ନନ୍ଦିପଦା ପୁଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ଗୁରୁତର

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାର ନନ୍ଦିପଦା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଯାଜପୁର ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ପୁଲିସ ଏନକାଉଣ୍ଟରରେ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ତଥା ଆଶୁ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଅର୍ଜୁନ ଓଡ଼ିଶା ସମେତ ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ୨୦ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅର୍ଜୁନ ପ୍ରଧାନ ନନ୍ଦିପଦା ଥାନା ଅଞ୍ଚଳରେ ଆତ୍ମଗୋପନ କରିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ ତା’ର ଗତିବିଧି ଉପରେ ନଜର ରଖି ତାକୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ଗତକାଲି ନନ୍ଦିପଦା ପୁଲିସ ଛେନାପଦି ଛକ ନିକଟରୁ ଅର୍ଜୁନକୁ ଧରିବାରେ ସଫଳ ହୋଇଥିଲା। ପରେ ତାକୁ ସୋସୋ ଥାନାକୁ ନିଆଯାଇ ପଚରାଉଚରା କରାଯାଇଥିଲା।  ସେପ୍ଟେମ୍ବର ୨୭ ତାରିଖରେ ସୋସୋ ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମର ଜଣେ ସୁନା ବ୍ୟବସାୟୀ ଘରକୁ ଫେରୁଥିବା ସମୟରେ ତାଙ୍କୁ ଗୁଳି କରି ଲୁଟ୍ କରାଯାଇଥିଲା। ଏହି ଘଟଣାରେ କେସ ନଂ ୧୭୮/୨୦୨୬ ଘଟଣାର ତଦନ୍ତ କରି ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ପ୍ରଧାନକୁ ଖୋଜୁଥିଲା। ଦୀର୍ଘଦିନ ଧରି ତାକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିଲା। ପୁଲିସର ପଚରାଉଚରା ସମୟରେ ଲୁଟ୍ ଘଟଣାରେ ବ୍ୟବହୃତ ବନ୍ଧୁକକୁ ଛେନାପଦି ନିକଟସ୍ଥ ଅସିଆ ଗ୍ରାମରେ ଲୁଚାଇ ରଖିଥିବା ଅର୍ଜୁନ କହିଥିବା ସୂଚନା ମିଳିଛି। ଏହାପରେ ପୁଲିସ ତାକୁ ସାଙ୍ଗରେ ନେଇ ବନ୍ଧୁକ ଉଦ୍ଧାର ପାଇଁ ଅସିଆ ଗ୍ରାମକୁ ଯାଇଥିଲା। ତେବେ ସେଠାରେ ଅର୍ଜୁନ ପୁଲିସ ସହିତ ଧସ୍ତା ଧସ୍ତି କରି ଖସି ଯିବାକୁ ଉଦ୍ୟମ କରିଥିଲା। ଏଥିରେ ବଳିଆ ବାରିକ ଓ ଘସିପୁରା ଥାନା ଏସ ଆଇ କଳ୍ପତରୁ ନାୟକ ଆହତ ହୋଇଥିଲେ। ଅର୍ଜୁନ ଅତର୍କିତ ଭାବେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିବାବେଳେ  ପୁଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ଆହତ ହୋଇଥିଲା । ପରେ ପୁଲିସ ତାକୁ ତୁରନ୍ତ କାବୁ କରି ଚିକିତ୍ସା ପାଇଁ ଆନନ୍ଦପୁର ମେଡିକାଲକୁ ନେଇଥିଲା। ଅପରାଧୀ ଅର୍ଜୁନ ପ୍ରଧାନ ଯାଜପୁର ଜିଲ୍ଲାର ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ତା’ ନାମରେ ଓଡ଼ିଶାର ବିଭିନ୍ନ ଥାନା ସମେତ ରାଜ୍ୟ ବାହାରର ଥାନାଗୁଡ଼ିକରେ ମଧ୍ୟ ୨୦ରୁ ଉର୍ଦ୍ଧ୍ଵ ଅପରାଧିକ ମାମଲା ରହିଥିବା ପୋଲିସ କହିଛି । ଏଥିଯୋଗୁଁ ବିଭିନ୍ନ ରାଜ୍ୟର ପୁଲିସ ତାକୁ ଖୋଜୁଛି। ଗୁରୁବାର ଅର୍ଜୁନର ନିଜ ଯାଆଁଳା ଭାଇ କରଣ ପ୍ରଧାନ ଓ ତାର ଆଉ ଦୁଇ ସହଯୋଗୀ ବାଇକରେ ଆସି ଅର୍ଜୁନକୁ ଛାଡି ଯାଇଥିଲେ। ଅର୍ଜୁନ ଲୁଟର ଠିକଣା ସ୍ଥିର କରିବା ପରେ ସହଯୋଗୀ ମାନେ ଆସି ଲୁଟପାଟ କରିଥାନ୍ତେ ବୋଲି ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି।  ଏନେଇ ନନ୍ଦିପଦା ଥାନା କେସ ନଂ ୩୯୦/୨୦୨୬ରେ ଏକ ମାମଲା ରୁଜୁ ହୋଇଛି। ଘଟଣା ପରେ ଭଦ୍ରକରୁ ଫୋରେନସିକ୍ ଟିମ୍ ଅସିଆ ଗ୍ରାମରେ ପହଞ୍ଚି ଘଟଣାସ୍ଥଳର ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଟିମ୍ ଗୋଟିଏ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି ଏବଂ ଗୋଟିଏ ଖୋକା ଜବତ କରିଥିବା ଜଣାପଡ଼ିଛି। ଏହି ସାମଗ୍ରୀଗୁଡ଼ିକୁ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ବିଚାର କରାଯାଉଛି। ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟ୍ ଘଟଣାର ତଦନ୍ତ ଚାଲିଥିବା ବେଳେ ଅର୍ଜୁନ ପ୍ରଧାନର ଗିରଫ ଓ ଏନକାଉଣ୍ଟର ପରେ ଏହି ମାମଲାରେ ଆଗକୁ ଆଉ କେଉଁ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ପୁଲିସର ପରବର୍ତ୍ତୀ ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ। ସ୍ଥାନୀୟ ଅଞ୍ଚଳବାସି ପୋଲିସର ଏପରି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ