ନିଶାମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କୁ ‘ବ୍ରାଣ୍ଡ ଆମ୍ବାସାଡର’ ହେବାକୁ ଆହ୍ୱାନ
ବାଲେଶ୍ବର(ସରୋଜ ପଣ୍ଡା); ବାଲେଶ୍ୱର ପୁଲିସ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଯୁବପିଢ଼ିକୁ ନିଶା ବିରୋଧୀ ଅଭିଯାନରେ ସାମିଲ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ପୁଲିସ ଉପମହାନିରୀକ୍ଷକ ଶ୍ରୀ ପିନାକ ମିଶ୍ର,ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିୱାକର, ଅବକାରୀ ଅଧୀକ୍ଷକ ଶେଖ ଆସଫ ଅଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ, କୁଳସଚିବ ପ୍ରଫେସର ନିହାର ରଞ୍ଜନ ରାଉତ ଏବଂ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଅଗ୍ରୱାଲା ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ନିଶାଦ୍ରବ୍ୟ ସେବନର ଶାରୀରିକ, ମାନସିକ ଓ ସାମାଜିକ କୁପ୍ରଭାବ ସହ ଏହାର ନିରାକରଣ ଏବଂ ଯୁବପିଢ଼ିର ବିଭିନ୍ନ ସମସ୍ୟା ହ୍ରାସ ଉପରେ ଗୁରୁତ୍ୱାରୋପ କରିଥିଲେ। ନିଶା ବିରୋଧୀ ସଚେତନତାକୁ ପରିବାର ଓ ସମାଜ ସ୍ତରରେ ପହଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ ‘ବ୍ରାଣ୍ଡ ଆମ୍ବାସାଡର’ ଭାବେ କାର୍ଯ୍ୟ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ନିଶାମୁକ୍ତ ସମାଜ ଗଠନ ପାଇଁ କେବଳ ପ୍ରଶାସନିକ ପଦକ୍ଷେପ ଯଥେଷ୍ଟ ନୁହେଁ; ସମସ୍ତଙ୍କ ଏକତା ଓ ସହଭାଗିତା ହିଁ ଏହି ସମସ୍ୟା ବିରୋଧରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ଅତିଥିମାନେ ମତ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିଶାମୁକ୍ତି ଓ ନିଶା ନିରାକରଣ ସମ୍ପର୍କିତ ଗବେଷଣାମୂଳକ ପ୍ରକଳ୍ପ ହାତକୁ ନେଇ ଏକାଡେମିକ୍ କ୍ଷେତ୍ରରେ ମଧ୍ୟ ଅବଦାନ ରଖିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂର୍ବାଞ୍ଚଳ ପୁଲିସ ଉପମହାନିରୀକ୍ଷକଙ୍କ ନେତୃତ୍ୱରେ ‘ନିଶାମୁକ୍ତ ଭାରତ’ ଶପଥ ପାଠ କରାଯାଇଥିଲା। ନିଶାମୁକ୍ତ ଭାରତ ଅଭିଯାନ ସମ୍ପର୍କିତ ସଚେତନତା ଚଳଚ୍ଚିତ୍ର ଓ ଭିଡିଓ, ଅବକାରୀ ବିଭାଗର ପ୍ରସ୍ତୁତି ଏବଂ ‘ଜନ ଆନ୍ଦୋଳନ, ନିଶାମୁକ୍ତ ଭାରତ ଅଭିଯାନ’ ପ୍ରଦର୍ଶିତ ହୋଇଥିଲା। ନ୍ୟୁ ଲାଇଫ ୱେଲନେସ୍ ଟ୍ରଷ୍ଟର ସଚିବ ଶ୍ରୀ ବିକ୍ରମ କେଶରୀ ଦାସ ନିଶାଦ୍ରବ୍ୟ ସେବନର ପ୍ରଭାବ, ପ୍ରତିରୋଧ, ପରାମର୍ଶ ଓ ପୁନର୍ବାସ ଉପରେ ଆଲୋଚନା କରିଥିଲେ। ବାଲେଶ୍ୱରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦେବଜ୍ୟୋତି ଦାଶ ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନର ବିଭିନ୍ନ ପଦକ୍ଷେପ ଓ ଏଥିରେ ସମସ୍ତଙ୍କ ଭୂମିକା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଟିମ୍ ନୃତ୍ୟାୟନ ଓ ଟିମ୍ ନ୍ୟୁ ଲାଇଫ ପକ୍ଷରୁ ନିଶାମୁକ୍ତ ଓ ସୁସ୍ଥ ଜୀବନର ବାର୍ତ୍ତା ନେଇ ସାଂସ୍କୃତିକ ପରିବେଷଣ କରାଯାଇଥିଲା। ଅତିଥିମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରୟୋଗାତ୍ମକ ମନୋବିଜ୍ଞାନ ବିଭାଗର ସଂଯୋଜିକା ଡ଼କ୍ଟର ରାଜଶ୍ରୀ ଦତ୍ତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ପ୍ରାଧ୍ୟାପକ ଶ୍ରୀ ଶଶାଙ୍କ ଶେଖର ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ୱର ପୁଲିସ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ଏହି ମିଳିତ ପଦକ୍ଷେପ ପୁଲିସ, ପ୍ରଶାସନ, ଅବକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ବିଶେଷଜ୍ଞ ଓ ଛାତ୍ରଛାତ୍ରୀଙ୍କୁ ଏକତ୍ର କରି ନିଶା ବିରୋଧୀ ଆନ୍ଦୋଳନକୁ ସୁଦୃଢ଼ କରିଛି। ସାମୂହିକ ସଚେତନତା, ଏକତା ଓ ଦାୟିତ୍ୱବୋଧ ମାଧ୍ୟମରେ ଏକ ସୁସ୍ଥ ଓ ନିଶାମୁକ୍ତ ଭାରତ ଗଠନ ସମ୍ଭବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।


