ଜୟପୁରରେ ଗର୍ଜିଲା ବିଜେଡି, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ଜୟପୁର, (ହେମନ୍ତ ପାଣିଗ୍ରାହୀ) : ଜୟପୁର ସହରର ବିକାଶ ଯେପରି ଗତିହୀନତାର ଗର୍ତ୍ତରେ ଅଟକି ରହିଛି, ସେନେଇ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ବର୍ଷିଛି ବିଜୁ ଜନତା ଦଳ। ସହରର ମୌଳିକ ସମସ୍ୟାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଯୋଗାଯୋଗ, ପରିବହନ, ଜଳ ଓ ପରିବେଶ—ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ କରି ତୁରନ୍ତ ପଦକ୍ଷେପ ଦାବି କରିଛି ଦଳ। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟ ପ୍ରବକ୍ତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ଦଳୀୟ ନେତା ନାଗରାଜ ଦୋରା, ବାଲିଙ୍କି ରାଓ ଓ ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବନ୍ଦ ପଡ଼ିଥିବା ପେପର ମିଲ୍‌କୁ ପୁନଃ ଚାଲୁ କରିବା, ରେଳଷ୍ଟେସନ୍‌କୁ ସିଟି ବସ୍‌ ସେବା ଯୋଗାଇବା ଏବଂ ଜାତୀୟ ରାଜପଥର ଦୁରାବସ୍ଥା ଦୂର କରିବା ନେଇ ଦଳ ପକ୍ଷରୁ ଦାବି ଉଠିଥିଲା। ସହରର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବା ବେଳେ ପୌରାଞ୍ଚଳର ବିଭିନ୍ନ ସାହିର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଏବଂ ଅନେକ ନାଳ ପୋତି ହୋଇ ଜଳନିଷ୍କାସନ ବ୍ୟବସ୍ଥା ଦୁର୍ବଳ ହୋଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଥିଲା। ସ୍ୱାସ୍ଥ୍ୟସେବାକୁ ନେଇ ବିଜେଡି ନେତାମାନେ ବିଶେଷ ଭାବେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର ନଥିବାରୁ ଏହା ଧୀରେଧୀରେ ଏକ ‘ରେଫରାଲ ହସ୍ପିଟାଲ’ରେ ପରିଣତ ହେଉଥିବା ଅଭିଯୋଗ କରି ପୁରୁଣା ହସ୍ପିଟାଲକୁ ୨୦୦ ଶଯ୍ୟା ବିଶିଷ୍ଟ ସିଟି ହସ୍ପିଟାଲରେ ପରିଣତ କରିବାକୁ ଦାବି କରାଯାଇଥିଲା। ସେହିପରି ଜୟପୁରର ଐତିହ୍ୟ ଓ ପରିଚୟ ସହ ଜଡ଼ିତ ଜଗନ୍ନାଥ ସାଗରର ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା, ପୌରାଞ୍ଚଳର ୩୨ଟି ପାର୍କର ଉଚିତ ରକ୍ଷଣାବେକ୍ଷଣ, ଜାତୀୟ ହ୍ରଦ ସୁରକ୍ଷା ଯୋଜନାରେ ହୋଇଥିବା କାର୍ଯ୍ୟର ତଦନ୍ତ ଏବଂ ଚିକିଟି ନାଳର ନୂତନ ନିର୍ମାଣ ପାଇଁ ଦାବି ହୋଇଥିଲା। ପୌରାଞ୍ଚଳରେ ଆଲୋକୀକରଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଏହାର ତଦନ୍ତ ଦାବି କରାଯାଇଥିବା ବେଳେ ବଡ଼ ବିମାନ ଚଳାଚଳ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ଦଳ ଦାବି ରଖିଥିଲା। ଏହାସହ ବୋରିଗୁମ୍ମା ଏନ୍‌ଏସି କାର୍ଯ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ମେଗା ଜଳ ପ୍ରକଳ୍ପର ଅଧୁରା କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରି ଲୋକଙ୍କୁ ପାନୀୟଜଳ ଯୋଗାଇବା ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ମିଳିଥିବା ଅନୁଦାନର ବିନିଯୋଗ ସମ୍ପର୍କରେ ତଦନ୍ତ କରିବାକୁ ବିଜେଡି ପକ୍ଷରୁ ଦାବି ହୋଇଥିଲା। ବିଜେଡି ନେତାମାନେ କହିଥିଲେ, ଜୟପୁରର ବିକାଶ କେବଳ ପ୍ରତିଶ୍ରୁତି ଓ ଘୋଷଣାରେ ସୀମିତ ନରହି, ତାହାର ପ୍ରତିଫଳନ ମାଟିରେ ଦେଖାଯିବା ଆବଶ୍ୟକ। ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଦଳ ପକ୍ଷରୁ ବଡ଼ଧରଣର ଜନଆନ୍ଦୋଳନ କରାଯିବ ବୋଲି ରବି ନାରାୟଣ ନନ୍ଦ ଚେତାବନୀ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ