ଛାତ୍ରସଂସଦ ନିର୍ବାଚନ ପାଇଁ ଆସନ୍ତା ୧୫ରେ ହେବ ମତଦାନ
ଆସିକା (ୱାଇଏନ୍ଏସ୍): ଛାତ୍ରସଂସଦ ନିର୍ବାଚନ ପାଇଁ ମତଦାନ ହେବାକୁ ଆଉମାତ୍ର ଗୋଟିଏ ଦିନ ବାକି ଅଛି । ଆସନ୍ତା ୧୫ ତାରିଖ ଗୁରବାର ଦିନ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଏବଂ ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ଛାତ୍ରସଂସଦର ବିଭିନ୍ନ ପଦପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ଛାତ୍ରସଂସଦ ନିର୍ବାଚନକୁ ନେଇ ଆସିକାରେ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ କସରତ ଜାରି ରଖିଥିବା ବେଳେ ପ୍ରଚାରରେ କ୍ୟାମ୍ପସ ପରିସର କମ୍ପି ଉଠିଥିବା ଜଣାପଡିଛି । ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ଆସିକାରେ ଛାତ୍ର ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଆସିକାର ଦୁଇ ମହାବିଦ୍ୟାଳୟ ପରିସର ଠାରୁ ଆରମ୍ଭ କରି ଶ୍ରେଣୀଗୃହକୁ ନିଜ ନିଜ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ପ୍ରାର୍ଥୀମାନେ ଯାଇ ଭୋଟ ଦେବ ପାଇଁ ଭୋଟରଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ଛାତ୍ରସଂସଦ ନିର୍ବାଚନର ଫଳାଫଳ ପରୋକ୍ଷରେ ଆସିକା ଅଞ୍ଚଳରେ କେତେକ ରାଜନୈତିକ ଦଳର ନେତୃତ୍ୱଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ବୋଲି ଚର୍ଚ୍ଚା ହେଉଛି । ଆମକୁ ଭୋଟ ଦିଅ ଏବଂ ଆମେ ଛାତ୍ରଛାତ୍ରୀଙ୍କ ସ୍ୱରକୁ ଗୁରୁତ୍ୱ ଦେଇ ମହାବିଦ୍ୟାଳୟ ସବୁ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବୁ ଏଭଳି ପ୍ରତିଶୃତି ଦେଇ ବହୁ ପ୍ରାର୍ଥୀ ଭୋଟରଙ୍କ ନିକଟତର ହେଉଥିବା ଦେଖିବାକୁ ମିଳୁଛି । ଦୀର୍ଘ ୮ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେଉଥିବାରୁ କେତେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି । ଆସନ୍ତା ଛାତ୍ରସଂସଦ ନିର୍ବାଚନରେ ଆସିକାର ଦୁଇ ମହାବିଦ୍ୟାଳୟରେ କିଏ ଦଖଲ କରିବ କ୍ୟାମ୍ପସ ତାହାକୁ ନେଇ ଆଲୋଚନା ଜୋର୍ ଧରିଥିବା ଦେଖିବାକୁ ମିଳୁଛି ।


