ବନ୍ୟାରେ କ୍ଷତିଗ୍ରସ୍ତ ଚାଷ ଜମିର କ୍ଷୟକ୍ଷତି ଆକଳନ କଲେ ସଦର ବିଧାୟକ

ବାଲେଶ୍ୱର, (ସରୋଜ ପଣ୍ଡା): ବନ୍ୟା ଯୋଗୁଁ ବାଲେଶ୍ୱର ସଦର ଅଞ୍ଚଳରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ଚାଷ ଜମି ଓ ଫସଲର କ୍ଷୟକ୍ଷତି ଆକଳନ ପାଇଁ ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ତହସିଲଦାର ଓ ବ୍ଲକ କୃଷି ଅଧିକାରୀଙ୍କ ସହ ବୁଆଁଳ ଓ ନଗ୍ରମ ପଞ୍ଚାୟତର ବିଭିନ୍ନ ଚାଷ ଜମି ପରିଦର୍ଶନ କରିଛନ୍ତି। ଲଗାତାର ବନ୍ୟା ଓ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଚାଷ ଜମି ଦୀର୍ଘ ସମୟ ଧରି ଜଳମଗ୍ନ ରହିବାରୁ ଧାନ ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଛି। ଚାଷ ଜମିରେ ପାଣି ଜମି ରହିବା ଫଳରେ ଅନେକ ଚାଷୀଙ୍କ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଆଉ କେତେକ ସ୍ଥାନରେ ଫସଲର ବ୍ୟାପକ କ୍ଷତି ଘଟିଛି। ଫଳରେ ଚାଷୀମାନେ ଚଳିତ ଋତୁର ଫସଲ ହରାଇ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ପରିଦର୍ଶନ ସମୟରେ ବିଧାୟକ ଶ୍ରୀ ଦତ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହ ଆଲୋଚନା କରି ଫସଲର ବାସ୍ତବ କ୍ଷୟକ୍ଷତି, ଚାଷ ଜମିର ସ୍ଥିତି ଏବଂ ବନ୍ୟା ପାଣି ଯୋଗୁଁ ହୋଇଥିବା କ୍ଷତି ସମ୍ପର୍କରେ ସିଧାସଳଖ ତଥ୍ୟ ସଂଗ୍ରହ କରିଥିଲେ। ବିଧାୟକ କହିଛନ୍ତି ଯେ, ବନ୍ୟାରେ ଫସଲ ନଷ୍ଟ ହେବା ଚାଷୀଙ୍କ ପାଇଁ କେବଳ ଏକ ଫସଲର କ୍ଷତି ନୁହେଁ, ଏହା ତାଙ୍କର ଅନେକ ମାସର ପରିଶ୍ରମ ଓ ଆର୍ଥିକ ଆଶାର କ୍ଷତି। ଏହି ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ପ୍ରତ୍ୟେକ ଚାଷ ଜମିର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଓ ସଠିକ୍ ଭାବେ କ୍ଷୟକ୍ଷତି ଆକଳନ କରିବାକୁ ବିଧାୟକ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ଓ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଶୀଘ୍ର ସହାୟତା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପ୍ରତି ପ୍ରତିବଦ୍ଧ। କ୍ଷୟକ୍ଷତିର ସଠିକ୍ ଆକଳନ ହେବା ପରେ ନିୟମାନୁସାରେ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଆମର ପ୍ରାଥମିକତା। ବନ୍ୟା ପରେ ଚାଷୀଙ୍କ ଫସଲ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ସରକାରୀ ସହାୟତା ଶୀଘ୍ର ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ଜିତେନ ଜେନା ଓ ବନିତା ଭୂୟାଁ, ସମିତି ସଭ୍ୟ ରଞ୍ଜନ ପାଣି ଓ ମାୟାଧର ମହାଳିକ, ନାଏବ ସରପଞ୍ଚ ସୁଜାତା ଦାସ, ରବିନାରାୟଣ ମହାପାତ୍ର, କାହ୍ନୁ ମହାଳିକ, ଶ୍ରୀକାନ୍ତ ମହାପାତ୍ର, ସର୍ବେଶ୍ୱର ମହାନ୍ତି, ପିତାମ୍ବର ଭୂୟାଁ, ସୁଶାନ୍ତ ମହାପାତ୍ର, ସୁଶାନ୍ତ ନାୟକ, ସଂଗୀତା ସିଂ, ମେଘରାଇ ହାଂସଦା, ମୁରଲୀ ମହାପାତ୍ର, ଜନ୍ମଞ୍ଜୟ ମହାପାତ୍ର, ଗଜେନ୍ଦ୍ର ଜେନା, କାବୁଲି ପାଢ଼ୀ, ନିରଞ୍ଜନ ପଣ୍ଡା, ମନ୍ମଥ ମିସ୍ତ୍ରୀ, ବାପି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ