ପୂଜା କମିଟି କଥା ରଖିଲାନି ପ୍ରଶାସନ ବୈଠକ: ଅଧାରୁ ଉଠିଲେ କମିଟି କର୍ମକର୍ତ୍ତା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଆସନ୍ତା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ ନିର୍ଦ୍ଧାରିତ ହୋଇଥିବା ବୈଠକରେ ପ୍ରଶାସନ ପୂଜା କମିଟିର କଥାକୁ ଗୁରୁତ୍ୱ ନଦେବାରୁ କମିଟି କର୍ମକର୍ତ୍ତାମାନେ ବୈଠକ ଅଧାରୁ ଉଠି ଆସିଛନ୍ତି। ଏହାକୁ ନେଇ ଏକ ଅପ୍ରିକର ପରିସ୍ଥିତି ସୃଷ୍ଟି ହୋଇଛି। କମିଟି କର୍ମକର୍ତ୍ତାମାନେ ପ୍ରଶାସନକୁ ଦୋଷ ଦେଇଛନ୍ତି। ଅପରପକ୍ଷରେ ପ୍ରଶାସନ କହିଛି ସରକାରୀ ନିର୍ଦ୍ଦେଶ ନମିଳିବା ଯାଏଁ କମିଟି କର୍ମକର୍ତ୍ତାଙ୍କ ଦାବି ଗ୍ରହଣ କରାଯିବ ନାହିଁ। କମିଟି କର୍ମକର୍ତ୍ତାମାନେ କହିଛନ୍ତି କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜାକୁ ଶହେ ବର୍ଷ ପୁରୁଛି। ଏନେଇ ରାତି ୧୨ଟା ପର୍ଯ୍ୟନ୍ତ ଡାକବାଜୀ ଯନ୍ତ୍ର ବାଜିବା ପାଇଁ ଅନୁମତି ଦେବାକୁ ଗତ ୪ମାସ ପୂର୍ବରୁ ପ୍ରଶାସନକୁ ଲିଖିତ ଭାବେ ଜଣାଯାଇଥିଲା। ଏହାସହ ଗତ ୫ତାରିଖରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ପ୍ରଶାସନକୁ ମଧ୍ୟ ଅନୁରୋଧ କରାଯାଇଥିଲା। ପ୍ରଶାସନ ପ୍ରତିଶୃତି ଦେଇଥିଲା ଏନେଇ ସରକାରଙ୍କୁ ଅବଗତ କରାଯାଇ ନିଷ୍ପତ୍ତି ନିଆଯିବ। କିନ୍ତୁ ପୂର୍ବ ବୈଠକର ୧୦ଦିନ ପରେବି ପ୍ରଶାସନ କହୁଛି ସରକାର ଏଦିଗରେ ନିଷ୍ପତ୍ତି ନେବେ। ତେଣୁ ପ୍ରଶାସନ ବାସ୍ତବରେ ସରକାରଙ୍କୁ ଅବଗତ କରିଛି କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ଏକ ଗଣପର୍ବ ହୋଇଥିବାରୁ ଏହାକୁ ଉପଭୋଗ କରିବା ପାଇଁ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ବହୁ ସଂଖ୍ୟାରେ ଲୋକମାନେ କେନ୍ଦ୍ରାପଡା ଆସିଥାନ୍ତି। ତେଣୁ ରାତି ୧୨ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ବଜାଇବାକୁ ଅନୁମତି ଦିଆନଗଲେ ଏହି ଗଣପର୍ବ ଫିକା ପଡିଯିବ। ସେଥିପାଇଁ ଆମେ ପ୍ରଶାସନକୁ ଅନୁରୋଧ କରିଥିଲୁ ରାତି ୧୨ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ବଜାଇବାକୁ ଅନୁମତି ଦେବାକୁ। ହେଲେ ପ୍ରଶାସନ ଲକ୍ଷ ଲକ୍ଷ ଦେଖଣାହାରୀଙ୍କ ଭାବାବେଗକୁ ବୁଝି ପାରୁନାହିଁ। ମହୋତ୍ସବର ପ୍ରକୃତ ଅର୍ଥ ଲୋକମାନଙ୍କୁ ଖୁସି ଦେବା। ପ୍ରଶାସନର କର୍ତ୍ତବ୍ୟ ହେଉଛି ମହୋତ୍ସବ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା। ଏଥିପାଇଁ ସରକାର ହଜାର ହଜାର ପୋଲିସ ବାହିନୀ ଯୋଗାଇ ଦେଇଛନ୍ତି। ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ସରକାରଙ୍କ ଦ୍ୱାହି ଦେବାକୁ ଉଦ୍ୟମ କରିଛି। କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଲୋକମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାତି ୧୨ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ବାଜିବା ନେଇ ସରକାରଙ୍କୁ ଅନୁରୋଧ କରିଥିଲେ। ତେଣୁ ପ୍ରଶାସନ ଅନୁମତି ନଦେବାରେ କୈାଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି କମିଟି କର୍ମକର୍ତ୍ତାମାନେ କହିଛନ୍ତି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅରୁଣ ନାୟକ ଗଣମାଧ୍ୟମକୁ କହିଛନ୍ତି ଆମେ ସରକାରଙ୍କୁ ଏନେଇ ଅନୁମତି ମାଗିଛୁ। କିନ୍ତୁ ଅନୁମତି ନମିଳିବାରୁ ଆମେ ଏନେଇ କୈାଣସି ସ୍ପଷ୍ଟ ନିର୍ଦ୍ଦେଶ ଦେଇପାରୁନାହୁଁ। ସରକାର ଅନୁମତି ଦେବା ମାତ୍ରେ ଆମେ ଏହାକୁ କାର୍ଯ୍ୟକାରୀ କରିବୁ। ଏକ୍ଷେତ୍ରରେ ପୂଜା କମିଟି କର୍ମକର୍ତ୍ତାମାନେ ପ୍ରଶାସନକୁ ସହଯୋଗ କରିବା ଉଚିତ ବୋଲି ସେ କହିଛନ୍ତି। ଏହି ବୈଠକରେ ପ୍ରଶାସନ ପକ୍ଷରୁ ଡେପୁଟୀ କଲେକ୍ଟର, ଅତିରିକ୍ତ ଏସପି ସୁଧାକର ସାହୁ, ଡିଏସପି(ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡା, ଟାଉନଥାନା ଅଧିକାରୀ ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


