ଅଧିକ୍ଷଣ ଯନ୍ତ୍ରୀ ପଦବୀ ଖାଲି, ବିଳମ୍ବିତ ହେଉଛି ବିଭାଗୀୟ କାର୍ଯ୍ୟ

ହାଟଡିହି, (ଓ୍ବାଇଏନଏସ):  ବିଦ୍ୟାଧରପୁର କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବାରୁ କାର୍ଯ୍ୟାଳୟରେ ପ୍ରଶାସନିକ ଅଚଳାବସ୍ଥା ଦେଖାଦେଇଛି। ନିୟମିତ ଅଧିକ୍ଷଣ ଯନ୍ତ୍ରୀ ନଥିବାରୁ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ, ବିଲ୍ ପ୍ରସ୍ତୁତି ଓ ଠିକାଦାରଙ୍କ ପ୍ରାପ୍ୟ ପ୍ରଦାନ ଭଳି କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,  ବିଦ୍ୟାଧରପୁରର କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ ଇଂ. ଭାଗିରଥି ପାତ୍ର କାର୍ଯ୍ୟରତ ଥିଲେ। ଗତ ଜୁନ୍‌ ୫ ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ଏହି ପଦବୀରେ ଏପର୍ଯ୍ୟନ୍ତ ନିୟମିତ ନିଯୁକ୍ତି ହୋଇନାହିଁ। ତାଙ୍କ ବଦଳରେ ଭଦ୍ରକର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏହି କେନାଲ ଡିଭିଜନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ତେବେ ଦୁଇଟି ଡିଭିଜନର ଦାୟିତ୍ୱ ଥିବାରୁ ସମ୍ପୃକ୍ତ ଅଧିକାରୀ ସବୁ ସମୟରେ ଶାଳନ୍ଦୀ ଡିଭିଜନ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟ ଓ ସମସ୍ୟାର ନିୟମିତ ଅନୁଧ୍ୟାନ କରିବା ସମ୍ଭବ ହେଉନଥିବା କୁହାଯାଉଛି। ଏହାର ପ୍ରଭାବ ବିଭାଗୀୟ କାର୍ଯ୍ୟ ଉପରେ ପଡ଼ୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗତ ଜୁନ୍‌ ମାସଠାରୁ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଶାଳନ୍ଦୀ ନଦୀ ଓ ଏହାର ଶାଖା କେନାଲଗୁଡ଼ିକରେ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିଲା। ଏହାପରେ ବିଭିନ୍ନ ସ୍ଥାନରେ ଘାଇ ପୋତା, କେନାଲ ମରାମତି ସମେତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟଗୁଡ଼ିକର ଅନୁଧ୍ୟାନ ଓ ଆବଶ୍ୟକ ପ୍ରକ୍ରିୟା ପରେ ଠିକାଦାରମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବା କଥା। ମାତ୍ର ଅଧିକ୍ଷଣ ଯନ୍ତ୍ରୀଙ୍କ ନିୟମିତ ନିଯୁକ୍ତି ନଥିବାରୁ ଏଥିରେ ବିଳମ୍ବ ହେଉଥିବା ଠିକାଦାରମାନେ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ି ରହିବା ଯୋଗୁଁ ଡିଭିଜନର ବିଭିନ୍ନ କାର୍ଯ୍ୟ ପ୍ରଭାବିତ ହେବା ସହ ଠିକାଦାର ଓ ସାଧାରଣ ଲୋକେ ମଧ୍ୟ ସମସ୍ୟାରେ ପଡ଼ୁଥିବା କୁହାଯାଉଛି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଶାଳନ୍ଦୀ ଡିଭିଜନ, ବିଦ୍ୟାଧରପୁରରେ ଜଣେ ନିୟମିତ ଅଧିକ୍ଷଣ ଯନ୍ତ୍ରୀ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ