କେନ୍ଦ୍ରାପଡା କଲେଜ ଛାତ୍ର ସଂସଦ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ରସଂସଦ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ବେଳେ ତାହାକୁ ସ୍ଥଗିତ ରଖାଯାଇଛି। ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କିନ୍ତୁ କେଉଁ କାରଣ ପାଇଁ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ରଖାଗଲା ତାହାର କୈାଣସି ଯୁକ୍ତିଯୁକ୍ତ କାରଣ ସେ ଗଣମାଧ୍ୟମକୁ ଦେଇପାରି ନାହାନ୍ତି। କେବଳ କେତେକ ଅନିବାର୍ଯ୍ୟ କାରଣ ଯୋଗୁଁ ଏହାକୁ ସ୍ଥଗିତ ରଖାଗଲା ବୋଲି ସେ ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସେ ସୂଚନା ଦେଇଛନ୍ତି। ବିଧି ଅନୁଯାୟୀ ଛାତ୍ରଛାତ୍ରୀମାନେ ଛାତ୍ରସଂସଦ ନିର୍ବାଚନରେ ବିଜୟୀ ହେବାର ପରଦିନ ଶପଥ ନେଇଥାନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ବାଚିତ ଛାତ୍ରଛାତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥାନ୍ତି। ଏହାପରେ ସେମାନେ ବିଧିବଦ୍ଧ ଭାବେ ମହାବିଦ୍ୟାଳୟରେ ନିର୍ବାଚିତ ପ୍ରତିନିଧି ଭାବେ ଘୋଷିତ ହୋଇଥାନ୍ତି। କିନ୍ତୁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇନଥିବାରୁ ନିର୍ବାଚିତ ପ୍ରତିନିଧିମାନେ ବିଧିବଦ୍ଧ ଭାବେ ନେତା ହୋଇପାରିବେ ନାହିଁ। ଏହାକୁ ନେଇ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶାସକ ବିଜେପି ସମର୍ଥିତ ଏ.ବି.ଭି.ପି.ର ପ୍ରାର୍ଥୀମାନେ ହାରି ଯିବାରୁ ପ୍ରଶାସନିକ କଳକୁ ସରକାର ବ୍ୟବହାର କରି ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟ କରିଛନ୍ତି ବୋଲି ନିର୍ବାଚିତ ଛାତ୍ରନେତାମାନେ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଷ୍ଟାଫ କାଉନସିଲ ବୈଠକ ଡକାଯାଇଥିଲା। ବୈଠକର ନିଷ୍ପତ୍ତି କ୍ରମେ ଶପଥ ଗ୍ରହଣ ଉତ୍ସବକୁ ସ୍ଥଗିତ ରଖାଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି।


