ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ଜିଲ୍ଲା ପରିଷଦ ସିଡିଓ
ଛତ୍ରପୁର, (ଓ୍ବାଇଏନଏସ): ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା।ବୁଗୁଡ଼ା ବ୍ଲକର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରି ସେ ବୁଗୁଡ଼ାରୁ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ଗାଡ଼ି ଅଟକାଇ ଶ୍ରୀ ଜେନା ଗାଡ଼ିରୁ ଓହ୍ଲାଇ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ କାର୍ ଯୋଗେ ନିକଟସ୍ଥ ମେଡିକାଲକୁ ପଠାଇ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଏହି ସମୟରେ ବୁଗୁଡ଼ା ବିଡିଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସିଡିଓଙ୍କ ଏହି ମାନବିକ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।


