ଆମ୍ବୋ ପଞ୍ଚାୟତରେ ଜଳ ଅର୍ପଣ ଦିବସ
ହାଟଡିହି, (ଓ୍ବାଇଏନଏସ): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଜଳ ଜୀବନ ମିଶନର ସଫଳତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ହାଟଡିହି ବ୍ଲକର ଏବିଡିଓ ରଶ୍ମିରେଖା ନାଇକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଧଡ଼ା, ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଉତ୍ସଚ୍ଚ ଚନ୍ଦ୍ର ଜେନା, ସରପଞ୍ଚ ପ୍ରତିନିଧି ସୁବ୍ରତ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା, ନୀଳକମଳ ରାଉତ, ଶ୍ୟାମସୁନ୍ଦର ସିଂ, କମଳ ମାଝୀ ଓ ଏନ୍ସିସିର ରଞ୍ଜିତ ସାହା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଜଳ ଅର୍ପଣ ଦିବସର ଗୁରୁତ୍ୱ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଜଳ ଜୀବନ ମିଶନର ଉଲ୍ଲେଖନୀୟ ପ୍ରଗତି ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ଆମ୍ବୋ ପଞ୍ଚାୟତର ୮ଟି ଗ୍ରାମର ୧୬୦୦ରୁ ଊର୍ଦ୍ଧ୍ୱ ପରିବାରକୁ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ଅଧିକାରୀମାନେ ସୂଚନା ଦେଇଥିଲେ। ଜଳ ଯୋଗାଣରେ କୌଣସି ସମସ୍ୟା ଦେଖାଦେଲେ ଲିଖିତ ଅଭିଯୋଗ କରିବାକୁ ଉପଭୋକ୍ତାଙ୍କୁ ପରାମର୍ଶ ଦେବା ସହ ଅଭିଯୋଗର ସାତ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଧଡ଼ା ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଆଗାମୀ ଦିନରେ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଶତାଧିକ ଏସ୍ଏଚ୍ଜି ମହିଳା ଓ ଗ୍ରାମବାସୀ ଯୋଗଦେଇଥିଲେ। ଏହି ଅବସରରେ ଅତିଥି ମାନେ ଅଙ୍ଗନବାଡି କେନ୍ଦ୍ରରେ ଏକ ବିଶୁଦ୍ଧ ପାନୀୟ ଜଳ ଟ୍ୟାପ କୁ ଉଦଘାଟନ କରିଥିଲେ।


