ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କୁ ତାଲିମ୍ ପ୍ରଦାନ
ଆସିକା (ୱାଇଏନ୍ଏସ୍): ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୁଲ୍ୟରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ବାଣିବିହାର ସ୍ଥିତ ଗୋଷ୍ଠୀ ଦିବ୍ୟାଙ୍ଗ ସାଧନ କେନ୍ଦ୍ର ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କ ନିମନ୍ତେ ବୁଧବାର ଠାରୁ ଦୁଇ ଦିବସୀୟ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ପରାମର୍ଶକ୍ରମେ ଗୋଷ୍ଟୀ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଥିବା ଏହି ଦୁଇ ଦିବସୀୟ ତାଲିମ୍ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ବେହେରା ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ କଲ୍ୟାଣ ପାଇଁ ସମଗ୍ର ଶିକ୍ଷା ମାଧ୍ୟମରେ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । ସମଗ୍ର ଶିକ୍ଷା ପକ୍ଷରୁ ବାଣିବିହାର ସ୍ଥିତ ଗୋଷ୍ଠୀ ଦିବ୍ୟାଙ୍ଗ ସାଧନ କେନ୍ଦ୍ର ପରିସରରେ ଆରମ୍ଭ ହୋଇଥିବା ଏହି ଦୁଇ ଦିବସୀୟ ତାଲିମ୍ ଶିବିରରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଖାରିଆ, ଭେଟନଇ, ବଡଖୋଲି, ବାବନପୁର କ୍ଳଷ୍ଟର ଅଧୀନସ୍ଥ ବିଭିନ୍ନ ସରକାରୀ ବିଦ୍ୟାଳୟର ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକ ଯୋଗଦେଇ ତାଲିମ୍ ନେଇଥିଲେ। ସାଧନ କର୍ମୀ ଭାବରେ ଗୋଷ୍ଟୀସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ, ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ମନ୍ଦାକିନୀ ରଥ, ସିଆର୍ସିସି ରଂଜିତା ପାତ୍ର ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଅଧିକାର ଅଧିନିୟମ ୨୦୧୬ ଅନୁଯାୟୀ ୨୧ ପ୍ରକାରର ଦିବ୍ୟାଙ୍ଗ ଚିହ୍ନଟ ସାଙ୍ଗକୁ ସେମାନଙ୍କ ଶିକ୍ଷାର ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର ସୁବିଧା ସୁଯୋଗ ପ୍ରଦାନ ସମ୍ପର୍କରେ ଅଭିଭାବକ ମାନଙ୍କୁ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଦିଗରେ ଅଭିଭାବକ ମାନଙ୍କ ଦାୟିତ୍ୱ ଓ ବିଦ୍ୟାଳୟସ୍ତରରେ ଶିକ୍ଷକ ମାନଙ୍କ କର୍ତ୍ତବ୍ୟ, ଭିନ୍ନକ୍ଷମ ଶିଶୁମାନଙ୍କ ନିମନ୍ତେ ଉତ୍ତମ ଗୃହ ପରିଚାଳନା ପାଇଁ ଅଭିଭାବକମାନଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ଓ ଭୂମିକା, ଦିବ୍ୟାଙ୍ଗ ଶିଶୁଙ୍କ ବିଭିନ୍ନ ସମସ୍ୟାର ସମାଧାନ, ବିଦ୍ୟାଳୟ ଆସିବା ପାଇଁ ଆଗ୍ରହ ସୃଷ୍ଟି, ଦିବ୍ୟାଙ୍ଗମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଛାସେବୀ ସନ୍ତୋଷ ମହାଙ୍କୁଡ ଏବଂ ମାର୍କଣ୍ଡ ସ୍ୱାଇଁଙ୍କ ସମେତ ଶିକ୍ଷାବିଭାଗର ବହୁ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।


