ଅପହରଣ ଏବଂ ନିଖୋଜ ହୋଇଥିବା ୧୧ ନାବାଳିକା ୮ ଦିନରେ ଉଦ୍ଧାର
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଏସ.ପି ନୀତିନ କୁଶଲକର ଦାଗୁଡୁଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ନିଖୋଜ ଏବଂ ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର ପାଇଁ ଏକ ରଣନୀତି ପ୍ରସ୍ତୁତ କରିଛି l ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଉପଖଣ୍ଡ ଅଧୀନ ବିଭିନ୍ନ ଥାନାର ଅଧିକାରୀ ମାନେ ସମ୍ପୃକ୍ତ ଘଟଣାକୁ ଗୁରୁତର ସହ ନେଇଛନ୍ତି l ତେବେ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଏବଂ ଅନ୍ୟ ଥାନା କର୍ମଚାରୀ ମାନେ ମିଳିମିଶି ୮ ଦିନରେ ନିଖୋଜ ଥିବା ୧୧ ଜଣ ନାବାଳିକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି l ଏହି ଘଟଣାକୁ ନେଇ ୧୧ଟି ମାମଲା ମଧ୍ୟ ରୁଜୁ ହୋଇଛି l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ଉଦ୍ଧାର କରାଯାଇଥିବା କେତେକ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆଉ କିଛି ନାବାଳିକାଙ୍କୁ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି l କିନ୍ତୁ ଅଧିକାଂଶ ସମୟରେ ନିଖୋଜ ଏବଂ ଅପହରଣ ହୋଇଥିବା ନାବାଳିକାଙ୍କ ସମ୍ପର୍କୀୟଙ୍କ ଭୂଲ ସୂଚନା ପାଇଁ ପୋଲିସ ଅଯଥା ହୀନସ୍ତାର ସମ୍ମୁଖୀନ ହେଉଛି l ସୂଚନା ଯୋଗ୍ୟ,ଗତ ସେପ୍ଟେମ୍ବର ୮ ତାରିଖ ୧୮ ତାରିଖ ୧୯ ତାରିଖ ୨୧ ତାରିଖ ୨୮ ଓ ୩୦ ତାରିଖରେ ଜଣେ ଲେଖାଏଁ, ୧୧ ତାରିଖରେ ୩ ଜଣ ଏବଂ ୧୫ ତାରିଖରେ ୨ ଜଣ ମୋଟ ୧୧ ଜଣ ନିଖୋଜ ଥିବା ନାବାଳିକା ଉଦ୍ଧାର ହୋଇଛନ୍ତି l ଉଦ୍ଧାର ନାବାଳିକାଙ୍କ ମଧ୍ୟରୁ ଅଧିକାଂଶ ନାବାଳିକା ବାହାର ରାଜ୍ୟରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି l ନନ୍ଦିପଦା ଥାନା ଅଞ୍ଚଳରେ ଗତ ୧ ଅଗଷ୍ଟ ୨୦୨୫ ରୁ ୨୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ ବର୍ଷରେ ମୋଟ ୯୧ ଜଣ ନିଖୋଜ ହୋଇଛନ୍ତି l ସେଥି ମଧ୍ୟରୁ ପୋଲିସ ଦ୍ୱାରା ୬୧ ଜଣ ଉଦ୍ଧାର ହୋଇଥିଵା ବେଳେ ମୋଟ ୪୩ଟି ମାମଲା ରୁଜୁ ହୋଇଥିଲା l


