ଆସିକା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନ୍ କା ଉତ୍ସବ ପାଳିତ
ଆସିକା (ୱାଇଏନ୍ଏସ୍) : ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା ଏବଂ ସାମଗ୍ରିକ ବିକାଶ ଓ ପୁଷ୍ଟିସାଧନ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର ପରାମର୍ଶକ୍ରମେ ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଳକ ପରିସରଭୁକ୍ତ ୨୭ଟି ଗ୍ରାମ ପଞ୍ଚାୟତର ୨୨୪ଟି ଓ ପୌର ପରିଷଦ ଅଧୀନସ୍ଥ ୧୮ଟି ୱାର୍ଡର ୨୭ଟି ଅଙ୍ଗନବାଡି କେନ୍ଦ୍ରରେ ତିନିଦିନିଆ ଅଙ୍ଗନ୍ କା ଉତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ପୋଷଣ ଓ ସ୍ୱାସ୍ଥ୍ୟର ସହଭାଗିତାକୁ ସୁଦୃଢ କରିବା ଲକ୍ଷ୍ୟରେ ଅଙ୍ଗନବାଡି କେନ୍ଦ୍ର ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଅଙ୍ଗନ୍ କା ଉତ୍ସବ ପାଳନ ଅବସରରେ ପୋଷଣ ପିଠା ମହକରେ ପରିବେଶ ମହକିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଶିଶୁମାନଙ୍କ ପରିବାରବର୍ଗଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍ୱାଦିଷ୍ଟ ପୋଷଣ ପିଠା ପ୍ରଦର୍ଶନ କରାଯାଇଥିଲା ବେଳେ ତ୍ରିରଙ୍ଗା ଥାଳି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶିଶୁମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଖେଳ, ଗପ ଶୁଣିବା, ଆମ କୁନି ପିଲା, ମା ବିକାଶ ପତ୍ର ଭଳି ପୁସ୍ତକ ପ୍ରଦର୍ଶିତ ହୋଇଥିଲା ବେଳେ ପୋଷଣ, ସୁଭଦ୍ରା, ମମତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅଦ୍ୱିକା ଭଳି ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଲୋଚନା ବି କରାଯାଇଥିଲା । ଶିଶୁମାନଙ୍କ ମୁହଁରେ ହସ ଓ ମା ମାନଙ୍କ ମଧ୍ୟରେ ପୋଷଣ ସଚେତନତା ଏବଂ ଅଞ୍ଚଳବାସୀଙ୍କ ଉପସ୍ଥିତିକୁ ନେଇ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଉତ୍ସବମୁଖର ହୋଇପଡିଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ଶିଶୁବିକାଶ ପ୍ରକଳ୍ପ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଅଙ୍ଗନ୍ କା ଉତ୍ସବ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଶାନ୍ତିକରସୁଧା ପଟ୍ଟନାୟକ, ଅଞ୍ଚଳ ପରିଦର୍ଶିକା ବୈଜୟନ୍ତି କହଁର, ରଂଜୁକ୍ତା ସ୍ୱାଇଁ, ବିଷ୍ଣୁପ୍ରିୟା ଜାନି, ଗୀତାଞ୍ଜଳୀ ପଟ୍ଟନାୟକ, ମିନତୀ ପାତ୍ର, ବିପିସି କିରଣ କୁମାର ସାହୁ, ପୋଷଣ କାର୍ଯ୍ୟକ୍ରମର ସଂଯୋଜକ ମନୋଜ କୁମାର ଜେନା ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁସ୍ଥ ପରିବେଶକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେବା ସାଙ୍ଗକୁ ଶିଶୁମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ ଓ ସାମଗ୍ରିକ ବିକାଶ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ସମନ୍ୱିତ ଶିଶୁବିକାଶ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଅଙ୍ଗନ୍ କା ଉତ୍ସବ ପାଳନ ଅବସରରେ ଅଙ୍ଗନବାଡି କର୍ମୀ ନିବେଦିତା ପଟ୍ଟନାୟକ, ଅରଣ୍ୟା କୁମାରୀ ବେହେରା, ସ୍ୱପ୍ନାରାଣୀ ବେହେରା, ଗୀତାଞ୍ଜଳୀ ପଣ୍ଡା, ଶୈଳ କୁମାରୀ ଦେବୀ, ସୋନାଲୀ ପଣ୍ଡା, ସୁଚିତ୍ରା ଦାଶ, ଗୋଲାପରାଣୀ ସ୍ୱାଇଁ, ରଶ୍ମିତା ଜେନା, ଉମାରାଣୀ ପାତ୍ର, ସନ୍ତୋଷିନୀ ପାତ୍ର, ଅନିତା କୁମାରୀ ପଣ୍ଡାଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ, ସହାୟିକା, ସାମାଜିକ କର୍ମୀ, ଶିଶୁ, ଅଭିଭାବକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।


