ବଜାରରେ ମିଳୁଥିବା ପାଚିଲା କଦଳୀ ସ୍ୱାସ୍ଥ୍ୟ ପ୍ରତି କେତେ ସୁରକ୍ଷିତ?
ଆସିକା ତ (ୱାଇଏନ୍ଏସ୍) : କଦଳୀ ଏକ ଲୋକପ୍ରିୟ ସ୍ୱାଦିଷ୍ଟ ପୁଷ୍ଟିକର ଖାଦ୍ୟ । ଆସିକା ବଜାରରେ ବିକ୍ରୀ ହେଉଥିବା କଦଳୀ ସାଧାରଣତଃ ଖାଇବା ଯୋଗ୍ୟ ବୋଲି ପ୍ରାୟତଃ ସମସ୍ତେ ନିଶ୍ଚିତ । ବର୍ଷକର ବାର ମାସ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଛକବଜାର ସବୁଠି ପାଚିଲା କଦଳୀ ବିକ୍ରୀ ହେଉଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟତଃ କଦଳୀ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । କଦଳୀ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ହୋଇଥିଲା ବେଳେ ଓଡିଆ ପରମ୍ପରା ଓ ଧାର୍ମିକ ସହ ଏହାର ଗଭୀର ସଂପର୍କ ରହିଛି । ପୂଜାପାର୍ବଣ ଠାରୁ ଆରମ୍ଭ କରି ମାଙ୍ଗଳିକ କାର୍ଯ୍ୟରେ କଦଳୀ ପୂଜା ପ୍ରାୟତଃ ହୋଇଥାଏ । ଘରକୁ କୁଣିଆ କୁଟୁମ୍ବ ଆସିଲେ ଫଳଥାଳିରେ କଦଳୀ ରହିବା ଏକ ପାରମ୍ପରିକ ପ୍ରଥା ହୋଇଯାଇଛି । ଏଥିପାଇଁ ବର୍ଷତମାମ କଦଳୀର ଚାହିଦା ରହୁଥିବା ଦେଖିବାକୁ ମିଳୁଛି । ପୂଜାପାର୍ବଣ ଓ ଶୁଭକାର୍ଯ୍ୟ ସମୟରେ କଦଳୀର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଥାଏ । ଆସିକା ଅଞ୍ଚଳରେ ବିକ୍ରୀ ହେଉଥିବା ଏତେମାତ୍ରର କଦଳୀ କେଉଁଠାରୁ ଆସୁଛିି ଓ ଗୋଟିଏ ରାତି ମଧ୍ୟରେ ପାଚିଯାଉଛି ତାହା ପ୍ରକୃତରେ ପ୍ରାକୃତିକ ନା ଅନ୍ୟ କୌଣସି କୃତ୍ରିମ ଉପାୟରେ ଏହାକୁ ପଚାଯାଉଛି ତାହା ସାଂପ୍ରତିକ ପରିସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ପାଚିଲା କଦଳୀକୁ ଖାଇବାରେ ନିଜ ଶରୀରର ସୁରକ୍ଷାକୁ ନେଇ ମଧ୍ୟ କେତେକ କ୍ଷେତ୍ରରେ ଦ୍ୱନ୍ଦ ସୃଷ୍ଟି ହେଉଛି । କଦଳୀକୁ କ୍ୟାଲସିୟମ୍ କାର୍ବାଇଡ୍ ଭଳି ରସାୟନିକ ଦ୍ରବ୍ୟ କିମ୍ବା ଅନ୍ୟ କୌଣସି କୃତ୍ରିମ ପ୍ରକ୍ରିୟାରେ ପଚାଇବା ସଂପୁର୍ଣ୍ଣ ନିଷିଦ୍ଧ କରାଯାଇଥିବା ଜଣାପଡିଛି । ସଂପ୍ରତି ଇଥୋଫନ୍ ନାମକ ଏକ ପ୍ରକାର କେମିକାଲ୍କୁ ଦ୍ରବଣ ଆକାରରେ ବ୍ୟବହାର କରାଯାଇ କୃତ୍ରିମ ଉପାୟରେ କଦଳୀକୁ ପଚାଇ ଦିଆଯାଉଥିବା କେତେକ ମହଲରେ ଆଲୋଚିତ ହେବା ପରେ ଗତକାଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏକ କଦଳୀ ଗୋଦାମରେ ଚଢାଉ କରାଯାଇ ଯାଞ୍ଚ କରାଯିବା ସାଙ୍ଗକୁ ଜରିମାନା ବି ପକାଯାଇଥିବା ଚର୍ଚ୍ଚା ହେଉଛି । କେମିକାଲ୍ଯୁକ୍ତ କଦଳୀ ଖାଇବା ଦ୍ୱାରା ମଣିଷ ଶରୀର ରୋଗାକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରାକୃତିକ ଭାବେ ପଚାଯାଉଥିବା କଦଳୀରେ ଭିଟାମିନ୍-ବି ଓ ସି ଭଳି ପୋଷକତତ୍ତ୍ୱ ରହିଥାଏ । କେମିକାଲ୍ ବ୍ୟବହାର କରି ପଚାଯାଉଥିବା କଦଳୀରେ କିଛି ପୋଷକ ଗୁଣ ନଥାଏ ବୋଲି ଆଲୋଚିତ ହେଉଛି । ଖାଇବା ପୂର୍ବରୁ କଦଳୀ ଚୋପାକୁ ଧୋଇବା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞ କୁହନ୍ତି । କଦଳୀ ଏକ ପୁଷ୍ଟିକର ଖାଦ୍ୟ ହୋଇଥିଲା ବେଳେ ପ୍ରାକୃତିକ ଭାବେ ପାଚିଥିବା କଦଳୀ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ବଜାରରେ ବିକ୍ରୀ ହେଉଥିବା କେତେକ ଖାଦ୍ୟ ଉପରୁ ନାନା କାରଣରୁ ଲୋକଙ୍କ ଭରସା ଦିନକୁ ଦିନ ତୁଟିବାରେ ଲାଗିଛି । ଆଖିକୁ ସୁନ୍ଦର ଓ ପାଟିକୁ ସୁଆଦ ଲାଗୁଥିବା ପାଚିଲା କଦଳୀ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ତାହା ଭାବିବା ପାଇଁ କାହାରି ପାଖରେ ସମୟ ନଥିବା ଦେଖିବାକୁ ମିଳୁଛି । ପୂଜା ବଜାରରେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପାଚିଲା କଦଳୀର ବିକ୍ରୀବଟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ସୁଯୋଗ ନେଇ କେତେକ ବ୍ୟବସାୟୀ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରୁ ଟ୍ରକ୍ ଟ୍ରକ୍ କଦଳୀଖାନ୍ଦି ଆଣି କିଭଳି ସ୍ୱଳ୍ପ ଦିନ ମଧ୍ୟରେ ପଚାଇ ବିକ୍ରୀ କରୁଛନ୍ତି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ବହୁ ଗୁମର କଥା ପଦାରେ ପଡିବ ବୋଲି ଆଲୋଚିତ ହେଉଛି । ଖାଦ୍ୟ ନିରାପତ୍ତା ବିଭାଗ ନିୟମିତ ଚଢାଉ କଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ମଧ୍ୟ ମତ ପ୍ରକାଶ ପାଉଛି । ଦୀର୍ଘ ଦିନ ଧରି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପାଚିଲା କଦଳୀ ବ୍ୟବସାୟ ଆଶାତୀତ ଭାବେ ବୃଦ୍ଧି ପାଇଚାଲିଥିଲା ବେଳେ ଉକ୍ତ କଦଳୀଗୁଡିକ ପ୍ରାକୃତିକ ଉପାୟରେ ପାଚିଛି ନା କାର୍ବାଇଡ୍ ମାଧ୍ୟମରେ ପଚାଯାଉଛି ତାହାର ଏକ ତଦନ୍ତ କରି ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।


