ବରିଷ୍ଠ ନାଗରିକ ଦିବସରେ ସାମ୍ବାଦିକଙ୍କୁ ଅଣଦେଖା
ରାମନାଗୁଡ଼ା(ୱାଇ ଏନ ଏସ): ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ସାରା ଦେଶରେ ଜେଜେବାପା, ଜେଜେମାଆଙ୍କୁ ସମ୍ମାନ ଜଣାଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। କିନ୍ତୁ ରାମନାଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବରିଷ୍ଠ ନାଗରିକ ଦିବସ କାର୍ଯ୍ୟକ୍ରମରେ ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି,ଯେଉଁ ସାମ୍ବାଦିକମାନେ ପ୍ରତିଦିନ ପ୍ରଶାସନର ଖବର ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି, ସେହି ସାମ୍ବାଦିକମାନଙ୍କୁ ହିଁ ନିମନ୍ତ୍ରଣ କରାଯାଇ ନାହିଁ! ଏହାକୁ ନେଇ ସ୍ଥାନୀୟ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ମଞ୍ଚରେ ଅଫିସର, ତଳେ ବରିଷ୍ଠ ନାଗରିକ କିନ୍ତୁ ଖବର କିଏ ଦେବ ? ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଗୁରୁବାର ଦିନ ସକାଳ ୧୧ ଟାରେ ରାମନାଗୁଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗ ର ପଦାଧିକାରୀ ପ୍ରମୁଖ ମଞ୍ଚରେ ୫୦ ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଡକାଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି କାର୍ଯ୍ୟକ୍ରମ ବିଷୟରେ ସ୍ଥାନୀୟ କୌଣସି ସାମ୍ବାଦିକଙ୍କୁ ସୂଚନା ଦିଆଯାଇ ନଥିଲା। ନା ଫୋନ, ନା ହ୍ୱାଟସଆପ ମେସେଜ, ନା ଲିଖିତ ନିମନ୍ତ୍ରଣ। ଫଳରେ ବରିଷ୍ଠ ନାଗରିକଙ୍କ ସମ୍ମାନ ପାଇଁ ହୋଇଥିବା ଏହି ସୁନ୍ଦର କାର୍ଯ୍ୟକ୍ରମର ଖବର ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାହିଁ।


