ପ୍ରତି ପଞ୍ଚାୟତରେ ଖୋଲିବ ସାଧନା କେନ୍ଦ୍ର

ଛତ୍ରପୁର (ଓ୍ବାଇଏନଏସ): ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ଶିକ୍ଷା, ଦକ୍ଷତା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତରେ ସାଧନା କେନ୍ଦ୍ର ଖୋଲାଯିବ। ଗଞ୍ଜାମ ଲକ୍ଷ୍ୟ ନିକେତନର ସଫଳ ମଡେଲକୁ ଆଧାର କରି ଜିଲ୍ଲାର ୪୯୩ଟି ପଞ୍ଚାୟତରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଆସନ୍ତା ନଭେମ୍ବରରୁ ଏହା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି। ବର୍ତ୍ତମାନ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ମାଧ୍ୟମରେ ୟୁପିଏସ୍‌ସି, ଓପିଏସ୍‌ସି ସମେତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ପ୍ରଶିକ୍ଷଣ ଦିଆଯାଉଛି। ଏହାର ପରିସରକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ କରିବା ପାଇଁ ସାଧନା କେନ୍ଦ୍ର ଖୋଲାଯାଉଛି। ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏନେଇ ସମୀକ୍ଷା ବୈଠକ ହୋଇଥିଲା। ସମସ୍ତ ବିଡିଓ ଏଥିରେ ଯୋଗଦେଇଥିଲେ। ସାଧନା କେନ୍ଦ୍ର ପାଇଁ ଚାଲିଥିବା କୋଠା ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ ଅକ୍ଟୋବର ୧୫ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ସାଧନା କେନ୍ଦ୍ରରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ଦିଆଯିବ। ସ୍ପୋକେନ୍ ଇଂରାଜୀ, ମୌଳିକ କମ୍ପ୍ୟୁଟର ଶିକ୍ଷା, ବ୍ୟାଙ୍କିଂ ସମେତ ଆବଶ୍ୟକୀୟ ଜୀବନ କୌଶଳ ଶିକ୍ଷା ଦିଆଯିବ। ଅଧିକ ବୟସ ଯୋଗୁଁ ସ୍କୁଲ ଛାଡ଼ିଥିବା ପିଲାମାନଙ୍କୁ ଓପନ୍ ସ୍କୁଲ ମାଧ୍ୟମରେ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାର ସୁଯୋଗ ଦିଆଯାଇ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କରାଯିବ। ସାଧନା କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ଛତ୍ରପୁରରେ ରହିବା ସହ ସେଠାରେ ଏକ ଷ୍ଟୁଡିଓ ପ୍ରତିଷ୍ଠା କରାଯିବ। ଗ୍ରାମାଞ୍ଚଳର ମେଧାବୀ ଓ ଅର୍ଥନୈତିକ ଭାବେ ପଛୁଆ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ସହ ଯୁବପିଢ଼ିଙ୍କୁ ଦକ୍ଷତାଭିତ୍ତିକ ଶିକ୍ଷା ଯୋଗାଇ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହା  ଏକ ‘ଡ୍ରିମ୍ ପ୍ରୋଜେକ୍ଟ’ ବୋଲି ଜିଲ୍ଲାପାଳ କହିଛନ୍ତି। ବୈଠକରେ ଜିଲ୍ଲା ପରିଷଦ ସିଡିଓ ସମୀର କୁମାର ଜେନା, ଆଇଏଏସ୍ ପ୍ରୋବେସନର ସରଣ୍ୟା ସରବଣା, ଅତିରିକ୍ତ ସିଡିଓ ବିଜୟ କୁମାର ବେହେରା ଓ ଜିଲ୍ଲା ପରିଷଦ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ