ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

କୋରାପୁଟ,  (ହେମନ୍ତ ପାଣିଗ୍ରାହୀ) : ରକ୍ତର ପ୍ରତିଟି ବିନ୍ଦୁରେ ଲୁଚି ରହିଛି ଜୀବନର ସମ୍ଭାବନା, ଆଉ ଜଣେ ରକ୍ତଦାତାଙ୍କ ନିଃସ୍ୱାର୍ଥ ତ୍ୟାଗରେ ଅନ୍ୟ ଜଣଙ୍କ ଜୀବନରେ ଫେରିଆସିପାରେ ନୂଆ ସକାଳ। ଏହି ମହତ୍ତର ମାନବୀୟ ଭାବନାକୁ ଆଧାର କରି ସେବା ଓ ସମର୍ପଣର ବାର୍ତ୍ତା ପ୍ରସାର କରିଛି ସେବା ସଂକଳ୍ପ ଅଭିଯାନ। ଏହି ଅଭିଯାନ ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।
ମାନବ ସେବା ହିଁ ମାଧବ ସେବା— ଏହି ମହତ୍ ଚିନ୍ତାଧାରାର ପ୍ରତିଫଳନ ଦେଖିବାକୁ ମିଳିଥିଲା ଶିବିରରେ। ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ସୀମାରେଖାକୁ ଅତିକ୍ରମ କରି ରକ୍ତଦାନ ମଣିଷକୁ ମଣିଷ ସହ ଯୋଡ଼ିବାର ଏକ ମହାନ ମାଧ୍ୟମ। ରକ୍ତର ଅଭାବରେ ଚିକିତ୍ସା ପାଉଥିବା ଅନେକ ରୋଗୀଙ୍କ ପାଇଁ ଏହା ନୂତନ ଜୀବନର ଆଶା ସଞ୍ଚାର କରିଥାଏ। ଏହି ଉଦାତ୍ତ ଉଦ୍ଦେଶ୍ୟକୁ ସାକାର କରିବା ଲକ୍ଷ୍ୟରେ ଶିବିରରେ ସ୍ୱେଚ୍ଛାକୃତ ରକ୍ତଦାନ କରାଯାଇଥିଲା।
ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଗୁରୁତ୍ୱ ବୃଦ୍ଧି କରିଥିଲେ। ରକ୍ତଦାନ କେବଳ ଏକ ଦାନ ନୁହେଁ, ବରଂ ଏହା ମାନବିକତାର ଏକ ଅନନ୍ୟ ପରିଚୟ ଏବଂ ସମାଜ ପ୍ରତି ମଣିଷର ନୈତିକ ଦାୟିତ୍ୱବୋଧର ଜ୍ୱଳନ୍ତ ଉଦାହରଣ। ଜଣେ ବ୍ୟକ୍ତିଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଅନ୍ୟ ଜଣଙ୍କ ପରିବାରରେ ଖୁସି ଫେରାଇ ଆଣିବା ସହ ଏକ ଅମୂଲ୍ୟ ଜୀବନକୁ ସୁରକ୍ଷା ପ୍ରଦାନ କରିପାରେ। ଶିବିରରେ ଜୟପୁର ରକ୍ତଭଣ୍ଡାରର କର୍ମଚାରୀ ଲକ୍ଷ୍ମୀକାନ୍ତ ଗାଇନ୍, ଦିବାକର ସାହୁ ଓ ସାଇସାଗର ଭୂୟାଁ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ। ସେହିପରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଶମ୍ଭୁନାଥ ଓ ତାଙ୍କ ସହଯୋଗୀ କର୍ମଚାରୀମାନେ ଶିବିରର ସମନ୍ୱୟ ଓ ପରିଚାଳନାରେ ସହଯୋଗର ହାତ ବଢ଼ାଇଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ରକ୍ତ ସଂଗ୍ରହ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ରକ୍ତର ପ୍ରତ୍ୟେକ ୟୁନିଟ୍ ଜଣେ ଅସହାୟ ରୋଗୀଙ୍କ ପାଇଁ ଆଶାର ଆଲୋକ ହୋଇପାରେ। ଦୁର୍ଘଟଣାରେ ଆହତ ବ୍ୟକ୍ତି, ଜଟିଳ ଅସ୍ତ୍ରୋପଚାରର ସମ୍ମୁଖୀନ ରୋଗୀ ଏବଂ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ରକ୍ତର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସମୟରେ ସ୍ୱେଚ୍ଛାକୃତ ରକ୍ତଦାତାମାନେ ଜୀବନ ରକ୍ଷାର ଏକ ମହତ୍ ଦାୟିତ୍ୱ ନିର୍ବାହ କରିଥାନ୍ତି। ସମାଜରେ ସେବା, ସହଯୋଗ ଓ ସମ୍ବେଦନଶୀଳତାର ଭାବନାକୁ ଅଧିକ ସୁଦୃଢ଼ କରିବା ସହ ରକ୍ତଦାନ ପ୍ରତି ଜନସଚେତନତା ସୃଷ୍ଟି କରିବାରେ ଏଭଳି ଅଭିଯାନର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଲମତାପୁଟରେ ସଂଗୃହୀତ ୩୫ ୟୁନିଟ୍ ରକ୍ତ କେବଳ ଏକ ସଂଖ୍ୟା ନୁହେଁ; ଏହା ମାନବିକତା, ପରୋପକାର ଓ ଜୀବନ ପ୍ରତି ସମ୍ମାନର ଏକ ଅର୍ଥପୂର୍ଣ୍ଣ ପ୍ରତୀକ। ରକ୍ତଦାନକୁ ଏକ ନିୟମିତ ସାମାଜିକ ଆନ୍ଦୋଳନରେ ପରିଣତ କରିବା ସହ ଅଧିକରୁ ଅଧିକ ସୁସ୍ଥ ନାଗରିକ ଏଥିରେ ସାମିଲ ହେଲେ ରକ୍ତର ଅଭାବଜନିତ ସମସ୍ୟାକୁ ଅନେକାଂଶରେ ଦୂର କରାଯାଇପାରିବ। ସେବା ସଂକଳ୍ପ ଅଭିଯାନର ଏହି ପଦକ୍ଷେପ ସମାଜରେ ମାନବୀୟ ମୂଲ୍ୟବୋଧର ପ୍ରସାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ