ସରକାରୀ ଯୋଜନାର ସଚେତନତା ବାର୍ତ୍ତା ପରିବେଶଣ ବନ୍ଦ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କ୍ରୟ କରାଯାଇ ୧୩ ନମ୍ବର ୱାର୍ଡ ଅଧିନସ୍ଥ ବିନାୟକ ବଜାର ଏବଂ ଲକ୍ଷ୍ମୀ ବଜାରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଶ୍ୱର୍ ଏବଂ ୧୨ ନମ୍ବର ୱାର୍ଡର ବିଜୁ ପଟ୍ଟନାୟକ ଛକ ନିକଟରେ ଲଗାଯାଇଥିବା ବଡ ଏଲ୍ଇଡି ଟିଭି ଦୀର୍ଘ ଦିନ ଧରି ଅଚଳ ହୋଇ ପଡିରହିଥିଲେ ମଧ୍ୟ ସେଗୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବହୁବିଧ ଜନକଲ୍ୟାଣକାରୀ ଯୋଜନାର ସଫଳତାର ବାର୍ତ୍ତା ପରିବେଶଣ କରି ଲୋକଙ୍କୁ ସଚେତନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ୨ଟି ମୂଲ୍ୟବାନ ଏଲ୍ଇଡି ଟିଭି ଦୀର୍ଘ ଦିନ ଧରି ଅଚଳ ହୋଇପଡିଥିବା ଯୋଗୁଁ ବହୁ ବ୍ୟକ୍ତି ସରକାରୀ ଯୋଜନା ସଂପର୍କରେ ଜ୍ଞାନ ଆହରଣ କରିବାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହେଉଛି । ଆସିକା ସହରର ଲକ୍ଷ୍ମୀ ବଜାର-ବିନାୟକ ବଜାର ମୁଖ୍ୟରାସ୍ତା ପାଶ୍ୱର୍ ଏବଂ ବିଜୁ ପଟ୍ଟନାୟକ ଛକରେ ଅତୀତରେ ଲଗାଯାଇଥିବା ଏଲ୍ଇଡି ଟିଭି ମାଧ୍ୟମରେ ସାଧାରଣ ଜନତା ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଜାଣିବାରେ ସକ୍ଷମ ହୋଇପାରୁଥିଲେ । ତେବେ ବିଡମ୍ବନାର ବିଷୟ ଏହି ଦୁଇଟି ଏଲ୍ଇଡି ବଡ ଟିଭି ଅଚଳ ହୋଇପଡିଥିଲା ବେଳେ ସେଗୁଡିକୁ କାର୍ଯ୍ୟକ୍ଷମ କରାନଯିବା ଅନ୍ତରାଳରେ କି ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ୍ୟ । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସରକାରୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ସଚେତନତାର ବାର୍ତ୍ତା ପରିବେଶଣ କରୁଥିବା ଏଲ୍ଇଡି ବଡ ଟିଭି ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।


