନ୍ତ୍ର ଫିଡ଼ର ବ୍ୟବସ୍ଥା ନଥିବାରୁ ଅନ୍ୟ ଗ୍ରାମାଞ୍ଚଳରେ କୌଣସି ଫଲ୍ଟ ହେଲେ ଭୀଷ୍ମ ଗିରି ଗ୍ରାମରୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଉଛି। ଭୀଷ୍ମଗିରି ଗ୍ରାମରେ ପ୍ରତିଦିନ ସକାଳୁ ରାତି ମଧ୍ୟରେ ନିୟମିତ ବିଦ୍ୟୁତ କାଟ ହେଉଥିବା ବେଳେ ଉପଭୋକ୍ତା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୀଷ୍ମଗିରି ଗ୍ରାମକୁ ସ୍ଵତନ୍ତ୍ର ବିଦ୍ୟୁତ୍ ଫିଡର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ବିଦ୍ୟୁତ ଉପଭୋକ୍ତା ଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ବିଦ୍ୟୁତ ପରିବଣ୍ଟନ ସଂସ୍ଥା ଟାଟା ପାୱାର ବିଦ୍ୟୁତ ସେବା କ୍ଷେତ୍ରରେ ସଂସ୍କାର ଆଣିଥିବା ନେଇ କର୍ତ୍ତୃପକ୍ଷ ପ୍ରଚାର ପ୍ରସାର କରୁଥିବା ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କରାଯାଉଛି।ମରାମତି ରକ୍ଷଣା ବେକ୍ଷଣ ଆଳରେ ଅଧିକାଂଶ ସମୟ ବିଦ୍ୟୁତ କାଟ ଚାଲିଛି ତାହା ପୁଣି ଅଘୋଷିତ।ବିଦ୍ୟୁତ କାଟ ସମ୍ପର୍କରେ ପଚାରିଲେ ବିଭାଗୀୟ ଅଧିକାରୀ ମାନଙ୍କ ପକ୍ଷରୁ  କାମ ଚାଲିଛି ବୋଲି ଉତ୍ତର ମିଳୁଛି । କେବଳ ବିଦ୍ୟୁତ କାଟ ନୁହେଁ ଲୋ – ଭୋଲଟେଜ,ତ୍ରୁଟିପୂର୍ଣ୍ଣ ମିଟର ଏବଂ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ୍ ବ୍ୟବସ୍ଥା ସମେତ ବହୁ ଅବ୍ୟବସ୍ଥା ଲାଗି ରହିଥିବା ନେଇ ଅଭିଯୋଗ ହେଉଛି।ବିଦ୍ୟୁତ ବିଭାଗର ଏପରି କାର୍ଯ୍ୟଧାରା ରେ ଜନ ଅସନ୍ତୋଷ ଆନ୍ଦୋଳନ ର ରୂପ ନେବାକୁ ଯାଉଛି।ବିଦ୍ୟୁତ ବିଲ୍ ଆଦାୟ ବ୍ୟବସ୍ଥା ଘରୋଇ କମ୍ପାନୀ ହାତକୁ ଟେକି ଦିଆଯାଇଛି।ପ୍ରତି ମାସ ଶେଷରେ ବିଦ୍ୟୁତ ଉପଭୋକ୍ତା ନିଜର ବିଦ୍ୟୁତ ବିଲ୍ ବାବଦକୁ ବକେୟା ଦେୟ ଦେଇ ଚାଲିଥିବା ବେଳେ ପ୍ରତିଦିନ ସକାଳେ ସନ୍ଧ୍ୟାରେ ବିଦ୍ୟୁତ କାଟ କରାଯାଉଛି।ଏହି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ଫଳରେ ବିଦ୍ୟୁତ କାଟ ର ପ୍ରଭାବ ସିଧା ସଳଖ ଡାକ୍ତରଖାନା ,ବ୍ୟାଙ୍କ ,କଲେଜ,ହାଇସ୍କୁଲ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପ୍ରଭୃତି ଘରୋଇ ବ୍ୟବସାୟ ଅନୁଷ୍ଠାନ ଗୁଡ଼ିକ ଉପରେ ପଡୁଛି।ଏପରିକି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ଫଳରେ ଶଯ୍ୟାଶାୟୀ ରୋଗୀ, ଜନ୍ମିତ ପିଲା,ବୟସ୍କ ଲୋକ ଘୋର ଅସୁବିଧାରେ ପଡ଼ୁଛନ୍ତି।ବିଦ୍ୟୁତ ଉପଭୋକ୍ତା ଠିକ୍ ସମୟରେ ବିଦ୍ୟୁତ ଦେୟ ଦେଉଥିବା ବେଳେ ନିରନ୍ତର ବିଦ୍ୟୁତ ସେବା ପାଇବାରୁ କାହିଁକି ବଞ୍ଚିତ ହେବ ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେଲେ ଭୀଷ୍ମଗିରି ଗ୍ରାମବାସୀ ଙ୍କ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ଼ ଚେତାବନୀ ଦେଇଛନ୍ତି। ରାଜ୍ୟରେ ଦୀର୍ଘ ୨୭ ବର୍ଷ ଧରି ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଚାଲିଥିବା ବେଳେ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଅଦ୍ୟାବଧି ସେଥିରୁ କୌଣସି ସୁଫଳ ମିଳିଲା ନାହିଁ।ବିଦ୍ୟୁତ ଟିକସ ବାବଦରେ  ଶିଳ୍ପପତି ମାନଙ୍କୁ ହଜାର ହଜାର କୋଟି ଟଙ୍କା ଛାଡ କରାଯାଇଥିବା ବେଳେ ସରକାର ସବସିଡି ବାବଦରେ ବିଦ୍ୟୁତ ଉପଭୋକ୍ତା ମାନଙ୍କ ପାଇଁ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ କରନ୍ତି ନାହିଁ। ବିଦ୍ୟୁତ ଉତ୍ପାଦନ ନକରି ମଧ୍ୟ ବାହାର ରାଜ୍ୟରୁ ବିଦ୍ୟୁତ କିଣି ଦିଲ୍ଲୀ ସରକାର ନିଜ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ପୁରା ଛାଡ ଏବଂ ୪୦୦ ୟୁନିଟ ପର୍ଯ୍ୟନ୍ତ ଅଧା ଟିକସ ଛାଡ଼ କରୁଛନ୍ତି। ତେଣୁ ରାଜ୍ୟ ସରକାର ଦିଲ୍ଲୀ ଭଳି ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ଛାଡ କରିବାକୁ ସେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ