ଜଟିଳ ହେଲା କୋଣାର୍କ ଜମିଜମା ସମସ୍ୟା: କାମରେ ଆସିଲା ନାହିଁ ବଣ୍ଟା ହୋଇଥିବା ପଟ୍ଟା
କୋଣାର୍କ (ଓ୍ବାଇଏନଏସ): ୧୯୬୩ ମସିହାରୁ ପ୍ରାୟ ୬୩ ବର୍ଷ ହେବ ଏ ଅଞ୍ଚଳରେ ବନ୍ଦୋବସ୍ତ ପଟ୍ଟା ବଣ୍ଟା ଯାଇନଥିଲା। ସ୍ଥାନୀୟ ମାଧିପୁର ,ବେରୂହଁ, କୋଣାର୍କ , ଖାଲକଟା ପାଟଣା ଆଦି ମୌଜା ର ଲକ୍ଷ ଲକ୍ଷ ପ୍ରଜା ପଟ୍ଟା ନ ପାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ବ୍ୟାଙ୍କ୍ ରେ ବନ୍ଧକ,କିଣାବିକା,ଝିଅ ବାହାଘର,ମେଡିକାଲ୍ ଖର୍ଚ୍ଚ,ପିଲାଙ୍କ ପାଠ ପଢା, ବିଭିନ୍ନ ସରକାରୀ ଯୋଜନା ରୁ ବଞ୍ଚିତ ହୋଇ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଆସୁଛନ୍ତି। ଗତ କିଛିଦିନ ହେଲା ମାଧିପୂର ଓ ବେରୁହଁ ମୌଜା ର ପଟ୍ଟା ବଣ୍ଟନ ହୋଇଥିବା ନେଇ ଘୋଷଣା କରା ଯାଇଥିଲେ ମଧ୍ୟ,ବାସ୍ତବ ପକ୍ଷେ କେବଳ ୫ ପ୍ରତିଶତ ପ୍ରଜାଙ୍କୁ ପଟ୍ଟା ଦିଆ ଯାଇଥିବାବେଳେ ଅନ୍ୟ ସମସ୍ତ ପ୍ରଜାଙ୍କର ଜମି ରେକର୍ଡ଼ କୁ କାଟି ସରକାରୀ ଖାତା ଭୁକ୍ତ କରାଯାଇଥିବାର ଜଣାଯାଇଛି।ଆଜକୁ ୧୦୦ ବର୍ଷ ତଳେ ଇଂରେଜ ଅମଳର ଥିବା ୧୯୨୭-୨୮ ମସିହା ବନ୍ଦୋବସ୍ତ ରେକର୍ଡ଼ରେ ଯାହା ଥିଲା,ତାହାକୁ କେବଳ ପୁନର୍ବାର ବଣ୍ଟା ଯାଇଛି।ପରବର୍ତ୍ତୀ ସମୟର କାଗଜାତ ଓ ରେକର୍ଡକୁ ଗ୍ରହଣ କରାଯାଇନାହିଁ। ପୁନଶ୍ଚ ୧୯୬୩ ମସିହାରେ ଏ ଅଞ୍ଚଳରେ ବନ୍ଦୋବସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ବନ୍ଦୋବସ୍ତ ଚାଲୁଥିବା ସମୟରେ କିଣାବିକା ନିଷିଦ୍ଧ ହୋଇଥିବାରୁ,ଏ ମୌଜା ମାନଙ୍କରେ ୧୯୬୩ ମସିହା ପରଠାରୁ,ସମସ୍ତ ରେଜିଷ୍ଟ୍ରି କବଲା ନିଷିଦ୍ଧ ଅଟେ।ଏହି କବଲା ସବୁକୁ ଅନୁସରଣ ପୂର୍ବକ ଯଦି କୌଣସି ପଟ୍ଟା ବଣ୍ଟନ ହୋଇଥାଏ,ତାହାଲେ ସେଗୁଡ଼ିକ ମଧ୍ୟ ବେଆଇନ ବୋଲି ଜଣା ଯାଇଛି। ଏହାଦ୍ୱାରା ୧୯୨୭ ମସିହାର ସାବକ ସ୍ଥିତିବାନ ରେକର୍ଡ଼ ଥିବା ସତ୍ତ୍ୱେ,କୌଣସି ଜମି ଯଦି ୧୯୬୩ ମସିହା ପରେ କିଣାବିକା ହୋଇଥାଏ ,କ୍ରୟ କରିଥିବା ବ୍ୟକ୍ତିଙ୍କ ନାମରେ ପଟ୍ଟା ହୋଇପାରିବ ନାହିଁ। ସଂପ୍ରତି ପଟ୍ଟା ମିଳିଥିଲେ ମଧ୍ୟ ,ତାହା ତ୍ରୁଟିପୂର୍ଣ୍ଣ ଓ ସେଗୁଡ଼ିକ ରଦ୍ଦ ହେବ ବୋଲି ଜଣାପଡ଼ିଛି।ପ୍ରକାଶ ଥାଉକି,୧୯୬୩ ମସିହା ପରଠାରୁ ଆଜିସୁଦ୍ଧା ଏ ଅଞ୍ଚଳର ଏହି ମୌଜା ଗୁଡିକରେ ହଜାର ହଜାର କବଲା କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଟ୍ଟା ବଣ୍ଟା ଯାଇଥିବା ମୌଜା ଗୁଡ଼ିକରେ, କୌଣସି ସରକାରୀ କାର୍ଯ୍ୟାଳୟ,ସରକାରୀ ସ୍କୁଲ୍ , କଲେଜ , ବ୍ୟାଙ୍କ୍ ଚାଲୁଥିବା ଘର ଆଦିକୁ ପଟ୍ଟା ଦିଆଯାଇନାହିଁ। ଏଥି ମଧ୍ୟରେ ଏନଏସି କାର୍ଯ୍ୟାଳୟ, ପୁଲିସ ଥାନା ମଧ୍ୟ ଅନ୍ତର୍ଭୁକ୍ତ। ଏପରିକି ବିଗତ ଶହେ ବର୍ଷ ମଧ୍ୟରେ ସରକାର ଓ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ରାସ୍ତାଘାଟ ମଧ୍ୟ ଫାଇନାଲ ନକ୍ସାରେ ଦର୍ଶାଯାଇ ନାହିଁ। ୯୫ ପ୍ରତିଶତ ଜମି ସରକାରୀ ଖାତାଭୂକ୍ତ ହୋଇଥିବାରୁ,ପ୍ରଜାମାନଙ୍କ ମଧ୍ୟରେ ନାହିଁ ନଥିବା ଅସନ୍ତୋଷ ଦେଖାଦେଇଛି।ସେମାନେ ବିଭିନ୍ନ କୋର୍ଟ କଚେରୀ ଯାଉଥିବାରୁ ଏ ଅଞ୍ଚଳର ଜମିଜମା ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଜଟିଳ ରୂପ ନେବାରେ ଲାଗିଛି।


