ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ କବି ସମ୍ମିଳନୀ
ନାଉଗାଁ , (ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିହୁଡ଼ାସ୍ଥିତ ମା’ ଜାଗୁଳାଇଙ୍କ ପୀଠରେ ରବିବାର ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବାବା ବୈକୁଣ୍ଠନାଥ ସାହିତ୍ୟ ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଅଷ୍ଟାଦଶ ଆଧ୍ୟାତ୍ମିକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ବାବା ସତ୍ୟାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି ଯୋଗଦେଇ ସ୍ୱରଚିତ ଆଧ୍ୟାତ୍ମିକ କବିତା ପାଠ କରିଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସହସଚିବ ସଞ୍ଜୟ କୁମାର ଛୁଆଳସିଂହ ମୁଖ୍ୟ ଅତିଥି, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ମୁଖ୍ୟବକ୍ତା ଏବଂ ଶିକ୍ଷା ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ଡ. ଅଭୟ କୁମାର ମଲ୍ଲିକ ବରେଣ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୂର ପାଟସାହାଣୀ, ବିଶିଷ୍ଟ ସାହିତ୍ୟିକା ସୌଭାଗିନୀ ରାୟ ଓ ଅଧ୍ୟାପକ ତଥା ସାହିତ୍ୟିକ ପ୍ରସନ୍ନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବକ୍ତାମାନେ ବାବା ବୈକୁଣ୍ଠନାଥଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଓ ଧାର୍ମିକ ଚେତନା ଉପରେ ଆଲୋକପାତ କରିବା ସହ ଆଧ୍ୟାତ୍ମିକ କବିତାର ଗୁରୁତ୍ୱ ଉପରେ ମତ ରଖିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ଦିଗରେ ସମସ୍ତେ ଉଦ୍ୟମ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। କବି ତ୍ରିଲୋଚନ ପାଢ଼ୀ, ହିମାଂଶୁ କୁମାର ମହାନ୍ତି ଓ ସୁକାନ୍ତ କୁମାର ଲେଙ୍କାଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବି ତ୍ରିଲୋଚନ ପାଢ଼ୀ, ସରୋଜିନୀ ଦେବୀ ଓ ନିରଦ ଚନ୍ଦ୍ର ଜେନାଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର, ତିହୁଡ଼ାର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।ପରିଷଦର ସମ୍ପାଦକ ବାମଦେବ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ତ୍ରିଲୋଚନ ପାଢ଼ୀ ଅତିଥି ପରିଚୟ ଓ ଶିକ୍ଷକ ହିମାଂଶୁ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଗଙ୍ଗାଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


