୧୦ ଲକ୍ଷ ଯୌତୁକ ଦାବୀରେ ନିର୍ଯ୍ୟାତନା, ଆକ୍ରମଣ ଅଭିଯୋଗ

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡ଼ଅଁର ପଞ୍ଚାୟତ ସରଳା -ରାଧାନଗରପାଟଣା ଗ୍ରାମରେ ଗତ ୧ ବର୍ଷ ପୂର୍ବେ ବିବାହ କରିଥିବା ଜଣେ ନବ ବଧୂ କୁ ୧୦ ଲକ୍ଷ ଟଙ୍କା ପାଇଁ ଯୌତୁକ ଦାବୀ କରି ନିର୍ଯ୍ୟାତନା ଦିଆଯିବା ସହ ମରଣାନ୍ତକ ଆକ୍ରମଣ ହୋଇଛି l ଏନେଇ ଗତ ଅକ୍ଟୋବର ୧ ତାରିଖ ଗୁରୁବାର ନନ୍ଦିପଦା ଥାନାରେ ମାମଲା ନଂ ୩୭୦/୨୦୨୬ ରୁଜୁ ହୋଇଛି l ଅଭିଯୋଗ ଅନୁସାରେ ଗ୍ରାମର ନମ୍ରତା ବେହେରା ନିଜ ଗ୍ରାମର ବନମାଳୀ ଜେନାଙ୍କ ପୁଅ ତାପସକୁ ଭଲ ପାଇ ଗତ ୧୧ ଜୁଲାଇ ୨୦୨୫ ନିକଟସ୍ଥ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ l ବିବାହ ପରେ ନମ୍ରତା ନିଜ ସ୍ୱାମୀଙ୍କ ସହ ଗାଁ ରେ ରହୁଥିଲେ l ପରିବାର ନିଷ୍ପତି ବିରୁଦ୍ଧରେ ଯାଇ ପ୍ରେମ ବିବାହ କରିଥିବାରୁ ନମ୍ରତାଙ୍କର ବାପ ଘର ସହ ସବୁ ସମ୍ପର୍କ ବିଛିନ୍ନ ହୋଇଥିଲା l ବିବାହ ଘରର ୨ ମାସ ପରେ ସ୍ୱାମୀ ତାପସଙ୍କ ସହ ଶାଶୁ ଝରଣା ଜେନା, ଶ୍ୱଶୁର ବନମାଳୀ ଜେନା, ନଣନ୍ଦ ସୁନେଲି ଜେନା ମିଳିମିଶି ନମ୍ରତାଙ୍କୁ ଯୌତୁକ ପାଇଁ ୧୦ ଲକ୍ଷ ଟଙ୍କା, ସୁନା, ଗହଣା ଦାବୀ କରି ଯୌତୁକ ନିର୍ଯାତନା ଦେଇଥିଲେ l କିନ୍ତୁ ବାପ ଘର ସହ ସମ୍ପର୍କ ନଥିବାରୁ ଦାବୀ ମୁତାବକ ଯୌତୁକ ଦେବାକୁ ନମ୍ରତା ଅକ୍ଷମତା ପ୍ରକାଶ କରିଥିଲେ l ଫଳରେ ବିଭିନ୍ନ ସମୟରେ ଅଭିଯୁକ୍ତ ମାନେ ନମ୍ରତାଙ୍କୁ ମାଡ଼ ମାରିବା ସହ ଗାଳି, ଗୁଲୁଜ କରୁଥିଲେ l ଗତ ଜୁନ ୧୬ ଏବଂ ୯ ସେପ୍ଟେମ୍ବର ୨୦୨୬ ରେ ଅଭିଯୁକ୍ତ ମାନେ ମରଣାନ୍ତକ ଆକ୍ରମଣ ସ୍ୱରୂପ ପ୍ରବଳ ମାଡ଼ ମାରି ମାରିବାରୁ ନମ୍ରତା ଚେତାଶୂନ୍ୟ ହେବା ସହ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା l ପଡୋଶୀଙ୍କ ହସ୍ତକ୍ଷେପ ପରେ ନମ୍ରତା ରକ୍ଷା ପାଇଥିଲେ l ପରେ ଥାନାରେ ଲିଖିତ ଅଭିଯୋଗ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ