ଆଦ୍ୟାଶକ୍ତି ମା’ ବିମଳା ଶ୍ରୀକ୍ଷେତ୍ରରାଜେଶ୍ବରୀ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ବିଶ୍ୱ ବନ୍ଦନୀୟ ହେଉଛି ଆମ ଜଗନ୍ନାଥ ସଂସ୍କୃତି । ଏହି ସଂସ୍କୃତିରେ ବିଭିନ୍ନ ମତବାଦ ଓ ସର୍ବଧର୍ମ ସମନ୍ୱୟର ଅପୂର୍ବ ମିଳନ ଦେଖିବାକୁ ମିଳେ ଏବଂ ତତ୍ ସହିତ ଏଠି ବୈଦିକ ରୀତିନୀତି,ଉପାସନା ଓ ତନ୍ତ୍ରର ବିଧି ବିଧାନ ଆଦି ପ୍ରଚଳିତ ରହିଛି। ଯଦି ଏହି ସଂସ୍କୃତିର ଅତୀତକୁ ଦେଖାଯାଏ, ତେବେ ଆମେ ଜାଣିପାରିବା ଯେ, ଶାବର ତନ୍ତ୍ର ଏ ସଂସ୍କୃତିର ଏକ ଅଂଶ ବିଶେଷ ହୋଇ ରହିଥିଲା। ଯାହାକୁ ପ୍ରମାଣିତ କରିଛନ୍ତି ଅନେକ ସାଂସକୃତିକ ଗବେଷକ । ଏହି ଗବେଷକମାନଙ୍କ ମତ ଅନୁଯାୟୀ ବହୁ ବର୍ଷ ଧରି ନୀଳାଚଳ କ୍ଷେତ୍ରଟି ତାନ୍ତ୍ରିକମାନଙ୍କ ସାଧନାର ପୀଠସ୍ଥଳୀ ହୋଇ ରହିଥିଲା। ସେଭଳି ତାନ୍ତ୍ରିକ ଗ୍ରନ୍ଥ ‘ତନ୍ତ୍ର ଚୂଡ଼ାମଣି’ ଅନୁସାରେ ଶ୍ରୀକ୍ଷେତ୍ର ହେଉଛି ଏକ ପ୍ରଧାନ ଶକ୍ତିପୀଠ । ଯେଉଁଠି ମା’ ବିମଳା ହେଉଛନ୍ତି ‘ଭୈରବୀ’ ଏବଂ ଶ୍ରୀଜଗନ୍ନାଥ ହେଉଛନ୍ତି ‘ଭୈରବ’। ଶୈବ ଓ ଶାକ୍ତ ତନ୍ତ୍ର ପରମ୍ପରାର ମତାନୁସାରେ ଭୈରବ ହେଉଛନ୍ତି ଏକ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଜାଗ୍ରତ ଦେବତା । ସେ ଭଗବାନ ଶିବଙ୍କର ଏକ ପ୍ରଳୟଙ୍କାରୀ ତଥା ଭୟଙ୍କର ସ୍ୱରୂପ । ଭୈରବ ତାନ୍ତ୍ରିକ ସାଧନାରେ ସେ ସର୍ବୋଚ୍ଚ ସିଦ୍ଧିଦାତା ଏବଂ ସମସ୍ତ ଶକ୍ତି ପୀଠର ରକ୍ଷକ ଭାବେ ସେ ପୂଜିତ। ଶାସ୍ତ୍ରାନୁଯାୟୀ ବ୍ରହ୍ମାଙ୍କର ଅହଂକାର ଚୂର୍ଣ୍ଣ କରିବା ପାଇଁ ଭଗବାନ ଶିବଙ୍କ କ୍ରୋଧରୁ ଏହି ଭୈରବଙ୍କ ଆବିର୍ଭାବ ହୋଇଥିଲା । ସେ ପ୍ରମୁଖ ଶକ୍ତିପୀଠ ଗୁଡିକରେ ଭୈରବୀଙ୍କ ସହିତ ରକ୍ଷାକର୍ତ୍ତା ଭାବେ ଅବସ୍ଥାନ କରିଥାନ୍ତି। ଏଣୁ କୁହାଯାଇଛି:-
ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରଵଃ।
ଲୋକନାଥ ଶିବୋମତ୍ର ତୀର୍ଥରାଜ ମହୋଦଧିଃ।।
ଅର୍ଥାତ୍:- ପାବନ ଶ୍ରୀକ୍ଷେତ୍ରରେ ମାତା ବିମଳା ହେଉଛନ୍ତି ସାକ୍ଷାତ ‘ଭୈରବୀ’ ବା ଶକ୍ତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଏଠି ସ୍ୱୟଂ ‘ଭୈରବ’ ବା ଶିବ। ଏହି କ୍ଷେତ୍ରର ରକ୍ଷକ ଭାବେ ପ୍ରଭୁ ଶ୍ରୀଲୋକନାଥ ବିରାଜମାନ କରିଛନ୍ତି। ତତ୍ ସହିତ ଏଠାରେ ଥିବା ବିଶାଳ ସମୁଦ୍ର (ମହୋଦଧି) ତୀର୍ଥରାଜ ଅଟନ୍ତି।
ତନ୍ତ୍ର ଚୂଡ଼ାମଣି ହେଉଛି ଭାରତୀୟ ଶକ୍ତି ସାଧନା, ଶାକ୍ତ ପରମ୍ପରା ଓ ତାନ୍ତ୍ରିକ ଭୂଗୋଳ ଉପରେ ଆଧାରିତ। ଏହା ଏକ ଅତ୍ୟନ୍ତ ପ୍ରାଚୀନ ଏବଂ ପ୍ରମାଣିକ ସଂସ୍କୃତ ତନ୍ତ୍ର ଗ୍ରନ୍ଥ । ଏହି ଗ୍ରନ୍ଥର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ‘ପୀଠନିର୍ଣ୍ଣୟ’ ବା ‘ମହାପୀଠନିର୍ଣ୍ଣୟ’, ଯେଉଁଥିରେ ସତୀଙ୍କ ଅଙ୍ଗପାତ ଅନୁସାରେ ଭାରତବର୍ଷର ପ୍ରମୁଖ ଏକାବନଟି ଶକ୍ତିପୀଠର ସମ୍ୟକ୍ ବିବରଣୀ ଦିଆଯାଇଛି । ସେଥି ମଧ୍ୟରୁ ପୁରୁଷୋତ୍ତମ କ୍ଷେତ୍ର ଅନ୍ୟତମ। ଯେଉଁଠି ସତୀଙ୍କ ବାମ ପାଦର ବୃଦ୍ଧ ଆଙ୍ଗୁଳିଟି ପତିତ ହୋଇଥିଲା। ତେଣୁ ଏହି ପୀଠର ଅଧିଶ୍ୱରୀ ଦେବୀ ବିମଳାଙ୍କୁ ପାଦ ପୀଠାଧୀଶ୍ୱରୀ କୁହାଯାଏ। ଉକ୍ତ ପୀଠକୁ ସ୍ପଷ୍ଟ କରିବାକୁ ଯାଇ ବାମଦେବ ସଂହିତାରେ ଦେଵ ଦେଵ ମହାଦେଵ ମା’ ଭଗବତୀ ଆଦିଶକ୍ତି ପାର୍ବତୀଙ୍କୁ କହିଛନ୍ତି ଯେ:
ଶଙ୍ଖସ୍ୟା ବରଣେ ଦେବି ପତିତଃ ପ୍ରଥମେ ସ୍ଥିତା ।
ରୋହିଣୀକୁଣ୍ଡ ପାର୍ଲେପି ବିମଳା ନାମ ନାମତଃ ।।
ଏହାର ଅର୍ଥ:- ହେ ମହାଦେବୀ ! ଭଗବତୀ ସତୀଙ୍କ ଶରୀରର ଅଂଶ ପ୍ରଥମେ ଶଙ୍ଖ କ୍ଷେତ୍ର (ଶ୍ରୀକ୍ଷେତ୍ର)ର ଆବରଣ ଭିତରେ ଏବଂ ରୋହିଣୀକୁଣ୍ଡର ପାର୍ଶ୍ୱ ( ଶ୍ରୀମନ୍ଦିରର ନୈରୁତ କୋଣ)ରେ ପଡିବା ପରେ, ତୁମେ ମହାଦେବୀ ବିମଳା ନାମରେ ବିଖ୍ୟାତ ହେଲ।ସେହିପରି ତନ୍ତ୍ରଚୂଡ଼ାମଣି ଗ୍ରନ୍ଥରେ ଦେଖିବାକୁ ମିଳେ:
“ପୁରୁଷୋତ୍ତମେ ପାଦପତନାତ୍ ବିମଳା ଦେବୀ ପ୍ରକୀର୍ତିତା ।
ଭୈରବଃ ଶ୍ରୀଜଗନ୍ନାଥଃ ସର୍ଵସିଦ୍ଧିପ୍ରଦାୟକଃ”।।
ଯା’ର ଅର୍ଥ:- ପୁରୁଷୋତ୍ତମ କ୍ଷେତ୍ରରେ ଦେବୀ ସତୀଙ୍କ ପାଦ ପତିତ ହୋଇଥିବାରୁ, ସେ ଏଠାରେ ଦେବୀ ‘ବିମଳା’ ନାମରେ ପ୍ରଖ୍ୟାତା ଏବଂ ଭୈରବ ରୂପରେ ଶ୍ରୀଜଗନ୍ନାଥ ସର୍ଵସିଦ୍ଧି ପ୍ରଦାୟକ ଅଟନ୍ତି।
ପୁରୁଷୋତ୍ତମ ପୀଠର ପୀଠାଧୀଶ୍ୱରୀ ଅଟନ୍ତି ସ୍ଵୟଂ ମା’ ବିମଳା। ଯିଏ ଜୀବର ସମସ୍ତ ମଳ ବା କଳ୍ମସକୁ ନାଶ କରନ୍ତି; ଏଣୁ ସେ ବିମଳା ନାମରେ ନାମିତ ହୋଇ ଏ କ୍ଷେତ୍ରରେ ପୂଜିତା ହେଉଛନ୍ତି। ଏ ଉପରେ ଏକ ତାତ୍ତ୍ୱିକ କଥା ଦେଖିବାକୁ ମିଳେ। ଦିନେ ଦେବର୍ଷି ନାରଦ ଗୋଲକ ନାଥଙ୍କ ମୁଖାରବିନ୍ଦ କୈବଲ୍ୟ ପ୍ରସାଦ ପାଇ ମହାଆନନ୍ଦରେ ନାଚି ନାଚି କୈଳାସ ପୁରକୁ ଆସିଥିଲେ । ନାରଦଙ୍କୁ ଦେଖି ମହାଦେବ ସତ୍କାର କରିବା ସହ ଆନନ୍ଦର କାରଣ ଜାଣିବା ପାଇଁ ଚାହିଁଥିଲେ। ଏଥିରେ ଖୁସି ହୋଇ ନାରଦ ମୁଖାରବିନ୍ଦ କୈବଲ୍ୟ ପ୍ରାପ୍ତିର ବୃତ୍ତାନ୍ତ ଜଣାଇଥିଲେ ଶିବଙ୍କୁ। ଏହା ଶୁଣି ଶିବ କହିଲେ ହେ ଦେବର୍ଷି ! ମୋ’ ପାଇଁ କିଛି ଆଣିଛ କି ? ହରଙ୍କର ବାଣୀ ଶୁଣି ନାରଦ ଉତ୍ତର ଦେଲେ ହେ ଭକ୍ତ ଶ୍ରେଷ୍ଠ ! ପ୍ରଭୁ ପାଖରୁ ଯାହା ପ୍ରାପ୍ତି ହୋଇଥିଲା ତାହା ସବୁ ଭକ୍ଷଣ କରି ଦେଇଛି। କିନ୍ତୁ କଣିକାଟିଏ ମୋର ଦକ୍ଷିଣ ହସ୍ତର ନଖ କୋଣରେ ରହିଯାଇଛି। ଏହା ଦେଖି ସଦାଶିବ ଶ୍ରୀପ୍ରସାଦକୁ ସେବନ କରିଥିଲେ ଏଵଂ ଉଭୟେ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଥିଲେ। ଏ ସମସ୍ତ ବିଷୟକୁ ଜାଣିବା ପରେ ମା’ ଭବାନୀ ଶଙ୍କରଙ୍କୁ ବିଷ୍ଣୁଙ୍କ ମୁଖାରବିନ୍ଦ କୈବଲ୍ୟ ପାଇବା ନିମନ୍ତେ ପ୍ରାର୍ଥନା କଲେ। ତେଣୁ ଆଶୁତୋଷ ବିଷ୍ଣୁଙ୍କ ପାଖକୁ ଯାଇ ସମସ୍ତ କଥା କହିବାକୁ ଲାଗିଲେ। ଏଥିରେ ସନ୍ତୋଷ ହୋଇ ନାରାୟଣ କହିବାକୁ ଗଲେ ହେ ଦେବୀ ! ତୁମର କାମନା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ। କିନ୍ତୁ ଏବେ ନୁହଁ, କଳିଯୁଗରେ ତୁମେ ଶ୍ରୀମନ୍ଦିରେ ବିମଳା ରୂପେ ପୂଜିତା ହୋଇ ମୋର ( ଜଗନ୍ନାଥ) ନିତ୍ୟ ମହାପ୍ରସାଦ ପ୍ରାପ୍ତ କରିବ। ଏହି ବିଷୟକୁ ସୂଚାଇବାକୁ ଯାଇ ବାମଦେବ ସଂହିତାରେ ଉଲ୍ଲେଖ ରହିଛି:
ଶ୍ରୀପ୍ରସାଦଂ ପ୍ରତିଦିନଂ ଭକ୍ଷୀତ୍ୱା ତତ୍ର କେବଳମ୍ ।
ସତ୍ୟଂଶେନ ତ୍ୱୟା ଜାତଂ ପାର୍ବତୀ ନାମ-ନାମତଃ ।।
ଅର୍ଥାତ୍:- ହେ ଦେବୀ ! ସତୀଙ୍କ ପବିତ୍ର ଅଂଶରୁ ଜନ୍ମ ଗ୍ରହଣ କରିଥିବାରୁ, ତୁମେ ଜଗତରେ ‘ପାର୍ବତୀ’ ନାମରେ ପ୍ରସିଦ୍ଧି ଲାଭ କରିଛ । ଏହି ପବିତ୍ର ପୀଠରେ ପୂର୍ବ ସଂକଳ୍ପ ଯୋଗୁଁ ତୁମେ ପ୍ରତିଦିନ କେବଳ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ଷଣ ବା ସେବନ କରୁଛ। ତେଣୁ ଏଠାରେ ମହାଦେବୀ ବିମଳା ସଦାସର୍ବଦା ନିର୍ମାଲ୍ୟ ପାଇବା ପାଇଁ ଧ୍ଯାନରତ ଥାନ୍ତି।
ଏହି ଧ୍ୟାନରତା ଦେବୀ ବିମଳାଙ୍କ ନିକଟରେ ପ୍ରତ୍ୟୟଃ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜା ଅର୍ଚ୍ଚନା ହୋଇଥାଏ । ବର୍ଷର ସମସ୍ତ ସମୟରେ ଦେବୀଙ୍କୁ ପରମବୈଷ୍ଣବୀ ଭାବେ ପୂଜା କରାଯାଉଥିବା ବେଳେ ଶରତକାଳିନ ଦୁର୍ଗାପୂଜା କାଳରେ ମା’ଙ୍କୁ କୌଳାଚାର ତନ୍ତ୍ର ଅନୁଯାୟୀ କାଳଭୈରବୀ ରୂପେ ପୂଜା କରାଯାଏ । ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ ଅଟେ। ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ଦଶମୀ ତିଥି ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ତିଥିରେ ସପ୍ତମୀ, ଅଷ୍ଟମୀ ଓ ନବମୀର ଅର୍ଦ୍ଧରାତ୍ରୀ ସମୟରେ ମହାନିଶୀ ପୂଜା ଅନୁଷ୍ଠିତ ହୁଏ । ଯେଉଁଥିରେ ଦେବୀଙ୍କ ପାର୍ଶ୍ୱରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କୁ ଛାଗବଳି ଦିଆଯାଏ । ଏ ନୀତିକୁ ଅର୍ଦ୍ଧରାତ୍ରରେ ପହୁଡ଼ ପଡ଼ିବା ପରେ କିଛି ନିର୍ବାଚିତ କୌଳିକ ବ୍ରାହ୍ମଣମାନେ ସମ୍ପାଦନା କରିଥାନ୍ତି। ଉକ୍ତ ଷୋଳପୂଜାର ପ୍ରଥମ ଓ ଶେଷ ଚାରିଦିନ ବ୍ୟତୀତ ପ୍ରତ୍ୟେକ ଦିନ ବିମଳାଙ୍କୁ ଭିନ୍ନ ଭିନ୍ନ ବେଶ କରାଯାଏ । ଏହି ଷୋହଳଦିନ ପର୍ଯ୍ୟନ୍ତ ମହିଳାମାନେ ବିମଳାଦେବୀଙ୍କ ମନ୍ଦିରରେ ପ୍ରବେଶ କରନ୍ତି ନାହିଁ ।
ଭାରତର ମୁଖ୍ୟ ଚାରିଗୋଟି ଶକ୍ତି ପୀଠ ବିଷୟରେ ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ କୁହାଯାଇଛି ଯେ:
“ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ
ବିରଜା ଓଡ୍ର ଦେଶେ ଚ କାମାକ୍ଷା ନୀଳ ପର୍ବତେ”।।
ଅର୍ଥାତ୍ ସେତୁବନ୍ଧ ବା ରାମେଶ୍ୱରରେ ଦେବୀ ରାମେଶ୍ୱରୀ ରୂପେ, ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ରୂପେ, ଓଡ୍ର ଦେଶରର ଯାଜପୁରରେ ବିରଜା ରୂପେ ଏବଂ ନୀଳପର୍ବତରେ କାମାକ୍ଷା ରୂପରେ ମା’ ସୁବିଦିତା । ଏହି ପୁରୁଷୋତ୍ତମ କ୍ଷେତ୍ରରେ ବିରାଜିତା ମା’ଙ୍କ ସ୍ୱରୂପା ଅତ୍ୟନ୍ତ ମନହାରିଣୀ ବୋଲି ବିମଳା ଅଷ୍ଟକମ୍ ରେ କୁହାଯାଇଛି:
ହସ୍ତେ ବ୍ୟାଳବଳା ଜୀବୋତ୍ତମକରା ଚନ୍ଦ୍ରଶୁବିମ୍ବାଧରୀ ପ୍ରାଣକୁମ୍ଭକରାନ୍ବିତା ତୁ ଜନନୀ ପ୍ରାଣସ୍ୟ ପ୍ରାଣେଶ୍ବରୀ ।
ସର୍ବାନନ୍ଦକାରୀ ଦୃଶା ଶୁଭକାରୀ ରନ୍ଧାଜ୍ୟମାଳାଧରୀ
ତ୍ରାହି ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ବରୀ ॥
ମା’ ବିମଳା ଦେବୀ ଚତୁର୍ଭୁଜା, ତ୍ରିନେତ୍ରା ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନା । ସେ ଊର୍ଦ୍ଧ୍ବ ଦୁଇଟି ହସ୍ତରେ ନାଗକନ୍ୟା ଓ ଜପାମାଳି ଏବଂ ଦେବକନ୍ୟାଙ୍କୁ ଧାରଣ କରିବା ସହିତ ନିମ୍ନ ଦୁଇଟି ହସ୍ତରେ ଅଭୟ ମୁଦ୍ରା ଓ ସୁଧାଭାଣ୍ଡକୁ ଧାରଣ କରିଛନ୍ତି । ଦେବୀଙ୍କର ଦୁଇ ପାର୍ଶ୍ୱରେ ଦୁଇଜଣ ଚଣ୍ଡୀ ଛାୟା ଦେବୀ ଓ ମାୟା ଦେବୀ ବିରାଜିତା। ଏତଦ୍ ବ୍ୟତୀତ ମନ୍ଦିରରେ ସପ୍ତମାତୃକା, ଦଶମହାବିଦ୍ୟା ଓ ଯୋଗିନୀ ଆଦି ମଧ୍ୟ ପୂଜା ପାଉଛନ୍ତି ।
ଜଗନ୍ନାଥ ସଂସ୍କୃତି ଯେପରି ବୈଚିତ୍ର୍ୟ, ସେପରି ଦେବୀ ବିମଳାଙ୍କ ନୀତି ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର। ସାଧାରଣତଃ ଠାକୁରଙ୍କ ପାଖରେ ଭୋଗ ହେବାପରେ, ସେହି ଭୋଗକୁ ଅନ୍ୟ କୌଣସି ମନ୍ଦିରରେ ଭୋଗ ହୋଇନଥାଏ। କିନ୍ତୁ ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ଶ୍ରୀଜଗନ୍ନାଥଙ୍କୁ ପ୍ରସାଦ ଅର୍ପିତ ହେଲାପରେ ପୁନର୍ବାର ମା’ ବିମଳାଙ୍କୁ ଅର୍ପଣ କରାଯାଇଥାଏ। ଏଥି ନିମିତ୍ତ ଏକ ସ୍ୱତନ୍ତ୍ର ‘ବିମଳେଇ ଥାଳି’ର ମଧ୍ୟ ବ୍ୟବସ୍ଥା ରହିଛି। ମା’ଙ୍କୁ ଅର୍ପିତ ହେବା ପରେ ଏହାକୁ ‘ମହାପ୍ରସାଦ’ ଏବଂ ‘ମା ପ୍ରସାଦ’ କୁହାଯାଏ। ଯାହା କେବଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଥାଏ। ଏହା ହିଁ ମା’ ବିମଳାଙ୍କ ସ୍ୱତନ୍ତ୍ରତା। ଶାରଦୀୟ ଦୁର୍ଗାପୂଜା ସମୟରେ ଜଗନ୍ନାଥଙ୍କ ପ୍ରତିନିଧି ଭାବରେ ମାଧବ ଏବଂ ବିମଳାଙ୍କ ପ୍ରତିନିଧି ଭାବରେ ଦୁର୍ଗା, ଏକତ୍ର ଭୈରବ ଓ ଭୈରବୀ ରୂପରେ ଗୋଟିଏ ମଣ୍ଡପରେ ପୂଜିତ ହୋଇଥାନ୍ତି। ଏହି ଷୋଳଦିବସ ପୂଜା ସମୟରେ ତାନ୍ତ୍ରିକ ମତରେ ହେଉଥିବାରୁ ଏହାକୁ ଶାକ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ। ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କର ଅପର ନାମ ବିମଳା ବୋଲି ଏହି ନିମ୍ନଲିଖିତ ଶ୍ଳୋକରେ କୁହାଯାଉଛି:
“ଦୁର୍ଗା ଭଗବତୀ ଭଦ୍ରା ଶିବା ସ୍ୱର୍ଗାପବର୍ଗଜା
ଚଣ୍ଡିକା କାଳିକା ବାଳା ବିମଳା ସତୀ।”
କିଛି ଗବେଷକଙ୍କ ମତରେ ବିମଳା ଅଟନ୍ତି ପ୍ରଭୁ ବଳଭଦ୍ରଙ୍କ ସ୍ତ୍ରୀ। ସେଥିପାଇଁ ବଳଭଦ୍ରଙ୍କ ଅଧର ଫଳକ ଓ ଧଣ୍ଡାମାଳ ଇତ୍ୟାଦି ବିମଳାଙ୍କୁ ଅର୍ପିତ ହୋଇଥାଏ। ତେଣୁ ମା’ଙ୍କୁ ବଡ଼ବାଡ଼ ସାଆନ୍ତାଣୀ ବୋଲି କୁହାଯାଏ।
ମା’ ବିମଳା କେବଳ ଜଣେ ଦେବୀ ନୁହନ୍ତି, ସେ ହେଉଛନ୍ତି ଜଗତର କଲ୍ୟାଣକାରୀ ମାତା। ଯାହାଙ୍କର କରୁଣା ଭିକ୍ଷା ଲାଭ କରିବା ପାଇଁ ଏବଂ ଶ୍ରୀକ୍ଷେତ୍ର ଧାମରେ ଗୋବର୍ଦ୍ଧନ ପୀଠ ପ୍ରତିଷ୍ଠା ନିମନ୍ତେ ସନାତନ ଧର୍ମର ପ୍ରସିଦ୍ଧ ସନ୍ଥ ଆଦି ଶ୍ରୀଶଙ୍କରାଚାର୍ଯ୍ୟ ପୁରୀକୁ ଆସିଥିଲେ। ସେ ବିମଳାଙ୍କ ମା’ଙ୍କ ସାନିଧ୍ୟ ଲାଭକରି କୃତକୃତ୍ୟ ହୋଇ ଗାଇଯାଇଥିଲେ “ବିମଳା ଅଷ୍ଟକମ୍”। ଯା’ର କିଛି ପଦ ହେଉଛି:-
ଆଦ୍ୟା ଦେବୀ ପରାତ୍ପରା ଭଗବତୀ ମାତା କୃପାସାଗରୀ ବ୍ରହ୍ମାନନ୍ଦପ୍ରଦାୟିନୀ ହରବଧୁଃ ଷଟ୍ଚକ୍ରଚକ୍ରେଶ୍ଵରୀ ।ମାୟାମୋହମୟୀ ଜନୋଦୟକରୀ ବ୍ରହ୍ମାଣ୍ଡଭାଣ୍ଡୋଦରୀ
ତ୍ରାହି ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ ॥
ଉଦ୍ୟଚ୍ଚନ୍ଦ୍ରପ୍ରଭାକରୀ ଅଭୟଦା ଶ୍ରୀପାଦପୀଠେଶ୍ୱରୀ
ଦାରୁବ୍ରହ୍ମବିନୋଦିନୀ ତୁ ତ୍ରିପୁରା ପ୍ରତ୍ୟକ୍ଷମାହେଶ୍ଵରୀ ।ଭଣ୍ଡୋନ୍ମାଦପରାୟଣାତିପରମା ବିଶ୍ଵେଶି ମାତେଶ୍ଵରୀ
ତ୍ରାହି ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ ॥
ଅର୍ଥାତ୍:- ମା’ ବିମଳା ହେଉଛନ୍ତି ସୃଷ୍ଟିର ଆଦ୍ୟା ଶକ୍ତି, ସବୁଠାରୁ ଶ୍ରେଷ୍ଠା ଭଗବତୀ ଏବଂ କୃପାର ସାଗରୀ । ସେ ପରମ ଆନନ୍ଦକୁ ପ୍ରଦାନ କରିଥାନ୍ତି । ମା’ ମହାଦେବଙ୍କ ପତ୍ନୀ ଅଟନ୍ତି ଏବଂ ଶରୀରର ଷଟ୍ଚକ୍ରର ନିୟନ୍ତ୍ରଣକାରୀ । ଏହି ବିମଳା ମାୟା-ମୋହ ସୃଷ୍ଟି କରିବା ସହ ଜୀବ ଜଗତର କଲ୍ୟାଣ କରନ୍ତି ଏବଂ ସମଗ୍ର ବ୍ରହ୍ମାଣ୍ଡକୁ ନିଜ ଗର୍ଭରେ ଧାରଣ କରିଛନ୍ତି । ସେ’ପରି ସେ ଉଦୟ ହେଉଥିବା ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଭଳି ଦୀପ୍ତିମାନ ଅଟନ୍ତି ଏବଂ ସେ ସମସ୍ତ ଭକ୍ତଙ୍କୁ ଅଭୟ ପ୍ରଦାନ କରନ୍ତି। ମାଆ ନିଜର ଶ୍ରୀପାଦପୀଠରେ ବିରାଜମାନ କରି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସହ ଲୀଳା-ବିଳାସ କରୁଛନ୍ତି। ସେ ହେଉଛନ୍ତି ତ୍ରିପୁରାସୁନ୍ଦରୀ ଓ ସାକ୍ଷାତ ମାହେଶ୍ୱରୀ ତଥା ଦୁଷ୍ଟମାନଙ୍କର ଉନ୍ମାଦନାର ନଷ୍ଟକାରୀ। ହେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ! ମତେ ରକ୍ଷା କରନ୍ତୁ ଏବଂ ସଦା ସୁଖ ପ୍ରଦାନ କରନ୍ତୁ ।
ପୂର୍ବରୁ ବିମଳାଙ୍କୁ ସ୍ୱୟଂ ଶକ୍ତିସ୍ୱରୂପିଣୀ ଜଗଜ୍ଜନନୀ କୁହାଯାଉଛି। ଏହି ଆନନ୍ଦମୟୀ ଭଗବତୀ ଦୁର୍ଗା ଓ ସଚ୍ଚିଦାନନ୍ଦ ମାଧବ ଶ୍ରୀଜଗନ୍ନାଥଙ୍କ ଯୁଗଳ ଉପାସନା ଯାହା ଦୁର୍ଗାମାଧବ ଉପାସନା ରୂପେ ବିଖ୍ୟାତ। ସମସ୍ତଙ୍କର ସୁଖଶାନ୍ତି ପାଇଁ ଏହାଙ୍କୁ ପ୍ରାର୍ଥନା କରାଯାଏ।
“ଯେ ଦୁର୍ଗା ମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ୱିତଃ
ସର୍ବବିଘ୍ନ ଭୟଂତେଷାଂ ବିନଶ୍ୟନ୍ତି ପଦେ ପଦେ।”
ସଂକ୍ଷେପରେ କହିବାକୁ ଗଲେ, ମା’ ବିମଳା ହେଉଛନ୍ତି ଶ୍ରୀକ୍ଷେତ୍ରର ପ୍ରାଣକେନ୍ଦ୍ର ଏବଂ ତାଙ୍କ ବିନା ଶ୍ରୀଜଗନ୍ନାଥ ସଂସ୍କୃତି ଅସମ୍ପୂର୍ଣ୍ଣ। ସେ ବୈଷ୍ଣବ ଓ ଶାକ୍ତ ଧର୍ମର ଏକ ସୁନ୍ଦର ସେତୁ ସଦୃଶା। ଯୁଗ ଯୁଗ ଧରି ସେ କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇ ରହିଛନ୍ତି। ଶ୍ରୀମନ୍ଦିର ବେଢ଼ାରେ ବିରାଜମାନ କରି ମା’ ସମଗ୍ର ସୃଷ୍ଟିକୁ ନିଜର କରୁଣା ଆଶୀର୍ବାଦ ପ୍ରଦାନ କରି ଚାଲିଛନ୍ତି। ତାଙ୍କରି ଏପରି କୃପା ସଦା ରହିଥାଉ, ଏତିକି ହିଁ ମାଗୁଣି କରେ ଏ ଅକିଞ୍ଚନ।
ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ
୯୮୬୧୩୩୪୮୬୮


