ଟାଙ୍ଗୀ-ଚୌଦ୍ୱାରରେ ‘ଆଙ୍ଗନ କା ଉତ୍ସବ’

କଟକ, (ଓ୍ବାଇଏନଏସ): ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ସୁସ୍ଥ ବିକାଶକୁ ନେଇ ସଚେତନତା ସୃଷ୍ଟି ସହ ଆଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଅଭିଭାବକ ଓ ସମାଜ ସହ ଅଧିକ ଯୋଡ଼ିବା ଉଦ୍ଦେଶ୍ୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକର ୨୯୮ଟି ଆଙ୍ଗନୱାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ ଅନୁଷ୍ଠିତ ହୋଇଛି। ନବମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬ ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଉତ୍ସବରେ ଶିଶୁ, ଅଭିଭାବକ, ଆଶା କର୍ମୀ ଓ ଆଙ୍ଗନୱାଡ଼ି କର୍ମୀମାନଙ୍କ ସକ୍ରିୟ ଭାଗୀଦାରି ଦେଖିବାକୁ ମିଳିଥିଲା। ଉତ୍ସବର ପ୍ରଥମ ଦିନରେ ଆଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଅଭିଭାବକମାନଙ୍କ ଦ୍ୱାରା ପ୍ରସ୍ତୁତ ପୋଷଣଯୁକ୍ତ ଖାଦ୍ୟ ଓ ପାରମ୍ପରିକ ପିଠାପଣାର ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ ଭାବେ ଉପଲବ୍ଧ ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି କିପରି ସୁଷମ ଓ ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ, ସେନେଇ ମଧ୍ୟ ଅଭିଭାବକମାନେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ପ୍ରସ୍ତୁତ ଖାଦ୍ୟର ଗୁଣବତ୍ତା, ପୋଷଣମାନ ଓ ଉପସ୍ଥାପନାକୁ ବିଚାରକମଣ୍ଡଳୀ ମୂଲ୍ୟାୟନ କରିଥିଲେ।ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଅଭିଭାବକମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଚୟନ କରାଯାଇଥିଲା। ଏହା ମାଧ୍ୟମରେ ପରିବାରର ଦୈନନ୍ଦିନ ଖାଦ୍ୟାଭ୍ୟାସରେ ପୋଷଣର ଗୁରୁତ୍ୱ ସମ୍ପର୍କରେ ଏକ ସଚେତନତାର ବାର୍ତ୍ତା ଦିଆଯାଇଥିଲା।ଉତ୍ସବର ଦ୍ୱିତୀୟ ଦିନଟି ଶିଶୁମାନଙ୍କ ପ୍ରତିଭା ପ୍ରଦର୍ଶନକୁ ଉତ୍ସର୍ଗୀକୃତ ଥିଲା। ଏହି ଅବସରରେ ଚିତ୍ରାଙ୍କନ, ଗଳ୍ପ କହିବା, ଗୀତ ଓ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୁନିକୁନି ପିଲାମାନେ ଉତ୍ସାହର ସହ ଏଥିରେ ଭାଗନେଇ ନିଜର ସୃଜନଶୀଳତା ଓ ପ୍ରତିଭାର ପରିଚୟ ଦେଇଥିଲେ। ଉତ୍ତମ ପ୍ରଦର୍ଶନ କରିଥିବା ଶିଶୁମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ମନୋନୀତ କରାଯାଇଥିଲା। ଅନ୍ତିମ ଦିନରେ ‘ସୁଭଦ୍ରା ଶକ୍ତି ସମ୍ବାଦ’ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିଭାବକ ଓ ହିତାଧିକାରୀମାନଙ୍କ ସହ ବିଭିନ୍ନ ସରକାରୀ ସହାୟତା ଓ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ମାତାପିତା, ଜେଜେବାପା, ଜେଜେମା, ସୁଭଦ୍ରା ଯୋଜନାର ହିତାଧିକାରୀ ଏବଂ ଆଙ୍ଗନୱାଡ଼ି ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।ପ୍ରତ୍ୟେକ କେନ୍ଦ୍ର ଅଧୀନରେ ପ୍ରାୟ ୫୦ ଜଣଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା। ଆଲୋଚନା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ମିଳୁଥିବା ବିଭିନ୍ନ ସହାୟତା ଓ ଆର୍ଥିକ ସୁବିଧା ସମ୍ପର୍କରେ ସୂଚନା ଦିଆଯାଇଥିଲା।ଏହାସହ ଶିଶୁଙ୍କ ଯତ୍ନ, ପୋଷଣ ଓ ଆଙ୍ଗନୱାଡ଼ି କେନ୍ଦ୍ରର ଭୂମିକା ନେଇ ମଧ୍ୟ ଅଭିଭାବକମାନଙ୍କ ସହ ମତବିନିମୟ କରାଯାଇଥିଲା। ଉତ୍ସବର ଶେଷ ପର୍ଯ୍ୟାୟରେ ଆଙ୍ଗନୱାଡ଼ି ପରିଚାଳନା କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉତ୍ସାହଜନକ ଭୂମିକା ନେଇଥିବା ଅଭିଭାବକ, ଶିଶୁ, ଆଶା କର୍ମୀ, ଆଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳଭର୍ତ୍ତି ଡାଲା ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହା ଫଳରେ ଆଙ୍ଗନୱାଡ଼ି କେନ୍ଦ୍ର ସହ ଜଡ଼ିତ କର୍ମୀ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିଲା।ଟାଙ୍ଗୀ-ଚୌଦ୍ୱାର ବ୍ଲକର ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସୌଦାମିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପାଦିତ ହୋଇଥିଲା। ଶ୍ରୀମତୀ ପଣ୍ଡା ଗାଁରବା-୧ ଓ ଗାଁରବା-୨ ଆଙ୍ଗନୱାଡ଼ି କେନ୍ଦ୍ରରେ ଉପସ୍ଥିତ ରହି ଆଶା କର୍ମୀ, ଆଙ୍ଗନୱାଡ଼ି କର୍ମୀ, ସହାୟିକା ଓ ସଫଳ ଅଭିଭାବକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟପକ୍ଷରେ ବ୍ଲକର ବିଭିନ୍ନ ଅଞ୍ଚଳରେ ନିୟୋଜିତ ସୁପରଭାଇଜରମାନେ ଆଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟକ୍ରମର ତଦାରଖ କରିଥିଲେ।ତିନିଦିନ ଧରି ଚାଲିଥିବା ‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଶିଶୁ ପୋଷଣ ଓ ସ୍ୱାସ୍ଥ୍ୟ ସହ ଅଭିଭାବକଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆଙ୍ଗନୱାଡ଼ି କେନ୍ଦ୍ରକୁ ଶିଶୁ ଓ ପରିବାରର ସମଗ୍ର ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଗଢ଼ି ତୋଳିବାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ