ଏସସିବିରେ ଶ୍ରୀକାନ୍ତଙ୍କ ମୃତ୍ୟୁ ମାମଲା: ବଢୁଛି ସନ୍ଦେହ;ସୁରକ୍ଷାକର୍ମୀ-ଆଟେଣ୍ଡାଣ୍ଟଙ୍କ ଭୂମିକା ନେଇ ପ୍ରଶ୍ନ
କଟକ, (ଓ୍ବାଇଏନଏସ): ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଆଉ ତା’ପରେ ତାଙ୍କୁ ମାଡ଼ ମରାଯାଉଥିବା ଦୃଶ୍ୟ ସିସିଟିଭିରେ ସାମ୍ନାକୁ ଆସେ, ତେବେ ସ୍ୱାଭାବିକ ଭାବେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୁଏ। କଟକ ଏସ୍ସିବି ମେଡିକାଲରେ ୪୦ ବର୍ଷୀୟ ଶ୍ରୀକାନ୍ତ ଦାସଙ୍କ ମୃତ୍ୟୁ ଘଟଣାରେ ଏବେ ଠିକ୍ ସେହିଭଳି ଗୁରୁତର ପ୍ରଶ୍ନ ସାମ୍ନାକୁ ଆସିଛି। ମାନସିକ ରୋଗ ବିଭାଗରେ ଚିକିତ୍ସାଧୀନ ଥିବା ଶ୍ରୀକାନ୍ତଙ୍କ ମୃତ୍ୟୁକୁ ପରିବାର ଲୋକେ ସନ୍ଦେହଜନକ ବୋଲି ଦର୍ଶାଇ ମଙ୍ଗଳାବାଗ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ୍ ଏବେ ତଦନ୍ତର ଏକ ପ୍ରମୁଖ ଆଧାର ପାଲଟିଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପହଙ୍ଗା ଗାଁର ଶ୍ରୀକାନ୍ତ ଦାସ ଏସ୍ସିବିର ମାନସିକ ରୋଗ ବିଭାଗରେ ଆଡମିଟ୍ ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ସହ ଘଟଣାର ସଠିକ୍ ତଦନ୍ତ ଦାବି କରାଯାଇଥିଲା। ପରିବାରର ଅଭିଯୋଗ ଓ ସିସିଟିଭି ଫୁଟେଜ୍ରେ ଥିବା ଦୃଶ୍ୟ ଘଟଣାକୁ ଆହୁରି ଗୁରୁତର କରିଛି। ପରିବାରର ଅଭିଯୋଗ ଅନୁଯାୟୀ, ଜଣେ ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀଙ୍କ ସମେତ କିଛି ବ୍ୟକ୍ତି ଶ୍ରୀକାନ୍ତଙ୍କୁ ମାଡ଼ ମାରିଥିଲେ। ସିସିଟିଭି ଫୁଟେଜ୍ରେ ମଧ୍ୟ ତାଙ୍କୁ ମାଡ଼ ମରାଯାଉଥିବା ଦୃଶ୍ୟ ଥିବା ଜଣାପଡ଼ିଛି।ଏହି ଫୁଟେଜ୍କୁ ପୁଲିସ ଜବତ କରି ତଦନ୍ତ କରୁଛି। ଶ୍ରୀକାନ୍ତଙ୍କୁ କେଉଁ ପରିସ୍ଥିତିରେ ମାଡ଼ ମରାଯାଇଥିଲା, ମାଡ଼ ପରେ ତାଙ୍କ ଅବସ୍ଥା କିପରି ଥିଲା ଏବଂ ମୃତ୍ୟୁ ସହ ଏହାର କୌଣସି ସମ୍ପର୍କ ରହିଛି କି ନାହିଁ—ଏସବୁ ଦିଗ ଏବେ ତଦନ୍ତର ଅଂଶ ପାଲଟିଛି । ଏହି ଘଟଣା ଏସ୍ସିବି ମେଡିକାଲରେ ନିୟୋଜିତ ଥିବା ଠିକା ସଂସ୍ଥାର ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟମାନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି। ରୋଗୀ ଓ ସେମାନଙ୍କ ପରିବାର ସହ କର୍ମଚାରୀଙ୍କ ବ୍ୟବହାର, ରୋଗୀଙ୍କୁ ନିୟନ୍ତ୍ରଣ କରିବା ନାଁରେ ବଳ ପ୍ରୟୋଗ ଏବଂ ହସ୍ପିଟାଲ ପରିସରରେ ଏଭଳି ଘଟଣା ରୋକିବା ପାଇଁ ନିରୀକ୍ଷଣ ବ୍ୟବସ୍ଥା କେତେ ସୁଦୃଢ଼—ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।ରୋଗୀ ଓ ସମ୍ପର୍କୀୟମାନଙ୍କ ସହ ସୁରକ୍ଷାକର୍ମୀ କିମ୍ବା ଆଟେଣ୍ଡାଣ୍ଟଙ୍କ ଦୁର୍ବ୍ୟବହାର ଓ ଦାଦାଗିରି ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଦେଖିବାକୁ ମିଳିଥିଲା ।ଏଭଳି ଅଭିଯୋଗ ଯଦି ନିୟମିତ ଭାବେ ସାମ୍ନାକୁ ଆସୁଥାଏ, ତେବେ ଠିକା ସଂସ୍ଥା ଅଧୀନରେ ନିଯୁକ୍ତ କର୍ମଚାରୀଙ୍କ ଯୋଗ୍ୟତା, ପ୍ରଶିକ୍ଷଣ, ଡ୍ୟୁଟି ସମୟର ଆଚରଣ ଏବଂ ତାଙ୍କ ଉପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ତେବେ ଏସବୁ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି। ସିସିଟିଭି ଫୁଟେଜ୍ ଜବତ କରାଯାଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯାଉଛି। ସମସ୍ତ ରିପୋର୍ଟ ଆସିବା ପରେ ତଥ୍ୟ ଆଧାରରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ସେପଟେ ଶ୍ରୀକାନ୍ତଙ୍କ ପତ୍ନୀ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କୁ ତିନି ଜଣ ବ୍ୟକ୍ତି ମାଡ଼ ମାରିଥିବା ଏବଂ ଶରୀରରେ ମାଡ଼ର ଚିହ୍ନ ରହିଥିବା ସେ କହିଛନ୍ତି। ମଦ୍ୟପାନ କରି ତାଙ୍କୁ ମାଡ଼ ମରାଯାଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଶ୍ରୀକାନ୍ତଙ୍କ ମୃତ୍ୟୁ ପରେ ପରିବାର ଏବେ ନ୍ୟାୟ ଦାବି କରୁଛି। ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ସହ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଏବେ ପୁଲିସ ତଦନ୍ତ, ସିସିଟିଭି ଫୁଟେଜ୍, ପୋଷ୍ଟମର୍ଟମ୍ ରିପୋର୍ଟ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଶ୍ରୀକାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବା ଉପରେ ନଜର ରହିଛି।


